ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ ମହାମାରୀକୁ ନେଇ ଲୋକଙ୍କ ମନରୁ ଭୟ ଯାଇନଥିବା ବେଳେ ଏବେ ଏଚ୍୩ଏନ୍୨ ଭାଇରସକୁ ଚିନ୍ତା ବଢ଼ିଛି। ରାଜ୍ୟରେ ଏଚ୍୩ଏନ୍୨ ଭାଇରସ ଦ୍ଵାରା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୯ ଜଣଙ୍କୁ ଚିହ୍ନଟ କରାଯାଇଛି। କୋଭିଡ ଭଳି ଏଚ୍୩ଏନ୍୨ ଭାଇରସର ସମାନ ଲକ୍ଷଣ ରହିଛି। ଏହାକୁ ନେଇ ଭୟଭୀତ ନ ହୋଇ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସିତ ହେବାକୁ କହିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର।

ଏଚ୍୩ଏନ୍୨ ଭାଇରସରେ ଆକ୍ରାନ୍ତ ହୋଇ ଦେଶର ୭ ଜଣ ପ୍ରାଣ ହରାଇଥିବାବେଳେ ଓଡ଼ିଶାରେ ସେପରି କୌଣସି ବିପଦଜନକ ପରିସ୍ଥିତି ଦେଖିବାକୁ ମିଳିନାହିଁ। ଥଣ୍ଡା, ଜ୍ଵର, କାଶ ଆଦି କୋଭିଡ ଭଳି ଲକ୍ଷଣମାନ ଦେଖାଦେଲେ ତୁରନ୍ତ ପରୀକ୍ଷା କରାଇବାକୁ ପରାମର୍ଶ ଦେଇଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ। ମନଇଚ୍ଛା ଔଷଧ ନଖାଇ ଡାକ୍ତରଙ୍କ ପରାମର୍ଶ ନେବାକୁ ସେ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି ବର୍ତ୍ତମାନ ସର୍ଭିଲାନ୍ସ ଉପରେ ଅଧିକ ଗୁରୁତ୍ଵ ଦିଆଯାଉଛି। ଲକ୍ଷଣ ଥିବା ବ୍ୟକ୍ତିଙ୍କର ପରୀକ୍ଷା କରାଯିବ। ସ୍ଵାସ୍ଥ୍ୟାବସ୍ଥାରେ ସୁଧାର ନଆସି ଯଦି ରିପୋର୍ଟ ନେଗେଟିଭ୍ ଆସେ ତେବେ ସମ୍ପୃକ୍ତ ରୋଗୀଙ୍କର ସାମ୍ପଲ ସଂଗ୍ରହ କରି ପୁନର୍ବାର ପରୀକ୍ଷା ପାଇଁ ପଠାଯିବ ବୋଲି ଡାକ୍ତର ବିଜୟ କୁମାର ମହାପାତ୍ର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଚ୍୩ଏନ୍୨ ଭାଇରସକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଲକ୍ଷଣ ଥିଲେ ତୁରନ୍ତ ପରୀକ୍ଷା କରିବା ସହ ନିଜକୁ ଆଇସୋଲେଟ କରାଇନେବା ଆବଶ୍ୟକ। ଏହା ସହିତ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ମଧ୍ୟ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି।

Tags: #Virus #H3N2Influenza #Disease #HealthDepartment #Covid

Comment