ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟରେ ପୁଣି ମୁଣ୍ଡ ଟେକୁଛି କରୋନା
  • ସାତ ଦିନରେ ୪୦୦୦ରୁ ଊର୍ଦ୍ଧ୍ଵ ପଜିଟିଭ୍ ଚିହ୍ନଟ
  • କଟକ-ଭୁବନେଶ୍ଵରକୁ ଫେରିଲା ମାସ୍କ କଟକଣା
  • କୋଭିଡ୍ ନିୟମ ମାନିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

କିଛିଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ମୁଣ୍ଡ ଟେକିଛି କରୋନା ସଂକ୍ରମଣ। ପ୍ରତିଦିନ ରାଜ୍ୟରୁ ଶତାଧିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏହି ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟରେ କରୋନା ସଂକ୍ରମଣର ଗ୍ରାଫ୍ ବଢୁଥିବାରୁ ଖୁବଶୀଘ୍ର ରାଜ୍ୟକୁ କୋଭିଡ୍ କଟକଣା ଫେରିପାରେ ବୋଲି ଆଶଙ୍କା କରାଯାଉଛି।

ରାଜ୍ୟ ସୂଚନା ଓ ପରିବାର କଲ୍ୟାଣ ବିଭାଗର ସୂଚନାକୁ ଆଧାରକରି ଯଦି ଗତ ସପ୍ତାହକରେ ରାଜ୍ୟର କୋଭିଡ୍ ସଂକ୍ରମଣ ହାରକୁ ଅନୁଧ୍ୟାନ କରାଯାଏ ତେବେ ଏ ମଧ୍ୟରେ ରାଜ୍ୟରୁ ମୋଟ୍ ୪ ହଜାରରୁ ଊର୍ଦ୍ଧ୍ଵ ସଂକ୍ରମିତ ବାହାରିଛନ୍ତି। ସେହିପରି ଗତ ୬ ଦିନ ହେଲା ରାଜ୍ୟରେ କୋଭିଡ୍‌ର ଦୈନିକ ସଂକ୍ରମଣ ୫୦୦ ଉପରେ ରହୁଛି। ବୁଧବାର ଏହି ସଂଖ୍ୟା ୮୦୦ ଟପିଛି। ତେଣୁ ରାଜ୍ୟରେ ପୁଣିଥରେ କରୋନା କାୟା ବିସ୍ତାର କରିବା ଆରମ୍ଭ କରିଛି।କଟକ-ଭୁବନେଶ୍ଵରକୁ ଫେରିଛି ମାସ୍କ କଟକଣା

ରାଜ୍ୟରେ ଦିନକୁ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରାଥମିକ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ଵରର ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଘୋଷଣା କରିଛି ଭୁବନେଶ୍ଵର ମହାନଗର ନିଗମ (ବିଏମ୍‌ସି)। ଏହା ପରକୁ କଟକ ମହାନଗର ନିଗମ ଅଞ୍ଚଳରେ ମଧ୍ୟ ମାସ୍କ କଟକଣାକୁ ସିଏମ୍‌ସି କଡ଼ିକଡ଼ି କରିଛି। ସେହିପରି ପରସ୍ପର ମଧ୍ୟରେ ସାମାଜିକ ଦୂରତା ପାଳନ, ବାହାରେ ଛେପ ନପକାଇବା, ହାତକୁ ବାରମ୍ବାର ସଫାକରିବା ଆଦି ନିୟମକୁ ସଠିକ୍ ଭାବେ ପାଳନ କରିବାକୁ ଜନସାଧାରଣଙ୍କୁ ଉଭୟ ମହାନଗର ପ୍ରଶାସନ ନିର୍ଦ୍ଦେଶ ଦେଇଛି।ରେଡ୍ ଜୋନରେ ଖୋର୍ଦ୍ଧା-କଟକ-ପୁରୀ

ଦିନକୁ ଦିନ କୋଭିଡ୍ ସଂକ୍ରମଣ ବଢୁଥିବା ବେଳେ ୩ ଜିଲ୍ଲା ଖୋର୍ଦ୍ଧା, କଟକ ଏବଂ ପୁରୀ ପୁଣିଥରେ ରେଡ୍ ଜୋନକୁ ଆସିଛି। ଏହି ଜିଲ୍ଲାଗୁଡ଼ିକରେ ଦୈନିକ କରୋନା ନମୁନା ପରୀକ୍ଷା ମୁତାବକ ସର୍ବାଧିକ ସଂକ୍ରମିତ ବାହାରୁଛନ୍ତି। ରାଜ୍ୟ କୋଭିଡ୍ ଡାସବୋର୍ଡରୁ ଉଦ୍ଧାର କରାଯାଇଥିବା ତଥ୍ୟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ଟେଷ୍ଟ ପଜିଟିଭ୍ ହାର ବା ଟିପିଆର୍ ରହିଛି ୧୩.୨ ପ୍ରତିଶତ, କଟକ ଜିଲ୍ଲାର ୭.୭ ପ୍ରତିଶତ ଏବଂ ପୁରୀ ଜିଲ୍ଲାର ୮.୫ ପ୍ରତିଶତ। ଅନ୍ୟପଟେ ଜଗତସିଂହପୁର, ସମ୍ଵଲପୁର ଏବଂ ସୁନ୍ଦରଗଡ଼ ଜିଲ୍ଲା ୟେଲୋ ଜୋନକୁ ପ୍ରବେଶ କରିଛନ୍ତି।କୋଭିଡ୍ ନିୟମ ମାନିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ରାଜ୍ୟରେ କୋଭିଡ୍ ସଂକ୍ରମଣ ପୁଣିଥରେ ବଢୁଥିବା ବେଳେ କୋଭିଡ୍ ଉପଯୋଗୀ ସମସ୍ତ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, “ବର୍ତ୍ତମାନ ସ୍ଥିତିରେ କୋଭିଡ୍ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ନିଶ୍ଚୟ ମାସ୍କ ପିନ୍ଧନ୍ତୁ। ସମସ୍ତଙ୍କ ସୁରକ୍ଷା ପାଇଁ ସାମାଜିକ ଦୂରତା ରକ୍ଷା, ସାବୁନ ଓ ପାଣିରେ ହାତ ଭଲ କରି ଧୋଇବା ସହ କୋଭିଡ୍ ନିୟମର କଡ଼ା ଅନୁପାଳନ କରନ୍ତୁ। ସତର୍କ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ।”

Tags: #Covid19 #CoronaCase #Odisha #କୋଭିଡ୍ #କରୋନା #ଓଡ଼ିଶା

Comment