ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନିଶ୍ଚିତତାରେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା। କେନ୍ଦ୍ର ସରକାରଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଲେ ରାଜ୍ୟ ସରକାର।

ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଏଥର ହେବ କି ନାହିଁ? ଏହି ପ୍ରସଙ୍ଗକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ଗୋଟିଏପଟେ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ଅନ୍ୟପଟେ ସାଢ଼େ ୪ କୋଟି ଲୋକଙ୍କ ଭାବାବେଗ ଜଡ଼ିତ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥ ନିର୍ମାଣକୁ ଅନୁମତି ଦେଇ ରିସ୍କ ନେବାକୁ ଚାହୁଁ ନାହାନ୍ତି। ରଥ ନିର୍ମାଣ ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ଉପରେ ଛାଡ଼ି ଦେଇଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗରେ ହଁ କହୁଛନ୍ତି କି ନା ତା’ଉପରେ ସମସ୍ତଙ୍କ ନଜର ରହିଛି।

କେନ୍ଦ୍ର କୋର୍ଟକୁ ବଲ୍‌ ଫିଙ୍ଗିଲେ ରାଜ୍ୟ ସରକାର

ପୁରୀ ରଥଯାତ୍ରା ସହିତ ସାଢ଼େ ୪ କୋଟି ଓଡ଼ିଆଙ୍କ ଭାବାବେଗ ଜଡ଼ିତ ହୋଇ ରହିଛି। କେବଳ ଓଡ଼ିଆ ନୁହନ୍ତି, ବିଶ୍ୱର କୋଣ ଅନୁକୋଣର ଲୋକ ପ୍ରତିବର୍ଷ ରଥଯାତ୍ରାକୁ ଚାହିଁ ରହିଥାନ୍ତି। ରତ୍ନବେଦୀ ଛାଡ଼ି ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ୯ ଦିନ ପାଇଁ ଗୁଣ୍ଡିଚା ମନ୍ଦିରକୁ ମହାପ୍ରଭୁ ଜଗନ୍ନାଥ ଯାତ୍ରା କରୁଥିବାରୁ ଏହି ଲୀଳାଖେଳା ଦେଖିବା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଥାଏ।

ହେଲେ ଚଳିତବର୍ଷ କରୋନା ମହାମାରୀ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବାରୁ ରଥଯାତ୍ରା କେମିତି ହେବ ତାକୁ ନେଇ ବଡ଼ ପ୍ରଶ୍ନବାଚୀ ଉଠିଛି। କରୋନା ସଙ୍କଟ ପାଇଁ ଏବଂ ସରକାରଙ୍କ ଲକ୍‌ଡାଉନ୍‌ ନିୟମକୁ ମାନି ଏଥର ବଡ଼ଦାଣ୍ଡରେ ରଥକାଠ ଅନୁକୂଳ ହୋଇନାହିଁ। ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁସାରେ ରଥକାଠ ଅନୁକୂଳ ଶ୍ରୀମନ୍ଦିର ଭିତରେ ହିଁ ହୋଇଛି। ରଥ ନିର୍ମାଣ କାମ ଆରମ୍ଭ କରିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ନୂଆ ଗାଇଡ୍‌ଲାଇନ୍‌କୁ ଅପେକ୍ଷା କରିଥିଲେ।

କେନ୍ଦ୍ର ଏବଂ ରାଜ୍ୟ ସରକାର ନୂଆ ଗାଇଡ୍‌ଲାଇନ୍‌ ଜାରି କରିବା ପରେ ପରିଚାଳନା କମିଟିର ବୈଠକ ବସିଥିଲା। ରଥ ନିର୍ମାଣ କାମ ଆରମ୍ଭ କରିବା ପାଇଁ ପରିଚାଳନା କମିଟି ସରକାରଙ୍କୁ ସଚପାରିଶ କରିଥିଲେ। ହେଲେ ଲକ୍‌ଡାଉନ୍‌ ବେଳେ ରଥ ନିର୍ମାଣ କେମିତି ହେବ ତାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥିଲେ ରାଜ୍ୟ ସରକାର।

ଗୋଟିଏପଟେ ଲୋକଙ୍କ ଭାବାବେଗ ଏବଂ ଅନ୍ୟପଟେ କରୋନା ମହାମାରୀ ରଥ ନିର୍ମାଣ ପ୍ରସଙ୍ଗରେ ସରକାରଙ୍କୁ ଅଡୁଆରେ ପକାଇଥିଲା। ରଥ ନିର୍ମାଣ କାମ ପାଇଁ ଅନୁମତି ଦେଲେ କରୋନାର ଭୟ ରହିଥିବା ବେଳେ ଅନୁମତି ନଦେଲେ ନବୀନ ସରକାର ବର୍ଷ ବର୍ଷର ପରମ୍ପରା ଭାଙ୍ଗିଦେଲେ ବୋଲି ଆଲୋଚନା ହୋଇଥାନ୍ତା। ଏଣୁ ଏଥିରୁ ବର୍ତ୍ତିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ଉପରେ ନିଷ୍ପତ୍ତି ଛାଡ଼ି ଦେଇଛନ୍ତି। ରଥ ନିର୍ମାଣ କାମ ହେବ କି ନାହିଁ ସେନେଇ କେନ୍ଦ୍ର ସରକାର ଅନୁମତି ଲୋଡ଼ିଛି ରାଜ୍ୟ। ତେବେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ର ସରକାର କ’ଣ ନିଷ୍ପତ୍ତି ନେଉଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।

‘‘ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କର। ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ କେନ୍ଦ୍ରର ପରାମର୍ଶ ଲୋଡ଼ିପାରନ୍ତି। ପ୍ରତିଦିନ କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାର ଭିଡିଓ କନଫରେନ୍ସିଂରେ ଆଲୋଚନା କରୁଛନ୍ତି। ରଥଯାତ୍ରା ପ୍ରସଙ୍ଗରେ ଆଗୁଆ କ’ଣ ପାଇଁ ଆଲୋଚନା କଲେନି?’’, କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର।

କ’ଣ କରିବ କେନ୍ଦ୍ର?

ଗୋଟିଏପଟେ କରୋନାର ଭୟ ଏବଂ ଅନ୍ୟପଟେ ମହାପ୍ରଭୁଙ୍କ ରଥଯାତ୍ରା। ଏଭଳି ସ୍ଥିତିରେ କେନ୍ଦ୍ର ସରକାର ମାପିଚୁପି ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି। ରଥ ନିର୍ମାଣ ପ୍ରସଙ୍ଗ ସ୍ପର୍ଶକାତର ବିଷୟ ହୋଇଥିବାରୁ କେନ୍ଦ୍ର ସରକାର ରାଜ୍ୟ ଉପରେ ନିଷ୍ପତ୍ତି ଛାଡ଼ିପାରନ୍ତି ବୋଲି କୁହାଯାଉଛି। ଯଦି ରାଜ୍ୟ ସରକାରଙ୍କ କୋର୍ଟକୁ କେନ୍ଦ୍ର ପାଲଟା ବେଲ୍‌ ଫିଙ୍ଗନ୍ତି ତାହାଲେ ନବୀନ ସରକାର ମଧ୍ୟ ଅଡୁଆରେ ପଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ରଥଯାତ୍ରାକୁ ନେଇ ରାଜନୀତି କରାଯାଉଥିବା ସେବାୟତମାନେ ଅଭିଯୋଗ ଆଣିଛନ୍ତି।

ଦିନ ଗଡୁଛି, ନିଷ୍ପତ୍ତି ନେବାକୁ ବେଳ କାହିଁ?

ରଥଯାତ୍ରା ସମୟ ପାଖେଇ ଆସୁଛି। ଜୁନ୍‌ ୫ ତାରିଖରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା। ଏହି ତିଥିରୁ ରଥଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ହେଲେ ଏପର୍ଯ୍ୟନ୍ତ ରଥ ନିର୍ମାଣ କାମ ଆରମ୍ଭ ହୋଇନାହିଁ। ସରକାର ଏଥିପାଇଁ ଅନୁମତି ଦେବେ କି ନାହିଁ ତାକୁନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। କେନ୍ଦ୍ର ସରକାରଙ୍କଠାରୁ ଅନୁମତି ଆଣିବାର ଆଳ ଦେଖାଇ ନିଷ୍ପତ୍ତି ନେବାରେ ବିଳମ୍ବ କରୁଛନ୍ତି। ଯଦି ବିଳମ୍ବରେ ରଥ ନିର୍ମାଣ ପାଇଁ ଅନୁମତି ଦିଅନ୍ତି ତାହାଲେ ନିର୍ଦ୍ଧାରିତ ସମୟରେ ରଥ କାମ ଶେଷ ହେବ କି ବୋଲି ପ୍ରଶ୍ନବାଚୀ ଉଠିଛି।

ପବିତ୍ର ଅକ୍ଷୟ ତୃତୀୟାରେ ରଥକାଠ ଅନୁକୂଳ ହେବା ପରେ ରଥ ନିର୍ମାଣ କାମ ଆରମ୍ଭ ହୋଇଥାଏ। ହେଲେ ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାମ ଆରମ୍ଭ ହୋଇନି। ଆଜି ନୃସିଂହ ଚତୁର୍ଦ୍ଦଶୀ। ରଥ ନିର୍ମାଣ କାମ ଆରମ୍ଭ କରିବା ପାଇଁ ଶୁଭ ମୁହୂର୍ତ୍ତ। ହେଲେ ଆଜି ଭଳି ତିଥିରେ ରାଜ୍ୟ ସରକାର କେନ୍ଦ୍ରର ଅନୁମତି ଲୋଡ଼ିଛନ୍ତି। କେନ୍ଦ୍ର ଏବିଷୟରେ କ’ଣ ଉତ୍ତର ଦେବ ତାକୁ ହିଁ ସମସ୍ତେ ଅପେକ୍ଷା କରିଛନ୍ତି। ଆଜି କିମ୍ବା କାଲି ଭିତରେ ଯଦି କେନ୍ଦ୍ର ସରକାର କିଛି ଉତ୍ତର ନଦିଅନ୍ତି ତାହାଲେ ରଥ ନିର୍ମାଣ କାମ ବିଳମ୍ବ ହୋଇଯିବ।

ଭଉଁରୀ ତିଥିରେ ରଥ ଚକ ଅନୁକୂଳ ହେବାର ପରମ୍ପରା ରହିଛି। ସେହିପରି ନେତ୍ରୋତ୍ସବ ଦିନ ତିନି ରଥ ସଂହଦ୍ୱାର ସମ୍ମୁଖକୁ ଯିବାର ପରମ୍ପରା ରହିଛି। ହେଲେ ରଥ ନିର୍ମାଣ ପ୍ରସଙ୍ଗରେ ସରକାର କୌଣସି ନିଷ୍ପତ୍ତି ନେଇପାରୁ ନଥିବାରୁ ରଥଯାତ୍ରା ଅନିଶ୍ଚିତତାରେ ରହିଛି। ଯଦି ସରକାର ବିଳମ୍ବରେ ଅନୁମତି ଦିଅନ୍ତି ତାହାଲେ ନିର୍ଦ୍ଦିଷ୍ଟ ତିଥିରେ ଯାହା ହେବା କଥା ତାହା ହୋଇପାରିବ ନାହିଁ ବୋଲି ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର କହିଛନ୍ତି।

ସରକାର କାହିଁକି ଦ୍ୱନ୍ଦ୍ୱରେ?

କରୋନା ସଙ୍କଟ ବେଳେ ରଥଯାତ୍ରା କରିବେ କି ନାହିଁ ସରକାର ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ରଥଯାତ୍ରା ହେଲେ ସାମାଜିକ ଦୂରତା କେମିତି ରକ୍ଷା କରାଯାଇ ପାରିବ ସେନେଇ କୌଣସି ନର୍ଯ୍ୟାସ ବାହାରି ପାରୁ ନଥିବାରୁ ସରକାର  ଚିନ୍ତାରେ ପଡ଼ିଥିବା କୁହାଯାଉଛି।

ସାମାଜିକ ଦୂରତା ରକ୍ଷା କରାଯାଇ ପାରିବ ନାହିଁ ବୋଲି ଶ୍ରୀମନ୍ଦିରକୁ ପ୍ରାୟ ଦେଢ଼ ମାସ ହେଲା ସର୍ବସାଧାରଣଙ୍କ ଦର୍ଶନ ପାଇଁ ବନ୍ଦ ରଖାଯାଇଛି। ସେହିପରି ରଥକାଠ ଅନୁକୂଳ ଶ୍ରୀମନ୍ଦିର ଭିତରେ ହୋଇଥିବା ବେଳେ ଚନ୍ଦନ ଯାତ୍ରା ମଧ୍ୟ ଶ୍ରୀମନ୍ଦିର ପରିସରରେ ହେବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି। ରଥଯାତ୍ରାରେ ଅଧିକ ସେବାୟତଙ୍କ ଆବଶ୍ୟକତା ଥିବାରୁ ସରକାର କ’ଣ କରିବେ ସେନେଇ କୌଣସି ରିସ୍କ ନନେଇ କେନ୍ଦ୍ର ଉପରେ ଛାଡ଼ି ଦେଇଥିବା ଚର୍ଚ୍ଚା ହେଉଛି।

ଶ୍ରୀମନ୍ଦିରରୁ ରଥ ଉପରକୁ ମହାପ୍ରଭୁ ଗୋଟି ପହଣ୍ଡିରେ ଆସିଥାନ୍ତି। ଏଥିପାଇଁ ୧୦୦ରୁ ଅଧିକ ସେବାୟତ ପହଣ୍ଡି ବିଜେରେ ଲାଗିଥାନ୍ତି। ସେହିପରି ଅନ୍ୟ ନୀତିକାନ୍ତି ପାଇଁ ମଧ୍ୟ ସେବାୟତଙ୍କର ଆବଶ୍ୟକତା ରହିଛି। କରୋନା ସଙ୍କଟ ବେଳେ ଏସବୁ ନୀତି କେମିତି ସମ୍ପନ୍ନ ହେବ ତାହା ସରକାରଙ୍କୁ ଅଡୁଆରେ ପକାଇ ଦେଇଛି। ଏଣୁ ସରକାର ରଥଯାତ୍ରା ସମ୍ପର୍କରେ କୌଣସି ସ୍ପଷ୍ଟ ଉତ୍ତର ଦେଇପାରୁ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି।

Comment