ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଗୋଟିଏ ସପ୍ତାହ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ କିଭଳି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ‘ଶୂନ’ରୁ ବୃଦ୍ଧି ପାଇ ‘ଶହେ’ରେ ପହଞ୍ଚିଛି ଜାଣନ୍ତୁ,ଏହି ସ୍ୱତନ୍ତ୍ର ରିପୋର୍ଟରେ…..

ଗଞ୍ଜାମ ଜିଲ୍ଲା ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି ସୁରତ ଫେରନ୍ତା। ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ‘ଶୂନ’ ଥିବାବେଳେ ଏବେ ଏହି ସଂଖ୍ୟା ‘ଶହେ’ ଟପିଛି। ଫଳରେ ଦକ୍ଷିଣ ଓଡ଼ିଶାର ଏହି ଜିଲ୍ଲାଟି କରୋନା ସଂକ୍ରମିତ ଜିଲ୍ଲାମାନଙ୍କ ମଧ୍ୟରେ ନମ୍ବର ୱାନରେ ପହଞ୍ଚିଯାଇଛି।

ତେବେ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା କିଭଳି ଭାବେ ‘ଶୂନ’ରୁ ‘ଶହେ’ ହୋଇଛି ଜାଣନ୍ତୁ…..

ଗଞ୍ଜାମରେ ଆଗୁଆ ପଦକ୍ଷେପ

କରୋନା ଯେତେବେଳେ ଓଡ଼ିଶାରେ ପ୍ରବେଶ କଲା ଏବଂ ଭୁବନେଶ୍ୱର ସମେତ ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ଜଣକ ପରେ ଜଣେ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ସେତେବେଳେ ଗଞ୍ଜାମ କରୋନା ଆକ୍ରାନ୍ତଙ୍କଠାରୁ ଢ଼େର ଦୂରରେ ରହିଥିଲା।

ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଆଗୁଆ ପଦକ୍ଷେପ ଜିଲ୍ଲାକୁ ସୁରକ୍ଷିତ କରି ରଖି ପାରିଥିଲା। ପ୍ରତିଦିନର ୧୯ ଘଣ୍ଟିଆ ସଟଡାଉନ୍ ସହ ଜିଲ୍ଲାପାଳ ଦୋକାନ ବଜାର ଖୋଲିବା ଉପରେ କଟକଣା ଲଗାଇଥିଲେ। ଏପରିକି ବାଇକ୍ ଧରି ଆସିଲେ ଗ୍ରୋସରୀ ସାମଗ୍ରୀ ମିଳିବନି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା କରାଯାଇଥିଲା। ଏପରିକି ରାଜ୍ୟ ସରକାର ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିବା ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଏହାକୁ ପ୍ରଥମେ ବାଧ୍ୟତାମୂଳକ କରାଯାଇଥିଲା। ଯାହା ଫଳରେ ଏପ୍ରିଲ୍ ଶେଷ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ କୌଣସି ପଜିଟିଭ୍ ଚିହ୍ନଟ ହୋଇନଥିଲେ।

ମେ ପହିଲାରେ ପ୍ରଥମ ପଜିଟିଭ୍

କରୋନା ପାଇଁ ସାରା ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଶେଷ ହୋଇ ମେ ୩ରୁ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଆରମ୍ଭ ହୋଇଥିଲା। ହେଲେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଆରମ୍ଭ ହେବା ପୂର୍ବରୁ ସୁରତରେ ଅଟକି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ନେଇ ୪ଟି ବସ୍ ଗଞ୍ଜାମ ଫେରିଥିଲା। ଯେଉଁଥିରେ ୨ଶହରୁ ଅଧିକ ଲୋକ ଓଡ଼ିଶା ଫେରିଥିଲେ। ସୁରତ ଜିଲ୍ଲା ପ୍ରଶାସନର ଅନୁମତିରେ ଏପ୍ରିଲ୍ ୨୭ରେ ବାହାରିଥିବା ଏହି ବସ୍ ୩୦ ତାରିଖରେ ଗଞ୍ଜାମରେ ପହଞ୍ଚିଥିଲା।ଏହାପରେ ପ୍ରଥମ ଥର ପାଇଁ ମେ ୨ ତାରିଖରେ ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସୁରତ ଫେରନ୍ତା ଦୁଇ ଜଣ ଯୁବକଙ୍କଠାରେ କରୋନା ଭାଇରସ ଦେଖିବାକୁ ମିଳିଥିଲା। ଏହାପରେ ଏହି ସଂଖ୍ୟା ପୁଣି ବଢ଼ିବାକୁ ଆରମ୍ଭ କରିଥିଲା। ୪ ଓ ୫ ତାରିଖରେ ଜିଲ୍ଲାରେ ପୁଣି ଦୁଇଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ମାତ୍ର ଚାରିଦିନରେ ଦିନରେ ଚାରିଜଣ ପଜିଟିଭ୍ ଚିହ୍ନଟ ହେବା ଜିଲ୍ଲା ପ୍ରଶାସନର ନିଦ ହଜେଇ ଦେଇଥିଲା। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ଲୋକଙ୍କ ମନରେ ଭୟର ପରିମାଣ ମଧ୍ୟ ବୃଦ୍ଧି ଘଟିଥିଲା।

ରେଡ୍ ଜୋନରେ ଗଞ୍ଜାମ

ଜିଲ୍ଲାରେ ଚାରିଦିନରେ ଚାରିଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଚାରିଆଡ଼େ ଭୟର ବାତାବରଣ ଖେଳିଯାଇଥିଲା। ହେଲେ ୭ ତାରିଖରେ ଜିଲ୍ଲାରେ ଏକାଥରକେ ୧୭ ଜଣ ପଜିଟିଭ୍ ଚିହ୍ନଟ ହେଲେ। ଯାହା ଫଳରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଯାଇଥିଲା। ଗ୍ରୀନ୍ ଜୋନରେ ଥିବା ଗଞ୍ଜାମ ଜିଲ୍ଲାକୁ ରାଜ୍ୟ ସରକାର ରେଡ୍ ଜୋନକୁ ଆଣିଥିଲେ।

ସୁରତରୁ ଗଞ୍ଜାମ ଫେରିଲେ ଓଡ଼ିଆ

ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଖୋଲିବା ପରେ କେନ୍ଦ୍ର ସରକାର ଶ୍ରମିକ ସ୍ପେଶାଲ ଟ୍ରେନର ଶୁଭାରମ୍ଭ କରିଥିଲେ। ଯେଉଁଥିରେ ଅନ୍ୟ ରାଜ୍ୟରେ ଫସି ରହିଥିବା ଶ୍ରମିକମାନେ ଟ୍ରେନ ଯୋଗେ ନିଜ ରାଜ୍ୟକୁ ଫେରିପାରିବେ। ଏହି କ୍ରମରେ ସୁରତରେ ଫସି ରହିଥିବା ଅନେକ ଲୋକ ଓଡ଼ିଶା ଫେରିଥିଲେ। ଏହା ମଧ୍ୟରେ ସବୁଠୁ ଅଧିକ ଥିଲେ ଗଞ୍ଜାମ ଜିଲ୍ଲାର।

ସୁରତ ଫେରନ୍ତାମାନେ ଓଡ଼ିଶା ଫେରିବା ପରେ ଗଞ୍ଜାମ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଲା। ୭ ତାରିଖ ସୁଦ୍ଧା ଜିଲ୍ଲାରେ ୨୧ରେ ଥିବା ପଜିଟିଭ୍ ସଂଖ୍ୟା ୯ ତାରିଖ ବେଳକୁ ୮୩ ଛୁଇଁଯାଇଥିଲା। ସେତେବଳକୁ ଯାଜପୁର ଓ ଭୁବନେଶ୍ୱରକୁ ଟପି ଗଞ୍ଜାମ ଜିଲ୍ଲା ସଂକ୍ରମିତ ଜିଲ୍ଲା ତାଲିକାରେ ସବୁଠୁ ଉପରେ ରହିଥିଲା।

ଶହେ ଟପିଲା ଆକ୍ରାନ୍ତ

ରବିବାର ଗଞ୍ଜାମ ଜିଲ୍ଲାରେ ଆଉ ୨୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନେ ସମସ୍ତେ ସୁରତରୁ ଫେରିଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଫଳରେ ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୦ ଟପିଥିବାବେଳେ କେବଳ ଗଞ୍ଜାମ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୧୦୦ ଟପିଛି। ଏବେ ଗଞ୍ଜାମ ଜିଲ୍ଲାରେ ମୋଟ ପଜିଟିଭ୍ ସଂଖ୍ୟା ୧୧୮ରେ ରହିଛି।

ଗଞ୍ଜାମରେ କରୋନାରେ ଜଣେ ମୃତ

ଅନ୍ୟପଟେ ରବିବାର ଗଞ୍ଜାମ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି।

ଆଗାମୀ ଦିନରେ ଆହୁରି ଅଧିକ ପ୍ରବାସୀ ଓଡ଼ିଆ ଗଞ୍ଜାମ ଜିଲ୍ଲାକୁ ଫେରିବେ ବୋଲି ଅନୁମାନ କରାଯାଉଛି। ଯାହାର ଫଳସ୍ୱରୂପ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ଆହୁରି ଅଧିକ ବୃଦ୍ଧି ପାଇବା ନିଶ୍ଚୟ। ତେବେ ରାଜ୍ୟ ସରକାର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ କରୋନା ଭାଇରସକୁ କିଭଳି ନିୟନ୍ତ୍ରଣାଧୀନ କରୁଛନ୍ତି ତାକୁ ହିଁ ଲୋକମାନେ ଅନେଇ ବସିଛନ୍ତି।

Comment