ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ପାଇଁ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ପାଇଁ ଆଡଭାନ୍ସ ପ୍ୟାକେଜ ଘୋଷଣା କଲେ ମୋଦୀ।

ବାତ୍ୟା ‘ଅମ୍ପନ’ ପାଇଁ ଅଡଭାନ୍ସ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପଶ୍ଚିମବଙ୍ଗ ପାଇଁ ହଜାରେ କୋଟି ଏବଂ ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କାର ଅଗ୍ରୀମ ସହାୟତା ଘୋଷଣା କରିଛନ୍ତି। ମୋଦୀଙ୍କର ଏହି ଆଡଭାନ୍ସ ବାତ୍ୟା ପ୍ୟାକେଜକୁ ନେଇ ରାଜନୀତି ଜୋର୍‌ ଧରିଛି।

ଗତ ୨୦ ତାରିଖରେ ବାତ୍ୟା ଅମ୍ପନ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ସୀମା ସୁନ୍ଦରବନରେ ସ୍ଥଳଭାଗ ଛୁଇଁଥିଲା। ଏହାର ପ୍ରଭାବରେ ପଶ୍ଚିମବଙ୍ଗ ୪ଟି ଜିଲ୍ଲା ଛାରଖାର ହୋଇଯାଇଥିଲା। ଓଡ଼ିଶାର ୪ଟି ଜିଲ୍ଲା ମଧ୍ୟ ପ୍ରଭାବିତ ହୋଇଥିଲା।

ବାତ୍ୟା ଯିବାର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଓ ଓଡ଼ିଶାର ବାତ୍ୟା ପ୍ରଭାବିତ ଜିଲ୍ଲା ପରିଦର୍ଶନ କରିଛନ୍ତି। ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଆଧାରରେ ଏହି ଦୁଇ ରାଜ୍ୟ ପାଇଁ ଆଡଭାନ୍ସ ସହାୟତା ଘୋଷଣା କରି ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି।

ସବୁଠୁ ବଡ଼ କଥା ହେଉଛି ମୋଦୀ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ବାତ୍ୟାଞ୍ଚଳ ସ୍ଥିତି ଆକାଶମାର୍ଗରୁ ଅନୁଧ୍ୟାନ କରୁଥିବା ବେଳେ ଭିଡିଓ କନଫରେନ୍ସିଂରେ ବିରୋଧୀ ଦଳର ନେତା ଏକାଠି ହୋଇଥିଲେ। ବାତ୍ୟା ଅମ୍ପନକୁ ଜାତୀୟ ବିପତ୍ତି ଘୋଷଣା କରିବାକୁ ଦାବି କରିଥିଲେ। ଏହାରି ଭିତରେ ମୋଦୀ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ପାଇଁ ଆଡଭାନ୍ସ ସହାୟତା ଘୋଷଣା କରି ବିରୋଧୀଙ୍କୁ କଡ଼ା ଜବାବ ଦେଇଥିବା କୁହାଯାଉଛି।

ଏପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋଦୀଙ୍କ ଆଡଭାନ୍ସ ସହାୟତାରେ ସନ୍ତୁଷ୍ଟ ହୋଇ ନାହାନ୍ତି। ମୋଦୀ ପଶ୍ଚିମବଙ୍ଗ ଛାଡ଼ିବାର ମାତ୍ର କେଇ ମିନିଟ୍‌ ଭିତରେ ମମତା ସିଧା ମୋଦୀଙ୍କ ପ୍ୟାକେଜକୁ ତୀର ମାରିଛନ୍ତି। ସେ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ୧ ଲକ୍ଷ ୬୦ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ତେବେ ହଜାରେ କୋଟିରେ କ’ଣ ହେବ?

ମମତା ବାନାର୍ଜୀ ଏବଂ ବିରୋଧୀ ଦଳଙ୍କ ଆରୋପ ପ୍ରତ୍ୟାରୋପ ଭିତରେ ମୋଦୀଙ୍କ ଆଡଭାନ୍ସ ପ୍ୟାକେଜକୁ ନେଇ ରାଜନୀତି ତେଜିଛି। ମୋଦୀ କାହିଁକି ଏହି ଦୁଇ ରାଜ୍ୟ ପାଇଁ ଆଡଭାନ୍ସ ସହାୟତା ରାଶି ଘୋଷଣା କଲେ ବୋଲି ପ୍ରଶ୍ନବାଚୀ ଉଠିଛି।

ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ହେବ ବିଧାନସଭା ନିର୍ବାଚନ। ନିର୍ବାଚନ ପୂର୍ବରୁ ବାତ୍ୟା ଅମ୍ପନ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଛି। ୮୦ ଲୋକଙ୍କ ଜୀବନ ନେଇଥିବା ବେଳେ ବହୁ କଚ୍ଚା ଘର ଭାଙ୍ଗିଛି। ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ବାତ୍ୟା ପ୍ରମୁଖ ପ୍ରସଙ୍ଗ ପାଲଟିବାକୁ ଯାଉଛି। ଏଣୁ ମୋଦୀ ନିଜେ ବାତ୍ୟା ଯିବାର ଗୋଟିଏ ଦିନ ପରେ ପଶ୍ଚିମବଙ୍ଗକୁ ଆସି ଆଡଭାନ୍ସ ପ୍ୟାକେଜ ଘୋଷଣା କରିଥିବା ଚର୍ଚ୍ଚା ହେଉଛି।

ସେହିପରି ଓଡ଼ିଶାରେ ଆଗକୁ ରହିଛି ପୌର ଏବଂ ପଞ୍ଚାୟତ ନିର୍ବାଚନ। ଏଣୁ ଏହାକୁ ଦୃଷ୍ଟିରେ ରଖି ମୋଦୀ ଓଡ଼ିଶା ପାଇଁ ଆଡଭାନ୍ସା ରାଶି ଘୋଷଣା କରିଥିବା କୁହାଯାଉଛି।

ମୋଦୀ ଯେବେଠୁ ପ୍ରଧାନମନ୍ତ୍ରୀ ହେଲେଣି ସେବେଠୁ ତାଙ୍କ ଫୋକସ୍‌ ପୂର୍ବ ଭାରତ ଉପରେ ରହିଛି। ପୂର୍ବ ଭାରତରେ ଥିବା ବିଭିନ୍ନ ରାଜ୍ୟରେ କେମିତି ବିଜେପି ଶାସନ ଚାଲିବ ସେଥିପାଇଁ ମୋଦୀ ରଣନୀତି ପ୍ରସ୍ତୁତ କରୁଛନ୍ତି। ହେଲେ ତାହା ସଫଳ ହୋଇପାରୁନି। ପଶ୍ଚିମବଙ୍ଗରେ ମମତା ଏବଂ ଓଡ଼ିଶାରେ ନବୀନଙ୍କ ଗଡ଼କୁ ଭାଙ୍ଗିବାରେ ବିଜେପି ସଫଳ ହୋଇପାରିନି। ଆଗକୁ ପଶ୍ଚିମବଙ୍ଗରେ ଆସୁଥିବା ବିଧାନସଭା ନିର୍ବାଚନ ଏବଂ ଓଡ଼ିଶାର ପୌର ଓ ପଞ୍ଚାୟତ ନିର୍ବାଚନରେ ବିଜେପିର ସ୍ଥିତିକୁ ସୁଦୃଢ଼ କରିବା ଲାଗି ମୋଦୀ ବାତ୍ୟା ସମୟରେ ଆଡଭାନ୍ସ କାର୍ଡ ଖେଳିଥିବା ରାଜନୀତି କରିଡରରେ ଚର୍ଚ୍ଚା ହେଉଛି।

Comment