ଓଡ଼ିଶାଲାଇଭ୍ ବ୍ୟୁରୋ

covid testing centers-2

ଦେଶରେ କୋଭିଡ ସଂକ୍ରମଣ ବଢ଼ିବା ଆରମ୍ଭ ହୋଇଛି। ୫ଟି ଦେଶରେ କୋଭିଡ ମାମଲା ବୃଦ୍ଧି ପାଉଥିବାବେଳେ ଦିଲ୍ଲୀରେ ସଂକ୍ରମଣ ହାର ଅଧିକ ରହିଛି। ବର୍ତ୍ତମାନ ଓଡ଼ିଶାରେ କୋଭିଡ ସ୍ଥିତି ଚିନ୍ତାଜନକ ନଥିଲେ ମଧ୍ୟ ପୂର୍ବରୁ ସତର୍କତା ଅବଲମ୍ବନ କରିବାକୁ ଜନସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

କୋଭିଡ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଆଗୁଆ ପଦକ୍ଷେପ ନେବା ସହ ସ୍ଥିତି ଉପରେ ନଜର ରଖିବାକୁ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ଏ ନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଏବଂ ସିଡିଏମ୍‌ଓଙ୍କୁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି।

ସଂକ୍ରମଣ ପ୍ରବଣ ଦେଶ ବା ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖିବା ସହ ଟେଷ୍ଟିଂ, ଟ୍ରାକିଂ, ଚିକିତ୍ସା ଏବଂ ଟିକାକରଣ ଓ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। କୋଭିଡ ପଜିଟିଭ ଚିହ୍ନଟ ହେଲେ ସେମାନଙ୍କର ଜିନୋମ ସିକୁଏନ୍ସି ଲାଗି ପଠାଇବା, ଅଣ କୋଭିଡ ହସ୍ପିଟାଲଗୁଡ଼ିକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଏବଂ କୌଣସି ପରିସ୍ଥିତିରେ ସଂକ୍ରମଣ ବୃଦ୍ଧି ପାଇଲେ କଣ୍ଟିଜେନ୍ସି ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନ ପରିସ୍ଥିତିରେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପରିଧାନ ଓ ସାନିଟାଇଜାର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ କୋଭିଡର ଚତୁର୍ଥ ଲହରକୁ ନେଇ ଲୋକଙ୍କ ମନରେ ଛନକା ପଶିଲାଣି। ଭୟଭୀତ ନହୋଇ ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

Tags: #Covid19 #CoronaVirus #Corona #Odisha

Comment