ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେ’ ୩ ପରେ ଦେଶର ସ୍ଥିତି କ’ଣ ହେବ? ଲକ୍‌ଡାଉନ୍‌ ହଟିବ ନା ଏହାର ଅବଧି ପୁଣି ବଢ଼ିବ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ୯ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ବେଳେ ଯଦିଓ ଏନେଇ କିଛି ସଙ୍କେତ ଦେଇ ନାହାନ୍ତି, ହେଲେ ଏମିତି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ୯ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ପ୍ରାୟ ୩ ଘଣ୍ଟା ଧରି କରୋନା ଭାଇରସ୍‌ ସଂକ୍ରମଣ ଉପରେ ଆଲୋଚନା କରିଥିଲେ ମୋଦୀ। ୯ଟି ରାଜ୍ୟ ଭିତରୁ ୬ ରାଜ୍ୟ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ଉପରେ ନିଜର ମତ ଦେଇଥିଲେ। ମେଘାଳୟ, ମିଜୋରାମ, ଓଡ଼ିଶା, ହିମାଚଳ ପ୍ରଦେଶ, ପଶ୍ଚିମବଙ୍ଗ, ଗେଆ ଆଦି ରାଜ୍ୟ ଲକ୍‌ଡାଉନ୍‌ ଅବଧି ବଢ଼ାଇବା ସପକ୍ଷରେ ଅଛନ୍ତି।

ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ଏବଂ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାବନ୍ତ ମେ’ ୩ ପରେ ନିଜ ରାଜ୍ୟରେ ଲକ୍‌ଡାଉନ୍‌ ବଳବତ୍ତର ରଖିବାକୁ ଚାହୁଁଥିବା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ଏପଟେ ଓଡ଼ିଶା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ମଧ୍ୟ ଲକ୍‌ଡାଉନ୍‌ ଆହୁରି ବଢ଼ିବା ଦରକାର ବୋଲି ମତ ଦେଇଛନ୍ତି। ବିଭିନ୍ନ ରାଜ୍ୟର ଏଭଳି ମତ ପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, କରୋନା ଭାଇରସ୍‌ର ବିପଦ ଥମିନି। ଏହା ଆଗମା କିଛି ମାସ ପର୍ଯ୍ୟନ୍ତ ରହିବ। ଏସବୁ ଭିତରେ ଦେଶର ଅର୍ଥନୀତିକୁ ବି ପ୍ରଧାନ୍ୟ ଦେବାକୁ ପଡ଼ିବ।

ପ୍ରଧାନମନ୍ତ୍ରୀ ମୋଦୀ ଲକ୍‌ଡାଉନ୍‌ ଅବଧି ବଢ଼ାଇବା ଉପରେ କୌଣସି ଆଲୋଚନା କରି ନଥିଲେ। ହେଲେ ହଟସ୍ପଟ ଜୋନ୍‌ରେ ଲକ୍‌ଡାଉନ୍‌ ନିୟମ କଡ଼ାକଡ଼ି ପାଳନ କରିବାକୁ କହିଥିଲେ।

ମେ’ ୩ ପରେ କ’ଣ କୋହଳ କରାଯିବ ସେ ବିଷୟରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଦିନ ମଜୁରିଆ ଏବଂ ଶ୍ରମିକ ଶ୍ରେଣୀର ଲୋକ ଘରୁ ବାହାରିଲେ କେମିତି କାମ ମିଳିବ ସେ ବିଷୟରେ ଆଲୋଚନା ହୋଇଥିଲା। ଏହାସହ ବିଭିନ୍ନ ରାଜ୍ୟରେ ଯେଉଁ ଛାତ୍ରମାନେ ଫସିଛନ୍ତି ସେମାନେ କେମିତି ଘରକୁ ଫେରିବେ ସେନେଇ ଆଲୋଚନା ହୋଇଥିଲା।

ପ୍ରଧାନମନ୍ତ୍ରୀ କହିଥିଲେ, ‘‘ମାର୍ଚ୍ଚ ମାସରେ ଅନ୍ୟ ଦେଶ ଭଳି ଭାରତର ଅବସ୍ଥା ଖରାପ ହୋଇଯାଇଥିଲା। ହେଲେ ଆମେ ଠିକ୍‌ ସମୟରେ ଉଚିତ ପଦକ୍ଷେପ ନେଇଥିବାରୁ ହଜାର ହଜାର ଜୀବନକୁ ରକ୍ଷା କରାଯାଇ ପାରିଛି। ଦେଢ଼ ମାସରେ ଆମେ ଅନେକ ଜୀବନ ବଞ୍ଚାଇ ପାରିଛେ।’’

ଗତ ମାର୍ଚ୍ଚ ୨୪ରୁ ସାରା ଦେଶ ଲକ୍‌ଡାଉନ୍‌ ହୋଇଛି। ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ଦୋକାନ ବଜାର, ଶିଳ୍ପ ସଂସ୍ଥା ବନ୍ଦ ରହିଛି। ଟ୍ରେନ୍‌, ବସ୍‌ ଏବଂ ବିମାନ ସେବା ବନ୍ଦ ରହିଛି। ମେ’ ୩ ଯାଏଁ ଲକ୍‌ଡାଉନ୍‌ ବଳବତ୍ତର ରହିବ। ଏହାପରେ ଦେଶର ସ୍ଥିତି କ’ଣ ହେବ ତାକୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଛି।

Comment