ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ହଟସ୍ପଟ୍‌ ଭାବେ ଏବେ ଯାଜପୁର ଓ ଭଦ୍ରକ ଜିଲ୍ଲା ଚିହ୍ନଟ ହୋଇଛନ୍ତି, ଯାହାକି ବର୍ତ୍ତମାନ ପଡ଼ୋଶୀ ଜିଲ୍ଲା କେନ୍ଦ୍ରାପଡ଼ା ପାଇଁ ଚିନ୍ତାର କାରଣ ପାଲଟିଛି।

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ରାଜ୍ୟର ନୂଆ କରୋନା ହଟ୍‌ସ୍ପଟ ଜିଲ୍ଲା ଭାବେ ଏବେ ଚର୍ଚ୍ଚାରେ ରହିଛନ୍ତି ଦୁଇ ପ୍ରମୁଖ ଜିଲ୍ଲା ଭଦ୍ରକ ଓ ଯାଜପୁର। ଏହି ଦୁଇ ଜିଲ୍ଲାର ସୀମାକୁ ଲାଗି ରହିଛି କେନ୍ଦ୍ରାପଡ଼ା ଜିଲ୍ଲା। କେନ୍ଦ୍ରାପଡା ଜିଲ୍ଲାକୁ ଲାଗିଥିବା ଏହି ଦୁଇ ଜିଲ୍ଲାର ସଂଯୋଗ ରାସ୍ତା ବାଟେ ଯିବା ଆସିବା ଉପରେ ନଜର ରଖିଛି ପୋଲିସ। ହେଲେ କିଛି ସ୍ଥାନରେ କଟକଣା କରାଯାଇଥିଲା ବେଳେ ଅନ୍ୟ କିଛି ସ୍ଥାନରେ କଟକଣା ଢ଼ିଲା ଥିବା ଅଭିଯୋଗ ହୋଇଛି, ଯାହାକି କେନ୍ଦ୍ରାପଡ଼ା ଜିଲ୍ଲାର ଚିନ୍ତା ବଢ଼ାଇଛି।

କିଛିଦିନ ହେବ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର ଲାଗିଛି। ଚିହ୍ନଟ ହେଉଥିବା ସମସ୍ତ କରୋନା ଆକ୍ରାନ୍ତ ଯାଜପୁର, ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାର। ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଥିବା ବେଳେ, ଭଦ୍ରକ ଜିଲ୍ଲାରେ ରହିଛନ୍ତି ୧୬ ଜଣ ଓ ବାଲେଶ୍ଵରରେ ୧୫ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଯାଜପୁର ଓ ଭଦ୍ରକ କେନ୍ଦ୍ରାପଡ଼ା ଜିଲ୍ଲାର ପଡ଼ୋଶୀ ଜିଲ୍ଲା।

କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ପଡ଼ୋଶୀ ବ୍ଲକ ବରୀ ଓ ବିଞ୍ଝାରପୁରକୁ ଆସନ୍ତା ୨୭ ତାରିଖରୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛି ଯାଜପୁର ଜିଲ୍ଲା ପ୍ରଶାସନ। ତେଣୁ ଏହା କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ବିପଦ ସୃଷ୍ଟି କରିପାରେ। ଯଦିଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମେ ପ୍ରଥମେ ଦୁଇଜଣ କରୋନା ପଜିଟିଭ୍ ମିଳିଥିଲେ, ଏବେ ଆଉ ସେପରି ସ୍ଥିତି କେନ୍ଦ୍ରାପଡା ଜିଲ୍ଲାରେ ନାହିଁ। ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଆସିଲେଣି।

ଏବେ କେନ୍ଦ୍ରାପଡା ଜିଲ୍ଲାର ଚିନ୍ତା ବଢ଼ାଇଛି ଦୁଇ ପଢ଼ୋଶୀ ଜିଲ୍ଲା ଭଦ୍ରକ ଓ ଯାଜପୁର। କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକର ସୀମାନ୍ତ ଅଞ୍ଚଳ ରହିଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ, ଯାହା ବୈତରଣୀ ନଦୀର ପୋଲ ଦ୍ଵାରା ସଂଯୋଗ ହୋଇଛି। ଏଠାରେ କେନ୍ଦ୍ରାପଡ଼ା ପୋଲିସ ପକ୍ଷରୁ କରାଯାଇଥିବା ଚେକ ପୋଷ୍ଟ ଉଠାଇ ନିଆଯାଇଛି। କେବଳ ମୋବାଇଲ ପାଟ୍ରୋଲିଂ ଗାଡ଼ି ପଇଁତରା ମାରୁଛି।

corona

ସେହିପରି ରାଜକନିକା ବ୍ଲକର ପଶ୍ଚିମ କନିକା ପଟକୁ ଯାଜପୁର ଜିଲ୍ଲାର ସିଂପୁର ରାସ୍ତା, ଯାହା ଯାଜପୁର ଜିଲ୍ଲାର ଅନ୍ୟତମ ଦ୍ଵାର। ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକର ଠାକୁରାଣୀ ପାଳ ନିକଟରେ ଉଭୟ ଜିଲ୍ଲାର ସୀମାରେଖା ରହିଛି। ଏଠାରେ ମଧ୍ୟ ପୋଲିସର ପଇଁତରା ରହିଛି। ଏହାଛଡା ଏହି ବ୍ଲକର କନପୁର ନିକଟରେ ପେଟାନାଳୀ ସେତୁ ଭଦ୍ରକ ଜିଲ୍ଲାର କଇଁଆଗୋଲାକୁ ସଂଯୋଗ କରୁଛି। ହେଲେ ଏଠାରେ କୌଣସି ପୋଲିସ ବ୍ୟବସ୍ଥା ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଏହାଛଡା କେନ୍ଦ୍ରାପଡ଼ା ବ୍ଲକର ଇନ୍ଦୁପୁର ନିକଟରେ ବିରୂପା ସେତୁ ବରୀ ବ୍ଲକକୁ ସଂଯୋଗ କରୁଛି। କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ସହ ମଧ୍ୟ ଯାଜପୁର ଜିଲ୍ଲାର ବରୀ ଓ ବଡ଼ଚଣା ବ୍ଲକର ସଂଯୋଗ ରହିଛି। ବେଣୀପୁର, ପାରୁପଲେଇ, ଭରତପୁର ଓ ସଦାନନ୍ଦପୁର ଆଦି ଗାଁ କୁ ଗାଁ ଲାଗିରହିଛି ଯାଜପୁର ଜିଲ୍ଲାକେନ୍ଦ୍ରାପଡା ଜିଲ୍ଲାର ଏହି ସବୁ ସ୍ଥାନଗୁଡ଼ିକରେ କଡା ପୋଲିସ ସୁରକ୍ଷା କରା ନଗଲେ ଗଳାବାଟ ହେଉ କି ମୁଖ୍ୟ ବାଟ ହେଉ, ଲୋକମାନେ ସହଜରେ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଚାଲି ଆସିବେ।

Comment