ଓଡ଼ିଶାଲାଇଭ୍‌ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ବିବାହ ପାଇଁ ଶେଷ ହୋଇଥିଲା ସବୁ ପ୍ରସ୍ତୁତି। ହେଲେ କର୍ତ୍ତବ୍ୟ ପାଇଁ ନିଜ ବିବାହ ତାରିଖ ଘୁଞ୍ଚାଇ ଦେଲେ ପୋଲିସ ସବ୍‌-ଇନ୍ସପେକ୍ଟର। ଏହି ପୋଲିସ ଅଧିକାରୀ ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଟାଉନ ଥାନାରେ କାର୍ଯ୍ୟରତ ସବ୍‌-ଇନ୍ସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ଵାଳ। ଏପ୍ରିଲ ୧୭ ତାରିଖରେ ଅନ୍ତର୍ଯ୍ୟାମୀଙ୍କ ହୋଇଥାନ୍ତା ବିବାହ।

କୋରନା ପାଇଁ ସାରା ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ସରକାର। ଏହି ସମୟରେ ପୋଲିସ କର୍ମଚାରୀଙ୍କ କାମ ମଧ୍ୟ ବଢ଼ିଯାଇଛି। ଲୋକାମାନଙ୍କୁ ସରୁକ୍ଷା ଓ ଯୋଗାଇ ଦେବାରେ ବ୍ୟସ୍ତ ରହିଛନ୍ତି ପୋଲିସ କର୍ମଚାରୀ। ଏହି ସେବାରେ ମଧ୍ୟ ନିଜକୁ ବାନ୍ଧି ରଖିଛନ୍ତି କେନ୍ଦ୍ରାପଡ଼ା ଟାଉନ ଥାନା ଏସ୍‌ଆଇ ଅନ୍ତର୍ଯ୍ୟାମୀ ବିଶ୍ଵାଳ।

ଲକ୍‌ଡାଉନ୍‌ ପୂର୍ବରୁ ସରିଥିଲା ବିବାହର ସମସ୍ତ ପ୍ରସ୍ତୁତି। ପୁରୀ ଜିଲ୍ଲା କାକଟପୁର ଥାନା ଲତା ହରଣ ଗାଁର ଦେବରାଜ ବିଶ୍ଵାଳଙ୍କ ପୁଅ ଅନ୍ତର୍ଯ୍ୟାମୀ ବିଶ୍ଵାଳଙ୍କର ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ବଂଶୀପାଟଣା ଗାଁର ପ୍ରଫୁଲ୍ଲ ବାରିକଙ୍କ ଝିଅ ଅନିମା ବାରିକଙ୍କ ସହ ବାହାଘର ହୋଇଥାନ୍ତା। ବିବାହ ପାଇଁ ବର କନ୍ୟା ଦେଖାଠାରୁ ବନ୍ଧୁ ସଙ୍ଖୁଳା ଶେଷ ହୋଇଥିଲା।

ସମସ୍ତ ବିଧିବିଧାନ ମଧ୍ୟ ଶେଷ ହୋଇଥିଲା। ଏପ୍ରିଲ ୧୭ ତାରିଖ ବିବାହ ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ଏହି ଲକ୍‌ଡାଉନ୍‌ ସମୟ ମଧ୍ୟରେ ପଡ଼ିଗଲା ବିବାହ ତାରିଖ। ଯେଉଁଥିପାଇଁ ନିଜ କର୍ତ୍ତବ୍ୟକୁ ଆଖଇ ଆଗରେ ରଖି ବିବାହ ତାରିଖ ଘୁଞ୍ଚାଇ ଦେଲେ ଏସ୍‌ଆଇ ଅନ୍ତର୍ଯ୍ୟାମୀ ବିଶ୍ଵାଳ।

Comment