ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଗଞ୍ଜାମ ଜିଲ୍ଲାକୁ ରେଡ୍ ଜୋନ୍ ଭାବେ ଘୋଷଣା କଲେ ରାଜ୍ୟ ସରକାର। ଜିଲ୍ଲାରେ ପଜିଟିଭ୍ କେସ୍ ଦ୍ରୁତଗତିରେ ବୃଦ୍ଧି ପାଉଥିବା କାରଣରୁ ଏହାକୁ ରେଡ୍ ଜୋନରେ ସାମିଲ କରାଯାଇଛି। ଏଥିସହ ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାକୁ ମଧ୍ୟ ଅରେଞ୍ଜ୍ ଜୋନ ଭାବେ ଘୋଷଣା କରାଯାଇଛି।

ଗୁରୁବାର ରାଜ୍ୟରେ ଏକାଥରକେ ୨୦ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୧୭ ଜଣ ହୋଇଥିବାବେଳେ ମୟୁରଭଞ୍ଜ ଜିଲ୍ଲାରୁ ୩ ଜଣ ଜଣାପଡ଼ିଥିଲେ। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାକୁ ରେଡ୍ ଜୋନ୍ ଓ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ୍ ଜୋନ୍ ଘୋଷଣା କରାଯାଇଛି।

ସେହିପରି ଗତକାଲି ଜଗତସିଂହପୁରେ ୪ ଜଣ ପଜିଟିଭ୍ ଧରାପଡ଼ିଛନ୍ତି। ଏହାପରେ ଆଜି ରାଜ୍ୟ ସରକାର ଏହାକୁ ଅରେଞ୍ଜ୍ ଜୋନ୍ ଭାବେ ଘୋଷଣା କରିଛନ୍ତି। ରାଜ୍ୟରେ ଏବେ ୨୦୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଗଞ୍ଜାମରେ ୨୧ଜଣ, ମୟୂରଭଞ୍ଜରେ ୩ ଜଣ ଓ ଜଗତସିଂହପୁରରେ ୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହାପୂର୍ବରୁ ଭୁବନେଶ୍ୱର ମହାନଗର ଅଞ୍ଚଳ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ରେଡ୍ ଜୋନରେ ଥିଲା। ବର୍ତ୍ତମାନ ନୂଆ ଜିଲ୍ଲା ଭାବେ ଗଞ୍ଜାମ ରେଡ ଜୋନରେ ସାମିଲ ହୋଇଛି।

Comment