ଓଡ଼ିଶାଲାଇଭ୍‌ ବ୍ୟୁରୋ 

କରୋନାର ଆତଙ୍କ ମଧ୍ୟରେ ଏବର୍ଷ ରଥଯାତ୍ରାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ତେବେ ଏବର୍ଷର ରଥଯାତ୍ରା ହେବ କି ନାହିଁ ତାହା ତ ପରବର୍ତ୍ତୀ ସମୟରେ ସରକାର ନିଷ୍ପତ୍ତି ନେବେ। କିନ୍ତୁ ରୀତିନୀତି ଅନୁସାରେ ଏବର୍ଷ ରଥ ନିର୍ମାଣ ପାଇଁ ଜୟପୁର ଦେବୋତ୍ତର ବିଭାଗ ଆଜି ଉପଦେଷ୍ଟାଙ୍କ ଏକ ବୈଠକରେ ନିଷ୍ପତ୍ତି ନେଇଛି।

ରଥଯାତ୍ରା ହେଉ କି ନହେଉ କିନ୍ତୁ ଠାକୁରଙ୍କ ରୀତିନୀତି ବଜାୟ ରଖିବା ସଂପର୍କରେ ଦେବୋତ୍ତର ବିଭାଗର ସମସ୍ତ ସଦସ୍ୟ ମତ ଦେଇଥିଲେ। ଯାହାକୁ ଜୟପୁର ତହସିଲଦାର ସହମତି ଦେଇଥିଲେ। ସର୍ବାଧିକ ୩୦ ଜଣ ସେବାୟତଙ୍କୁ ନେଇ ଏଥର ସ୍ନାନ ଯାତ୍ରା କରିବାକୁ ପ୍ରଶାସନ ଚିନ୍ତା କରୁଥିବା ତହସିଲଦାର କହିଥିଲେ।

ସେହିପରି ଜୟପୁର ଦେବୋତ୍ତର ବିଭାଗ ପାଇଁ ରାଜ୍ୟ ସରକାରଙ୍କ ଏଣ୍ଡାମେଣ୍ଟ କମିଶନର ୧୩ ଜଣ ଉପଦେଷ୍ଟା ମନୋନୀତ କରିଥିବାରୁ ସେମାନଙ୍କ ଆଜି ପ୍ରଥମ ବୈଠକ ତହସିଲଦାରଙ୍କ ଉପସ୍ଥିତିରେ ହୋଇଥିଲା ଏବଂ ବରିଷ୍ଠ ସଦସ୍ୟ ଲାଲ ମୋହନ ମିଶ୍ରଙ୍କୁ ଉପଦେଷ୍ଟା ମଣ୍ଡଳୀର ସଭାପତି ଭାବେ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି।

ସେହିପରି ଆଗାମୀ ଦିନରେ ଦେବୋତ୍ତର ବିଭାଗର କାମ ସୁଚାରୁ ରୂପେ ତୁଲାଇବାକୁ ୩ଟି ସବ କମିଟି ଗଠନ କରାଯାଇଛି। ବୈଠକରେ ଅଶ୍ଵିନୀ କୁମାର ମହାପାତ୍ର, ତହସିଲଦାର, ଜୟପୁର କମିଟି ସଦସ୍ୟ, ନେତେନ୍ଦ୍ର ନାୟକ ଓ ପଦ୍ମନାଭ ହୋତା ପ୍ରମୁଖ ଉପସ୍ଥିତ ଥିଲେ।

Comment