ଓଡ଼ିଶାଲାଇଭ୍ ବ୍ୟୁରୋ
ପାକିସ୍ତାନରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। କରାଚି ବିମାନ ବନ୍ଦରରେ ଯାତ୍ରୀବାହୀ ବିମାନଟି ଲ୍ୟାଣ୍ଡିଂ କରିବା ପୂର୍ବରୁ ତଳକୁ ଖସି ପଡ଼ିଥିଲା। ବର୍ତ୍ତମାନସୁଦ୍ଧା ମୃତାହତଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଏହି ବିମାନରେ ୯୮ ଜଣ ଯାତ୍ରୀ ଥିଲେ।
ଏ-୩୨୦ ନମ୍ବର ବିଶିଷ୍ଟ ବିମାନ ଯାତ୍ରୀଙ୍କୁ ନେଇ ଲାହୋରରୁ କରାଚି ଆସୁଥିଲା। ହେଲେ ଜିନ୍ନା ପାର୍କ ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ତଳେ ପଡ଼ିଯିବା ପରେ ପ୍ରବଳ ଧୂଆଁ ବାହାରିଥିଲା। ଦୁର୍ଘଟଣାସ୍ଥଳରେ ଆମ୍ବୁଲାନ୍ସ, ପୋଲିସ ଏବଂ ବିମାନ ବନ୍ଦର କର୍ତ୍ତୃପକ୍ଷ ପହଞ୍ଚିଛନ୍ତି।
୯୮ ଜଣଙ୍କ ମଧ୍ୟରୁ ୮୫ ଜଣ ଇକୋନମିକ୍, ୬ ଜଣ ବିଜିନେସ୍ କ୍ଲାସ ଯାତ୍ରୀ ଥିଲେ। ବାକି ୭ ଜଣ ବିମାନ କର୍ମଚାରୀ ଥିଲେ।
ବିମାନ ଦୁର୍ଘଟଣାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
ବିମାନଟି ଜନବସତି ଅଞ୍ଚଳରେ ଖସିପଡ଼ିଥିବା ଜଣାପଡ଼ିଛି। ଫଳରେ କିଛି ଘର ମଧ୍ୟ ଜଳି ଯାଇଛି। ସଂପୃକ୍ତ ଅଞ୍ଚଳରେ କଳା ଧୂଆଁ ଆଚ୍ଛାଦିତ ହୋଇଯାଇଥିଲା। ଧୂଆଁରେ କିଛି ଦେଖାଯାଉ ନଥିଲା। ପାକିସ୍ତାନ ସେନା ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।