ଓଡ଼ିଶାଲାଇଭ୍ ବ୍ୟୁରୋ

  • ସରକାରଙ୍କ ଆଗରେ ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘର ୫ ଦାବି
  • ଏପ୍ରିଲ ୧୫ ସୁଦ୍ଧା ଦାବି ପୂରଣ ନହେଲେ ସମୂହ ଛୁଟି ନେବା ନେଇ ସଂଘର ଚେତାବନୀ

ରାଜ୍ୟର ଫାର୍ମାସିଷ୍ଟ କର୍ମଚାରୀଙ୍କ ପ୍ରତି ସ୍ଵାସ୍ଥ୍ୟ ବିଭାଗ ପାତର ଅନ୍ତର କରୁଥିବା ସହ ସେମାନଙ୍କ ବିଭିନ୍ନ ନାର୍ଯ୍ୟ ଦାବିକୁ ପୂରଣ କରାଯାଉ ନଥିବା ପ୍ରତିବାଦରେ ସ୍ଵର ଉଠାଇଛି ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘ। ନିର୍ଦ୍ଦିଷ୍ଟ ସମୟ ଅବଧି ମଧ୍ୟରେ ଫାର୍ମାସିଷ୍ଟମାନଙ୍କ ଦାବି ପୂରଣ ନ ହେଲେ ରାଜ୍ୟର ସମସ୍ତ ଫାର୍ମାସିଷ୍ଟ ସ୍ଵାସ୍ଥ୍ୟସେବା ଛାଡ଼ି ସମୂହ ଛୁଟି ନେଇ ଗଣଧାରଣାରେ ବସିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ରାଜ୍ୟରେ ଫାର୍ମାସିଷ୍ଟମାନଙ୍କ ସ୍ଵାର୍ଥକୁ ସରକାର ଅଣଦେଖା କରୁଥିବା ନେଇ ସୋମବାର ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘ ପକ୍ଷରୁ ଭୁବନେଶ୍ଵରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା। ଏଥିରେ ସଂଘର କାର୍ଯ୍ୟକର୍ତ୍ତାମାନେ ସରକାରଙ୍କ ଆଗରେ ୫ଟି ଦାବି ରଖିଛନ୍ତି।

ଏହି ଦାବିଗୁଡ଼ିକ ହେଉଛି –

୧. ଫାର୍ମାସିଷ୍ଟମାନଙ୍କ ମୂଳ ଦରମାରେ ଗ୍ରେଡ୍ ପେ ୨୪୦୦ ଟଙ୍କା ପରିବର୍ତ୍ତେ ୨୮୦୦ ଟଙ୍କାଙ୍କୁ ବୃଦ୍ଧି ଏବଂ ଚାକିରି ପରେ ସମୟାନୁକ୍ରମେ ସମସ୍ତଙ୍କୁ ଗ୍ରେଡ୍ ପେ ୪୨୦୦ ଟଙ୍କା ପ୍ରଦାନ।

୨. ୨୦ ମାର୍ଚ୍ଚ ୨୦୨୨ରେ ସଂଶୋଧିତ ହୋଇଥିବା ଫାର୍ମାସିଷ୍ଟ କ୍ୟାଡର ରୁଲ୍‌କୁ ୨୦୧୬ ପରିବର୍ତ୍ତେ ୨୦୧୩ ଅଗଷ୍ଟ ୨୪ ତାରିଖରୁ ପିଛିଲା ଭାବେ କାର୍ଯ୍ୟକାରୀ କରାଯାଇ ଫାର୍ମାସିଷ୍ଟମାନଙ୍କୁ ପଦୋନ୍ନତି ଦିଆଯାଉ।

୩. ଫାର୍ମାସିଷ୍ଟମାନଙ୍କ ପଦବୀ ଫାର୍ମାସିଷ୍ଟ ଅଫିସର ଭାବେ ନାମକରଣ କରାଯାଉ।

୪. ୨୦୧୩ ପୂର୍ବରୁ ଠିକା ନିଯୁକ୍ତି ପାଇ କାର୍ଯ୍ୟ କରିଥିବା ସମସ୍ତ ଫାର୍ମାସିଷ୍ଟମାନଙ୍କ କାର୍ଯ୍ୟକାଳକୁ ବରିଷ୍ଠତା ଦୃଷ୍ଟିରୁ ବିଚାର କରାଯିବା ସହ ସେମାନଙ୍କ ପାଇଁ ଆର୍ଥିକ ସୁବିଧା ସୁନିଶ୍ଚିତ କରାଯାଉ।

୫. ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ କେନ୍ଦ୍ର ଏବଂ ରାଷ୍ଟ୍ରୀୟ ବାଲ୍ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମରେ କାର୍ଯ୍ୟରତ ସମସ୍ତ ଫାର୍ମାସିଷ୍ଟମାନଙ୍କୁ ରାଜ୍ୟରେ ଖାଲି ପଡ଼ିଥିବା ସ୍ଥାନରେ ନିୟମିତ ନିଯୁକ୍ତି ମିଳୁ।

ଆସନ୍ତା ଏପ୍ରିଲ ୧୫ ତାରିଖ ମଧ୍ୟରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଉପରୋକ୍ତ ଦାବିସବୁକୁ ପୂରଣ ନ କରାଗଲେ ଏପ୍ରିଲ ୧୭ ତାରିଖରୁ ରାଜ୍ୟର ଫାର୍ମାସିଷ୍ଟ ସମୂହ ଛୁଟି ନେଇ ଗଣଧାରଣାରେ ବସିବେ ବୋଲି ଚେତାବନୀ ଦେଇଛି ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘ।“ରାଜ୍ୟର ସ୍ଵାସ୍ଥ୍ୟ କ୍ଷେତ୍ରରେ ଫାର୍ମାସିଷ୍ଟମାନଙ୍କ ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ। କୋଭିଡ୍ ସମୟରେ ଘର ପରିବାରକୁ ଛାଡ଼ି ନିଷ୍ଠାର ସହ ଫାର୍ମାସିଷ୍ଟମାନେ ରୋଗୀଙ୍କ ସେବା କରିଥିଲେ। ହେଲେ ସରକାର ଫାର୍ମାସିଷ୍ଟମାନଙ୍କୁ ଅଣଦେଖା କରୁଛନ୍ତି। ଦୀର୍ଘଦିନ ଧରି ଆମର ନାର୍ଯ୍ୟ ଦାବି ପ୍ରତି ସରକାରଙ୍କ ଦୃଷ୍ଟି ପଡୁନାହିଁ। ଆଗାମୀ ଦିନରେ ଯଦି ସରକାର ଆମ ଦାବି ନ ଶୁଣନ୍ତି ଆମେ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇବୁ”, କହିଛନ୍ତି ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘର ସଭାପତି ଚିନ୍ମୟ କୁମାର ସିହ୍ନା।

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘର ସାଧାରଣ ସମ୍ପାଦକ ଶ୍ରୀକାନ୍ତ ଜେନାଙ୍କ ସମେତ ସଂଘ ସମସ୍ତ କର୍ମକର୍ତ୍ତା ଏବଂ ସଭ୍ୟମାନେ ଏହି ସାମ୍ଵାଦିକ ସମ୍ମିଳନୀରେ ସାମିଲ ହୋଇଥିଲେ।

Tags: #OdishaPharmacistsServiceAssociation #Odisha #Pharmacist #HealthDepartment #ଓଡ଼ିଶାଫାର୍ମାସିଷ୍ଟସେବାସଂଘ

Comment