ଓଡ଼ିଶାଲାଇଭ୍ ବ୍ୟୁରୋ

ବରଫ ପାହାଡ଼ର ରଙ୍ଗ ସବୁଜ। ଆଜ୍ଞା ହଁ, ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆଣ୍ଟାର୍କଟିକାରେ। ଏଠାରେ ଥିବା ବରଫ ପାହାଡ଼ ନିଜର ରଙ୍ଗ ବଦଳାଇ ଧଳାରୁ ସବୁଜ ରଙ୍ଗରେ ପରିଣତ ହେଇଯାଇଛି। ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥା ଟି ସତ।
ବାୟୁମଣ୍ଡଳରେ ଜଳବାୟୁର ପରିବର୍ତ୍ତନ ଲାଗି ରହିଛି। ଏହାର ପ୍ରଭାବ ମଣିଷଠାରୁ ଆରମ୍ଭ କରି ଜୀବଜନ୍ତୁ,ଗଛପତ୍ର ସବୁ ଉପରେ ପଡ଼ିଥାଏ। ତେବେ ପ୍ରକୃତିର ଏହି ପରିବର୍ତ୍ତନର ବିଶେଷ ପ୍ରଭାବ ପଡ଼ିଛି ଆଣ୍ଟାର୍କଟିକାର ଏହି ବରଫ ପାହାଡ଼ ଉପରେ। ଆକର୍ଷଣର କେନ୍ଦ୍ରବିନ୍ଦୁ ଥିବା ଏହି ବରଫ ପାହାଡ଼ଗୁଡ଼ିକର ଏଭଳି ପରିବର୍ତ୍ତିତ ରୂପ ସମସ୍ତଙ୍କୁ ଚକିତ କରିଛି। ବୈଜ୍ଞାନିକମାନେ ଏହି ପରିବର୍ତ୍ତିତ ରଙ୍ଗ ପଛର କାରଣ ଖୋଜିବାରେ ଲାଗିଛନ୍ତି।
ବୈଜ୍ଞାନିକଙ୍କ କହିବା ଅନୂଯାୟୀ ଆଣ୍ଟାର୍କଟିକାର ଏହି ବରଫ ପାହାଡ଼ର ରଙ୍ଗ ବଦଳେଇବାର କାରଣ ହେଉଛି ସେଠାରେ ଥିବା ଶୈବାଳ। ଏହି ଅଞ୍ଚଳରେ ଦିନକୁ ଦିନ ବଢ଼ିଚାଲିଥିବା ଶୈବାଳର ପରିମାଣ ଯୋଗୁଁ ପାହାଡ଼ ଉପରେ ଜମା ଥିବା ବରଫର ରଙ୍ଗ ସବୁଜ ହେବାରେ ଲାଗିଛି।

ୟୁରୋପିଆନ୍ ସ୍ପେଶ୍ ଏଜେନ୍ସି ନିଜର ସାଟେଲାଇଟ୍ ମାଧ୍ୟମରେ ରିସର୍ଚ୍ଚ କରିଥିଲା। ଶୈବାଳ କାର୍ବନ ଡାଇଅକ୍ସାଇଡ୍କୁ ବାୟୁମଣ୍ଡଳରୁ ଶୋଷି ନେଇଥାଏ ଏବଂ ଏହି ଗ୍ୟାସ୍ ଅଧିକ ଥିବା ସ୍ଥାନରେ ଶୈବାଳଙ୍କ ପରିମାଣ ମଧ୍ୟ ବଢ଼ିଯାଇଥାଏ। ବୈଜ୍ଞାନିକଙ୍କ କହିବା ଅନୂଯାୟୀ ଆଣ୍ଟାର୍କଟିକାର ଏହି ସ୍ଥାନରେ ଅଧିକ ଗାଡ଼ି ଚଳାଚଳ ଯୋଗୁଁ ଏଠାରେ କାର୍ବନ ଡାଇଅକ୍ସାଇଡର ପରିମାଣ ବଢ଼ିଯାଇଛି ଏବଂ ଯାହା ଦ୍ୱାରା ଏଠାରେ ଶୈବାଳର ପରିମାଣ ମଧ୍ୟ ବଢ଼ିଯାଇଛି। ଏହି କାରଣ ଯୋଗୁଁ ହିଁ ଏଠାକାର ବରଫ ପାହାଡ଼ ବର୍ତ୍ତମାନ ସବୁଜ ରଙ୍ଗ ଧାରଣ କରିବାରେ ଲାଗିଛନ୍ତି।

















