ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଯୋଗୁଁ ରେଳ ଓ ବିମାନ ସେବା ବନ୍ଦ ହୋଇଥିବା କାରଣରୁ ବିଭିନ୍ନ କୋର୍ଟର ଜଜ୍‌ମାନେ ନିଜେ ଗାଡ଼ି ଚଳାଇ ନିଜ ନିଜ ସ୍ଥାନରେ ପହଞ୍ଚିଛନ୍ତି। ପ୍ରତିଟି ଜଜ୍ ପ୍ରାୟ ୨ ହଜାର କିଲୋମିଟର ରାସ୍ତା ଗାଡ଼ି ଚଳାଇଥିବା ଖବର ମିଳିଛି। ବିଭିନ୍ନ ରାଜ୍ୟର ବିଚାରପତିମାନଙ୍କର ଇତି ମଧ୍ୟରେ ପଦୋନ୍ନତି ହୋଇଛି। ନୂଆ ଦାୟିତ୍ୱ ଗ୍ରହଣ କରିବା ପାଇଁ ସେମାନଙ୍କୁ ଶହ ଶହ କିଲୋମିଟର ରାସ୍ତା ଯିବାକୁ ପଡିଛି। ନ୍ୟାୟ ବ୍ୟବସ୍ଥା ଯେମିତି ରାସ୍ତାଚ୍ୟୁତ ନହୁଏ ସେଥିପାଇଁ ପରିଣତ ବୟସରେ ମଧ୍ୟ ଜଜମାନେ ନିଜେ ଷ୍ଟିୟରିଂ ଧରିଛନ୍ତି।

କଲିକତା ହାଇକୋର୍ଟର ଜଷ୍ଟିସ ଦୀପଙ୍କର ଗୁପ୍ତା ଗାଡ଼ି ଚଳାଇ ମୁମ୍ବାଇରେ ପହଞ୍ଚିଛନ୍ତି। ସେ ଆସନ୍ତାକାଲି ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ। ସେ ଓ ତାଙ୍କ ପୁଅ ପାଳି କରି କାର ଚଳାଉଥିଲେ। ସେହିଭଳି ଆହ୍ଲାବାଦ ହାଇକୋର୍ଟର ଜଜ୍ ବିଶ୍ୱନାଥ ସୋମଦର ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ପଦର ଶପଥ ନେବା ପାଇଁ କୋଲକାତା ଦେଇ ସିଲଂରେ ପହଞ୍ଚିଛନ୍ତି। ତାଙ୍କ ସହିତ ଜଣେ ଡ୍ରାଇଭର ଗାଡି ଚଳାଉଥିବା ବେଳେ ସିଲଂ ଯିବା ପୂର୍ବରୁ ସେ କିଛି ସମୟ ତାଙ୍କର ସଲଟ ଘରେ ବିଶ୍ରାମ ନେଇଥିଲେ।

ମେଘାଳୟ ହାଇକୋର୍ଟର ଜଜ୍ ଥିବା ମହମ୍ମଦ ରଫିକ ସିଲଂରୁ ଆସି କଟକରେ ପହଞ୍ଚିଛନ୍ତି। ସେ ଆସନ୍ତାକାଲି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଦିନ ଅନେକ ହାଇକୋର୍ଟର ବିଚାରପତିମାନଙ୍କ ପଦୋନ୍ନତି ସମ୍ପର୍କିତ ଏକ ବିଜ୍ଞପ୍ତିରେ ସ୍ଵାକ୍ଷର କରିଥିଲେ ଓ ତା ଅନୁଯାୟୀ ନୂଆ ମୁଖ୍ୟ ବିଚାରପତିମାନଙ୍କୁ ନିଜ ନିଜ ସ୍ଥାନକୁ ଯିବାକୁ ପଡିଥିଲା।

Comment