ଓଡ଼ିଶାଲାଇଭ୍ବ୍ୟୁରୋ

୧୧୨ ବିଧାୟକଙ୍କୁ ଧରି ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ।

୨୦୧୯ ମେ’ ୨୩ ତାରିଖ। ଏହିଦିନ ରାଜ୍ୟବାସୀ ଟିଭି ପରଦାକୁ ଚାହିଁ ରହିଥିଲେ। ଗୋଟିଏପଟେ ଭୋଟ ଗଣତି ଚାଲିଥିଲା ଏବଂ ଅନ୍ୟପଟେ ଭୋଟରଙ୍କ ମନରେ ଆଶଙ୍କା ବଢୁଥିଲା। ଶେଷରେ ସବୁ କଳ୍ପନା ଜଳ୍ପନା ଏବଂ ଆଶଙ୍କାରେ ପୂର୍ଣ୍ଣଛେଦ ପଡ଼ିଥିଲା। ସେହିଦିନ ଅପରାହ୍‌ଣରେ ଯେଉଁ ଫଳାଫଳ ଆସିଥିଲା ତାହା ରାଜନୀତି ପଣ୍ଡିତ ଏବଂ ବିରୋଧୀ ଶିବିରକୁ ତାଜୁବ୍ କରିଦେଇଥିଲା। ୧୧୨ ଜଣ ବିଧାୟକଙ୍କୁ ଧରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୟ ମୁକୁଟ ପିନ୍ଧିଥିଲେ। ମେ’ ୨୯ରେ ହିଁ ନବୀନ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ଇତିମଧ୍ୟରେ ନବୀନଙ୍କ ପଞ୍ଚମ ପାଳି ସରକାରକୁ ବର୍ଷେ ପୂରି ଯାଇଛି। ଏହି ବର୍ଷକର ସରକାର ଆଗରେ ଅନେକ ପ୍ରତିବନ୍ଧକ ଆସିଛି। ହେଲେ ଏସବୁକୁ ନବୀନ ସରକାର ସଫଳତାର ସହ ମୁକାବିଲା କରିଛନ୍ତି। ପଞ୍ଚମ ପାଳି ସରକାର ଆରମ୍ଭରୁ ଯେତିକି ସମସ୍ୟା ରହିଥିଲା ତାହା ଏବେ ବଢ଼ି ଯାଇଛି। କୋଭିଡ୍‌-୧୯ ନବୀନଙ୍କ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି। ୨୦୧୯ ମେ’ ୨୯ରୁ  ୨୦୨୦ ମେ’ ୨୯ ଯାଏଁ ନବୀନଙ୍କ ବର୍ଷ କେମିତି ଥିଲା ନଜର ପକାନ୍ତୁ ଏହି ରିପୋର୍ଟରୁ।

ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଶପଥ ଉତ୍ସବ

ପଞ୍ଚମ ପାଳି ସରକାରର ଶପଥ ଗ୍ରହଣ ଉତ୍ସବ ସବୁଠୁ ନିଆରା ଥିଲା। ଏହା ପୂର୍ବରୁ ନବୀନ ଚାରି ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଥିଲେ ମଧ୍ୟ କେବେ ବି ରାଜଭବନ ବାହାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇ ନଥିଲା। ୨୦୧୯, ମେ ୨୯ରେ ରାଜଭବନ ବାହାରେ ନବୀନ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏଥିପାଇଁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା।

ରାଜ୍ୟପାଳ ନିଜେ ପ୍ରଦର୍ଶନୀ ପଡ଼ିଆକୁ ଆସିଥିଲେ। ନବୀନ ଏବଂ ତାଙ୍କ ନୂଆ ଟିମ୍‌ ଶପଥ ନେଇଥିଲେ। ପ୍ରତି ଥର ନବୀନ ତାଙ୍କ ମନ୍ତ୍ରିମଣ୍ଡଳରେ ୨୧ ଜଣଙ୍କୁ ସ୍ଥାନ ଦେଉଥିଲେ। ପଞ୍ଚମ ପାଳି ସରକାର ୨୦ ଜଣ ମନ୍ତ୍ରୀଙ୍କୁ ନେଇ ଗଠନ କରିଥିଲେ ନବୀନ।

୫-ଟି ଓ ମୋ’ ସରକାର

ଯେବେଠୁ ନବୀନ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସେବେଠୁ ସେ ତୃଣମୂଳ ସ୍ତରର ଲୋକଙ୍କୁ ଫୋକସ୍‌ ଦେବା ଆରମ୍ଭ କଲେ। ୫-ଟି ଅଭିଯାନକୁ ବ୍ୟାପକ କଲେ ନବୀନ। ପ୍ରଶାସନକୁ ଲୋକଙ୍କ ପାଖରେ ଉତ୍ତରଦାୟୀ କରିବା ଲାଗି ନବୀନ ଉଦ୍ୟମ କଲେ। ନବୀନଙ୍କ ବ୍ୟକ୍ତିଗତ ସଚିବ ଥିବା ଆଇଏଏସ୍‌ ଅଫିସର ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ୫-ଟି ସଚିବ କରିଥିଲେ ନବୀନ। ଏହାକୁ ଆହୁରି ବ୍ୟାପକ କରିବା ପାଇଁ ‘ମୋ’ ସରକାର’ ଯୋଜନା ଆରମ୍ଭ କଲେ ନବୀନ।

ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଏହି ଯୋଜନା ଆରମ୍ଭ ହେଲା। ପ୍ରଥମ ପର୍ଯ୍ୟାୟରେ ଡାକ୍ତରଖାନା ଓ ଥାନା ମୋ’ ସରକାର ଅଧୀନରେ ରହିଥିଲା। ଡାକ୍ତରଖାନାକୁ ଆସୁଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ କେମିତି ଚିକିତ୍ସା ସୁବିଧା ମିଳୁଛି ଏବଂ ଥାନାକୁ ବିଭିନ୍ନ କାମରେ ଆସୁଥିବା ଲୋକଙ୍କୁ ପୋଲିସ କର୍ମଚାରୀ କେମିତି ବ୍ୟବହାର କରୁଛନ୍ତି ତାହା ଜାଣିବା ପାଇଁ ଏହି ଉଦ୍ୟମ ହୋଇଥିଲା। ପ୍ରତିଦିନ ଡାକ୍ତରଖାନା ଓ ଥାନାକୁ ଆସୁଥିବା ଲୋକଙ୍କ ପାଖକୁ ଫୋନ୍‌ କଲ୍‌ ଆସୁଥିଲା।

ଏହି ଅଭିଯାନରେ ଲୋକଙ୍କ ଭରସା ଜିତିବା ଲାଗି ନିଜେ ନବୀନ ମଧ୍ୟ ଫୋନ କରିଥିଲେ। ଅକ୍ଟୋବର ୧୦ ତାରିଖରେ ସେ ବିଭିନ୍ନ ଲୋକଙ୍କୁ ଫୋନ କରି ସମସ୍ୟା ବୁଝିଥିଲେ। ଏବେ ଅଧିକାଂଶ ବିଭାଗ ମୋ’ ସରକାର ଅଧୀନକୁ ଆସିଛି।

ମନ୍ଦିର ଭିତ୍ତିଭୂମିକୁ ଫୋକସ୍‌

ପଞ୍ଚମ ପାଳି ସରକାରରେ ନବୀନ ମନ୍ଦିରର ଭିତ୍ତିଭୂମି ସଜାଡ଼ିବା ପାଇଁ ଯେତିକି ତତ୍ପରତା ଦେଖାଇଥିଲେ ତାହା ପୂର୍ବରୁ ଦେଖିବାକୁ ମିଳି ନଥିଲା। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ପୁରୀ ଶ୍ରୀମନ୍ଦିର, କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର, ଗଞ୍ଜାମ ତାରା ତାରିଣୀ ମନ୍ଦିର ଏବଂ ସମ୍ବଲପୁରର ସମଲେଶ୍ୱରୀ ମନ୍ଦିରର ବିକାଶ ପାଇଁ ନବୀନ ପ୍ୟାକେଜ ଘୋଷଣା କରିଥିଲେ।

ପୁରୀକୁ ଐତିହ୍ୟ ସହରରେ ପରିଣତ କରିବା ପାଇଁ ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଉଚ୍ଛେଦ କାର୍ଯ୍ୟ ଚାଲିଥିଲା। ପୁରୁଣା ମଠ, ମନ୍ଦିର ବୁଲଡୋଜର ମାନରେ ଭାଙ୍ଗି ଯାଇଥିଲା। ଉଠାଦୋକାନୀମାନେ ବେଉସା ହରାଇଥିଲେ। ସେହି ଫର୍ମୁଲାରେ ନବୀନ ଲିଙ୍ଗରାଜ ମନ୍ଦିର ଚାରିପଟେ ଉଚ୍ଛେଦ କାମ କରିଥିଲେ। ହେଲେ ଏହି ଉଚ୍ଛେଦ ବେଳେ ବିରୋଧର ଶୀକାର ହୋଇଥିଲା ପ୍ରଶାସନ।

ଗୋଟିଏପଟେ ବୁଲ୍‌ଡୋଜର ଚାଲୁଥିଲା ବେଳେ ଅନ୍ୟପଟେ ପ୍ୟାକେଜ ଘୋଷଣା ଦାବିରେ ଲୋକ ରାଜରାସ୍ତାକୁ ଆସିଥିଲେ। ଆଗ ଥଇଥାନ ପରେ ଉଚ୍ଛେଦ ନାରା ଦେଇଥିଲେ ଜୀବିକା ହରାଇଥିବା ଲୋକେ। ଏହାପରେ ଏକାମ୍ରକ୍ଷେତ୍ର ଏବଂ ପୁରୀ ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ ନବୀନ। ଏବେ ବି ଏହି କାର୍ଯ୍ୟ ଚାଲିଛି। ପୁରୀ ସହରକୁ ନବକଳେବର କରିବା ପାଇଁ ଆଇଏଏସ୍‌ମାନଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି।

ସ୍ୱାସ୍ଥ୍ୟ ଭିତ୍ତିଭୂମି – ଏସ୍‌ସିବିକୁ ହଜାରେ କୋଟି

କଟକ ବଡ଼ ମେଡ଼ିକାଲକୁ ଦ୍ୱିତୀୟ ଏମ୍ସ ପାହ୍ୟା ଦେବା ଉଦ୍ଦେଶ୍ୟରେ ଓଡିଶା ସରକାରଙ୍କ ପକ୍ଷରୁ ୧୦୦୦ କୋଟି ଟଙ୍କାର ବ୍ୟୟ ବରାଦ ୨୦୧୯ ବର୍ଷର ଅନ୍ୟ ଏକ ଉଲ୍ଲେଖନୀୟ ନିଷ୍ପତ୍ତି ଥିଲା। ଶଯ୍ୟା ସଂଖ୍ୟା ୩ ହଜାରକୁ ବଢାଇବା ବ୍ୟତୀତ ସମସ୍ତ ପ୍ରକାର ଅତ୍ୟାଧୁନିକ ଚିକିତ୍ସା ଏଠି ମିଳିବା ସ୍ଥିର କରିଛନ୍ତି ସରକାର। ସେହିଭଳି ଫୁଲବାଣୀରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ମଧ୍ୟ ବିଗତ ବର୍ଷରଏକ ବଡ଼ ସଫଳତା।

ପାଟକୁରା ଓ ବିଜେପୁର ଥିଲା ବଡ଼ ଚାଲଞ୍ଜ

ପଞ୍ଚମ ପାଳି ସରକାର ଗଠନ ହେବା ପରେ ନବୀନଙ୍କ ବଡ଼ ଚାଲେଞ୍ଜ ସୃଷ୍ଟି କରିଥିଲା ପାଟକୁରା ଏବଂ ବିଜେପୁର ଉପନିର୍ବାଚନ। ପାଟକୁର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହୋଇଯିବାରୁ ଏହି ନିର୍ବାଚନ ଅକ୍ଟୋବର ମାସରେ ହୋଇଥିଲା। ସେହିପରି ନବୀନ ୨୦୧୯ରେ ବିଜେପୁର ଏବଂ ହିଞ୍ଜିଳିରୁ ପ୍ରାର୍ଥୀ ହୋଇଥିବାରୁ ନିର୍ବାଚନ ପରେ ସେ ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ। ଏହି ଦୁଇଟି ଆସନ ହାତେଇବା ନବୀନଙ୍କ ଟିମ୍‌ ପାଇଁ ବଡ଼ ଚାଲେଞ୍ଜ ଥିଲା।

ପାଟକୁରାବାସୀଙ୍କ ଅନୁକମ୍ପା ଭୋଟ ହାତେଇବା ପାଇଁ ବିଜେଡି ବେଦପ୍ରକାଶଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ତାଙ୍କ ପିବକ୍ଷରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ନବୀନଙ୍କ କଟ୍ଟର ବିରୋଧୀ ବିଜୟ ମହାପାତ୍ର। ବିଜୟ ଏହି ଆସନରୁ ବାରମ୍ବାର ପରାଜିତ ହୋଇଥିବାରୁ ସେ ବିଜୟୀ ହେବେ ବୋଲି ଏକ ଚର୍ଚ୍ଚା ଚାଲିଥିଲା। କିନ୍ତୁ ସବୁ ଗଣିତକୁ ଫେଲ୍ କରି ବିଜେଡି ବିଜୟୀ ହୋଇଥିଲା।

ସେହିପରି ବିଜେପୁରରେ ବି କଡ଼ା ଟକ୍କର ହୋଇଥିଲା। ନବୀନ ଏହି ଆସନରୁ ଇସ୍ତଫା ଦେବା ପରେ ଏହା ବିଜେପି କିମ୍ବା କଂଗ୍ରେସ ହାତକୁ ଚାଲିଯିବ ବୋଲି କୁହାଯାଉଥିଲା। ହେଲେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପୁରରୁ ରେକର୍ଡ ଭୋଟରେ ବିଜୟୀ ହୋଇଥିଲେ।

ବିଜେପି-ବିଜେଡି ସମ୍ପର୍କ

ଚତୁର୍ଥ ପାଳି ସରକାରରେ କେନ୍ଦ୍ରର ବିଜେପି ସରକାର ସହିତ ରାଜ୍ୟ ବିଜେଡି ସରକାରର ଯେମିତି ସମ୍ପର୍କ ଥିଲା ତାହା ପଞ୍ଚମ ପାଳି ସରକାରରେ ପୂରା ବଦଳି ଯାଇଥିଲା। କେନ୍ଦ୍ରର ମୋଦୀ ସରକାର ଯାହା ବିଲ୍‌ ଲୋକସଭା ଏବଂ ରାଜ୍ୟସଭାରେ ଆଗତ କଲେ ତାକୁ ବିଜେଡି ସମର୍ଥନ ଦେଇଥିଲା। ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍‌ ହେଉ କି ତିନି ତଲାକ୍‌ ବିଲ୍‌, ସବୁଠି ବିଜେଡି ସମର୍ଥନର ହାତ ବଢ଼ାଇଥିଲା। ସିଏଏକୁ ବି ବିଜେଡି ସମର୍ଥନ ଦେଇଥିଲା।

ବିଜେଡି-ବିଜେପିର ଏହି ସମ୍ପର୍କକୁ ନେଇ ଚର୍ଚ୍ଚା ବଢ଼ିଥିଲା। ନିର୍ବାଚନ ବେଳେ ଦୁଇ ଦଳ ପରସ୍ପରର ଗଇ ଖୋଳୁଥିବା ବେଳେ ଏବେ ସମ୍ପର୍କ ବଦଳି ଯିବା ପଛର କାରଣ କ’ଣ ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଥିଲା। ଏପଟେ ବିଜେପି ଏବଂ ବିଜେଡି କର୍ମୀ ବି ଦ୍ୱନ୍ଦ୍ୱରେ ପଡ଼ିଥିଲେ। ବିଜେଡି ବିରୋଧରେ ବିଜେପି କର୍ମୀଙ୍କର ସ୍ୱର ନରମିଥିବା ବେଳେ କେନ୍ଦ୍ର ବିରୋଧରେ ବିଜେଡି ମଧ୍ୟ ନରମ ମନୋଭାବ ଦେଖାଇଥିଲା।

କରୋନା ଚାଲେଞ୍ଜ

ମେ’ ୨୯ରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବିଭିନ୍ନ ଘାତ ପ୍ରତିଘାତକୁ ସାମ୍ନା କରି ପଞ୍ଚମ ପାଳି ସରକାରର ବର୍ଷ ପୂର୍ତ୍ତି ପାଳନ କରିବାକୁ ଲକ୍ଷ୍ୟ ରଖିଥିବା ନବୀନ ସରକାରଙ୍କ ପାଇଁ କରୋନା ବଡ଼ ଚାଲେଞ୍ଜ ସୃଷ୍ଟି କରିଥିଲା। କରୋନା ମୁକାବିଲା ପାଇଁ ନବୀନ ବ୍ୟାପକ ପଦକ୍ଷେପ ନେଇଥିଲେ। କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରି ନବୀନ ସ୍ୱତନ୍ତ୍ର ପାଣ୍ଠି ଘୋଷଣା କରିଥିଲେ।

କରୋନା ମୁକାବିଲା ପାଇଁ ଆଗୁଆ ଲକ୍‌ଡାଉନ୍‌ ଘୋଷଣା କରି ନବୀନ ସାରା ଦେଶରେ ଉଦାହରଣ ସୃଷ୍ଟି କରିଥିଲେ। ଖାଲି ସେତିକି ନୁହେଁ, ୩୦ଟି ଜିଲ୍ଲାରେ କୋଭିଡ୍‌ ହସ୍ପିଟାଲ ଏବଂ କୋଭିଡ୍‌ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲି ନବୀନ ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲେ। ନବୀନଙ୍କ ଏହି ମଡେଲକୁ ସାରା ବିଶ୍ୱ ପ୍ରଶଂସା କରିଥିଲା।

ପଞ୍ଚାୟତ ସ୍ତରରୁ କୋଭିଡ୍‌ ମୁକାବିଲା ପାଇଁ ନବୀନ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା ସହ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି। ହେଲେ ଏବେ ପ୍ରବାସୀ ଶ୍ରମିକ ସରକାରଙ୍କ ପାଇଁ ଚାଲେଞ୍ଜ ସୃଷ୍ଟି କରିଛନ୍ତି। କରୋନା ଯୋଗୁଁ ବାହାର ରାଜ୍ୟରୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରମିକଙ୍କୁ ନବୀନ ସରକାର ରୋଜଗାର କେମିତି ଦେବେ ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି।

ବାତ୍ୟା ଅମ୍ପନର ମୁକାବିଲା

୧୯୯୯ ମହାବାତ୍ୟା ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ନବୀନ ପଟ୍ଟନାୟକଙ୍କ ପାଇଁ ପ୍ରତିବର୍ଷ ପ୍ରାକୃତିକ ଦୁର୍ବିପାକ ଚାଲେଞ୍ଜ ସୃଷ୍ଟି କରି ଆସୁଛି। କେତେବେଳେ ଫାଇଲିନ୍‌, ହୁଡ୍‌ହୁଡ୍‌ ତ କେତେବେଳେ ତିତ୍‌ଲି ଓଡ଼ିଶାରେ ତାଣ୍ଡବ କରୁଛି। ଏସବୁକୁ ସଫଳତାର ସହ ମୁକାବିଲା କରିଥିଲେ ନବୀନ ସରକାର। ଗତବର୍ଷ ଫନି ବାତ୍ୟା ଓଡ଼ିଶାବାସୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଥିବା ବେଳେ ଚଳିତବର୍ଷ କରୋନା ସଙ୍କଟ ଭିତରେ ବାତ୍ୟା ଅମ୍ପନ ନୂଆ ଚାଲେଞ୍ଜ ଆଣିଥିଲା। ଏହାକୁ ରାଜ୍ୟ ସରକାର ମଧ୍ୟ ସଫଳତାର ସହ ମୁକାବିଲା କରିଛନ୍ତି।

ଏହି ବର୍ଷକ ଭିତରେ ନବୀନ ସରକାରଙ୍କ ପାଇଁ ଅନେକ ଚାଲେଞ୍ଜ ଆସିଛି। ଏହି ଚାଲେଞ୍ଜକୁ ସାମ୍ନା କରିଛନ୍ତି ନବୀନ ସରକାର। ହେଲେ ଏବେ କରୋନା ଭାଇରସ୍‌ ସବୁ ଚାଲେଞ୍ଜକୁ ଟପି ଯାଇଛି। କରୋନା ମୁକାବିଲା ପାଇଁ ନବୀନ ସରକାର ଆଗକୁ ଆଉ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାର କଥା।

ଓଡ଼ିଶା ରାଜନୀତିରେ ନବୀନ

ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଓଡ଼ିଶା ରାଜନୀତିରେ ପ୍ରବେଶ କରିଥିଲେ ନବୀନ ପଟ୍ଟନାୟକ। ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଯେତେବେଳେ ବିଜୁ ପରିବାରର ନେତାଙ୍କ ମଧ୍ୟରେ ନେତୃତ୍ୱକୁ ନେଇ ସଙ୍କଟ ଦେଖାଦେଇଥିଲା ସେତେବେଳେ ନବୀନ ହିଁ ରାହା ପାଲଟିଥିଲେ। ଓଡ଼ିଶାରେ ଜନତା ଦଳ ଭାଙ୍ଗି ସୃଷ୍ଟି ହେଲା ବିଜୁ ଜନତା ଦଳ। ବିଜୁ ବାବୁଙ୍କ ନାଁରେ ଗଠିତ ଏହି ରାଜନୈତିକ ଦଳର ନେତୃତ୍ୱ ନେଇ ନବୀନ ନୂଆଦିଲ୍ଲୀର ଭିନ୍ନ ଜୀବନଶୈଳୀ ଛାଡି ଓଡ଼ିଶାରେ ଆସି ପହଞ୍ଚିଥିଲେ।

୧୯୯୭ ଏପ୍ରିଲ ୧୭ ତାରିଖରେ ବିଜୁ ବାବୁଙ୍କର ଦେହାନ୍ତ ହୋଇଥିଲା। ବିଜୁ ଜନତା ଦଳର ଅୟମାରମ୍ଭ ସହ ସେହିବର୍ଷ ଆସିକା ଲୋକସଭା ଆସନରୁ ସାଂସଦ ଭାବେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ ନବୀନ। ୧୯୯୮ରେ ବାଜପେୟୀଙ୍କ ନେତୃତ୍ଵରେ ଗଠିତ ଏନଡିଏ ସରକାରରେ ସେ ଖଣିମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ। ତେବେ ଲୋକସଭା ଛାଡି ବିଧାନସଭା ମଇଦାନକୁ ୨୦୦୦ ମସିହାରେ ଓହ୍ଲାଇଥିଲେ ନବୀନ।

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ି ବିପୁଳ ଭୋଟରେ ବିଜୟୀ ହୋଇଥିଲେ ନବୀନ। ୨୦୦୦ ମସିହା ମାର୍ଚ୍ଚ ୫ ତାରିଖ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନରେ ବିଜେପି-ବିଜେଡି ମେଣ୍ଟ ସରକାରର ନେତା ଭାବେ ସେ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଥିଲେ। ଏହାପରଠୁ ଆଉ କେବେ ପଛକୁ ଫେରି ନାହାନ୍ତି ନବୀନ।

୨୦୦୯ ନିର୍ବାଚନ ପୂର୍ବରୁ ନବୀନଙ୍କ ପାଇଁ ଆସିଥିଲା ଏକ ପରୀକ୍ଷା। କନ୍ଧମାଳ ସାମ୍ପ୍ରଦାୟିକ ଦଙ୍ଗା ବେଳେ ସାଥୀ ବିଜେପିର ଭୂମିକା ନେଇ ସେ ଅଡ଼ୁଆ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ଶେଷରେ ବିଜେପିର ହାତ ଛାଡ଼ିଥିଲେ ନବୀନ। ହେଲେ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିଥିଲେ ବି ୨୦୦୯ ନିର୍ବାଚନରେ ନବୀନଙ୍କ ଲୋକପ୍ରିୟତାରେ କୌଣସି ପ୍ରଭାବ ପଡ଼ିନଥିଲା। ଯଥେଷ୍ଟ ସଂଖ୍ୟକ ଆସନ ପାଇ ବିଜେଡି ଏକକ ଭାବେ ସେଥର ସରକାର ଠିଆ କରାଇଥିଲା।

ସେହିପରି ୨୦୧୪ ନିର୍ବାଚନରେ ମଧ୍ୟ ବିଜେଡି ତା’ର ଜୟଯାତ୍ରା ବଜାୟ ରଖିବା ସହ ବିରୋଧୀ କଂଗ୍ରେସ ଏବଂ ବିଜେପିକୁ କ୍ଷମତାଠାରୁ ଯଥେଷ୍ଟ ଦୂରତାରେ ଠିଆ ହେବାକୁ ବାଧ୍ୟ କରିଥିଲା। ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଏବଂ ଭୋଟ ରାଜନୀତିର ମାପକୁ ବୁଝି ନବୀନଙ୍କ ଶିବିର ଏଯାଏଁ ଯେଉଁ ରାଜନୀତିକ ଷ୍ଟ୍ରାଟେଜି କରି ଆସିଛନ୍ତି ବିରୋଧୀଙ୍କ ପାଇଁ ତାହା ଲଗାତର ଭାବେ ଏକ ଅଭେଦ୍ୟ ବ୍ୟୂହ ସୃଷ୍ଟି କରିଛି!

Comment