ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ୱାରେଣ୍ଟାଇନ୍ ସେଣ୍ଟରେ ଟିକଟକ୍ କରୁଛନ୍ତି କୋଲକାତା ଫେରନ୍ତା। କରୋନାକୁ ବେଖାତିର କରି ଟିକଟକ ଗୀତରେ ପାଲା କରୁଛନ୍ତି କ୍ୱାରେଣ୍ଟାଇନରେ ଥିବା କିଛି ଯୁବକ। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଭାଟପଡ଼ା ପଞ୍ଚାୟତ ଅଞ୍ଚଳରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ରାଜ୍ୟ ସରକାର କରୋନା ମୁକାବିଲା ପାଇଁ କ୍ୱାରେଣ୍ଟାଇନ ସେଣ୍ଟରର ବ୍ୟବସ୍ଥା କରିଛନ୍ତି। ହେଲେ ଏହି ଲୋକମାନେ ଏଠାକାର ନିୟମ ଭାଙ୍ଗି ଟିକଟକ୍ କରିବାରେ ବ୍ୟସ୍ତ ଅଛନ୍ତି। ବିଭିନ୍ନ ପ୍ରକାରର ପାଲା ଗୀତ ଓ ଯାତ୍ରା ଡାଏଲଗରେ ଏମାନେ ଟିକଟକ୍ କରୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓଗୁଡ଼ିକ ମଧ୍ୟ ଏବେ ସୋସିଆଲ୍ ମିଡିଆରେ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି।

ଏହାକୁ ନେଇ ଭାଟପଡ଼ା ଗ୍ରାମ ପଞ୍ଚାୟତର ସରପଞ୍ଚ ସ୍ୱର୍ଣ୍ଣମୟୀ ଜେନା ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି। ସରପଞ୍ଚଙ୍କ କହିବା ଅନୁସାରେ, ଏହି ଯୁବକମାନେ କୋଲକାତାରୁ କିଛି ଦିନ ତଳେ ଫେରିଥିଲେ। ଏହାପରେ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା। ନମୁନା ନେଗେଟିଭ୍ ଆସିବା ପରେ ସେମାନେ ଘରକୁ ଯିବାକୁ ଜିଦ୍ କରିଥିଲେ। ହେଲେ ପ୍ରଶାସନର ନିୟମ ଅନୁସାରେ ତାଙ୍କୁ ବାଧ୍ୟତାମୂଳକ ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯାଇଛି। ଏହାକୁ ବିରୋଧ କରି ଏବେ ସେମାନେ ଏଭଳି କରୁଥିବା ସରପଞ୍ଚ କହିଛନ୍ତି।

Comment