ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୟୁଏଇ, କତାର, ବାହାରିନ୍‌, ସାଉଦିଆରବ, କୁଏତ, ଓମାନ ଓଡ଼ିଆ ସମାଜର ପ୍ରତିନିଧିଙ୍କ ସହ ଆଲୋଚନା
  • କରୋନା ପରବର୍ତ୍ତୀ ସ୍ଥିତି ଉପରେ ଆଲୋଚନା
  • ବାହାରେ ରହୁଥିବା ଓଡ଼ିଆମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିଲେ କେନ୍ଦ୍ରମନ୍ତ୍ରୀ
  • ଭାରତ ବିଶ୍ୱ ଅର୍ଥନୀତିର ସମ୍ଭାବନାର କେନ୍ଦ୍ର ହେବ: ଧର୍ମେନ୍ଦ୍ର

‘‘କୋଭିଡ୍‌-୧୯ ମହାମାରୀ ପାଇଁ ବିଶ୍ୱ ଅର୍ଥନୀତିର ଚିତ୍ର ବଦଳିଯିବାକୁ ବସିଛି। ଏଥିପାଇଁ ଆମକୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ଭାରତ ବିଶ୍ୱ ଅର୍ଥନୀତିର ସମ୍ଭାବନାର କେନ୍ଦ୍ର ହେବା ନେଇ ଆକଳନ କରାଯାଉଛି। ଏଥିରୁ ଓଡ଼ିଶା କିପରି ଲାଭ ପାଇବ ଏବଂ ଲୋକମାନେ କିପରି ଉପକୃତ ହୋଇ ପାରିବେ ସେଥିପାଇଁ ସବୁ ଓଡ଼ିଆ ଦାୟିତ୍ୱର ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ପଡ଼ିବ’’, କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ନାଚୁରାଲ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସାଗରୀୟ ଦେଶ ସମୂହର ୬ଟି ପ୍ରମୁଖ ଦେଶରେ ରହୁଥିବା ଓଡ଼ିଆ ସମାଜର ମୁଖ୍ୟ ଓ ପ୍ରତିନିଧିମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ। ଏହି ଦେଶମାନଙ୍କରେ କରୋନାର ସ୍ଥିତି ଏବଂ ସେଠାରେ ରହୁଥିବା ଓଡ଼ିଆ ଲୋକମାନଙ୍କର ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ ଧର୍ମେନ୍ଦ୍ର। ଏହାସହ ସେଠାକାର ଆର୍ଥିକ ସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।

ଏହି ଆଲୋଚନାରେ ବାହାରିନ୍‌ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହରାଜ, ଦୁବାଇ ଓଡ଼ିଆ ସମାଜର ମୁଖ୍ୟ ଡକ୍ଟର ସି ଏସ୍‌ ଖୁଣ୍ଟିଆ, ୟୁଏଇ ଓଡ଼ିଆ ସମାଜର ମୁଖ୍ୟ ଅମୀୟ ମିଶ୍ର, ସାଉଦି ଆରବରୁ ଦେବାଶିଷ ରାଉତ, କତାର ଉତ୍କଳିକା ଓଡ଼ିଆ ସମାଜରୁ ବୈଦ୍ୟ ଭୂଷଣ ମହାନ୍ତି, ସାଉଦି ଆରବ ଜୁବେଲରୁ ପ୍ୟାରୀ ମୋହନ ମଲ୍ଲିକ, କୁଏତରୁ ଗିରିଜା ଶଙ୍କର ପାଢ଼ୀ, ଓମାନରୁ ଦୀନବନ୍ଧୁ ସାମଲ ଏବଂ ସଞ୍ଜୟ କୁମାର ଜେଟି, ମସ୍କୋ ଡେପୁଟି ହାଇ କମିଶନର ବିନୟ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ।

ଓଡ଼ିଆ ସମାଜର ପ୍ରତିନିଧିମାନେ ସେଠାକାର ସରକାର କୋଭିଡ୍‌-୧୯ ମୁକାବିଲା ପାଇଁ ନେଇଥିବା ପଦକ୍ଷେପ, ଓଡ଼ିଆ ଲୋକଙ୍କ ରହଣୀ, ସଙ୍ଗରୋଧ ଏବଂ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ଏହାସହ ଭାରତରେ କରୋନା ମୁକାବିଲା ପାଇଁ କେନ୍ଦ୍ର ଏବଂ ଓଡ଼ିଶା ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାକୁ ପ୍ରଶଂସା କରିଥିଲେ।

କୋଭିଡ୍‌-୧୯ ମହାମାରୀ ବେଳେ ଭାରତୀୟ ଦୂତାବାସ ପକ୍ଷରୁ ଓଡ଼ିଆ ସମାଜକୁ ସମର୍ଥନ ଓ ସହଯୋଗ ମିଳୁଥିବା ପ୍ରତିନିଧିମାନେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ବେଳେ କହିଥିଲେ।

ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂର ଦୃଷ୍ଟି ସମ୍ପନ୍ନ କରୋନା ମୁକାବିଲା ଭାରତକୁ ଲାଭ ଦେଇଛି। ପ୍ରଥମେ ଜୀବନ ଓ ପରେ ଜୀବିକା କଥା କହି ଭାରତୀଙ୍କ ଜୀବନ ବଞ୍ଚାଇବାକୁ ପ୍ରାଥମିକତା ଦେଇଥିଲେ ପ୍ରଧାନମନ୍ତ୍ରୀ। ଏବେ ପ୍ରଧାନମନ୍ତ୍ରୀ ଲୋକଙ୍କ ଜୀବନ ସହ ଜୀବିକାର କଥା କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଆମାଗୀ ଦିନରେ ଭାରତ ବିଶ୍ୱର ବଡ ବ୍ରାଣ୍ଡ ହେବ। ଆଗାମୀ ଦିନରେ ଭାରତ ବିଶ୍ୱର ସବୁଠୁ ବଡ଼ ତୈଳ ବଜାର ହେବାର ସମ୍ଭାବନା ରହିଛି। ବିଶ୍ୱରେ ଭାରତ ସୁବିଧାଜନକ ସ୍ଥିତିରେ ରହିବ।’’

Comment