ଓଡ଼ିଶାଲାଇଭ୍ ବ୍ୟୁରୋ

Amphan

ସାମୁଦ୍ରିକ ମହାବାତ୍ୟା ରୂପରେ ପାଖେଇ ଆସୁଥିବା ଅମ୍ପନର ମୁକାବିଲା ପାଇଁ ଚାଲିଛି ଜୋରଦାର୍ ପ୍ରସ୍ତୁତି। ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଏକ ଭିଡିଓ ଜରିଆରେ ଲୋକମାନଙ୍କୁ ସଚେନନ କରାଇଛନ୍ତି। ମହାବାତ୍ୟା ପ୍ରଭାବରେ ଭଦ୍ରକ ଜିଲ୍ଲାରେ ଅଧିକରୁ ଅଧିକ ବର୍ଷା ସହ ପ୍ରବଳ ବେଗରେ ପବନ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଏହାର ପ୍ରଭାବ ବିଶେଷ କରି ଆଜି ସଂଧ୍ୟାରୁ କାଲି ଯାଏଁ ଅନୁଭୂତ ହେବ।

ଭଦ୍ରକ ଜିଲ୍ଲାର ବାସୁଦେବପୁର, ଚାନ୍ଦବାଲି, ଧାମରା, ତିହିଡ଼ି ଆଦି ସ୍ଥାନଗୁଡ଼ିକରେ ଅମ୍ପନର ପ୍ରଭାବ ଦେଖିବାକୁ ମିଳିବ। ଏଥିମଧ୍ୟରୁ ବାସୁଦେବପୁର ଏବଂ ଚାନ୍ଦବାଲିରେ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ହାଇ ଆଲର୍ଟ ଜାରି କରାଯାଇସାରିଛି। ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଉଛି। ମାଟି ତଥା ଟିଣ ଛପ୍ପର ଘରେ ରହୁଥିବା ଲୋକମାନଙ୍କୁ ପକ୍କା ଆଶ୍ରୟସ୍ଥଳୀକୁ ଯିବା ପାଇଁ ବାର୍ତ୍ତା ପଠାଇଛନ୍ତି ଜିଲ୍ଲାପାଳ। ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ଏବଂ ODRAF ଟିମ୍ ପ୍ରସ୍ତୁତ ରହିଛି।

Amphan-10 chudamani

ବୟସ୍କ, ଗର୍ଭବତୀ, ଛୋଟପିଲା ତଥା ଭିନ୍ନକ୍ଷମମାନଙ୍କୁ ପ୍ରଥମେ ସ୍ଥାନାନ୍ତର କରାଯିବ। ଆଶ୍ରୟସ୍ଥଳୀଗୁଡ଼ିକରେ ସବୁପ୍ରକାର ବ୍ୟବସ୍ଥା କରାଯାଇଥିବାର ଜିଲ୍ଲାପାଳ ଜ୍ଞାନ ଦାସ ଭିଡିଓରେ କହିଛନ୍ତି। ବାତ୍ୟା ସମୟରେ ପ୍ରବଳ ବେଗରେ ପବନ ବହିବାର ସମ୍ଭାବନା ରହିଛି ଏବଂ ଏହି ସମୟରେ ଗଛରୁ ଆମ୍ବ, ନଡ଼ିଆ ପଡ଼ିପାରେ, ଗଛ ଡାଳ ମଧ୍ୟ ଭାଙ୍ଗିଯାଇପାରେ ବା ବିଜୁଳି ଖୁଣ୍ଟ ଉପୁଡ଼ି ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଏହି ସମୟରେ କେହି ଘରୁ ନ ବାହାରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

ତେବେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇ ଘଣ୍ଟାକୁ ୧୭ କିଲୋମିଟର ବେଗରେ ମାଡ଼ି ଆସୁଛି ବାତ୍ୟା ଅମ୍ପନ। ପାରାଦୀପଠାରୁ ବାତ୍ୟା ୪୨୦ କିଲୋମିଟର ଦୂରରେ ରହିଛି। ଦୀଘାଠାରୁ ୫୭୦ କିଲୋମିଟର ସୂରରେ ରହିଥିବା ବେଳେ ବାଂଲାଦେଶଠାରୁ ୭୦୦ କିଲୋମିଟର ଦୂରରେ ରହିଛି ଅମ୍ପନ।

Comment