ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ପଟ୍ଟନାୟକ ଆଗରେ।

କରୋନା ସଙ୍କଟ ଭିତରେ ‘ସି ଭୋଟର’ ସର୍ଭେର ଫଳାଫଳ ଆସିଛି। ଏହି ଫଳାଫଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟତା ବଜାୟ ରଖିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଧିକ ଲୋକ ପସନ୍ଦ କରିଥିବା ଜଣାପଡ଼ିଛି। ମୋଦୀଙ୍କ କାର୍ଯ୍ୟକଳାପକୁ ୬୫ ପ୍ରତିଶତ ଲୋକ ସମର୍ଥନ ଦେଇଥିବା ବେଳେ ନବୀନ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଆଗରେ ରହିଛନ୍ତି।

ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ନେଇ ଏହି ସର୍ଭେ କରାଯାଇଥିଲା। ପ୍ରତି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରୁ ୩ ହଜାର ଲେଖାଏଁ ଲୋକଙ୍କୁ ସର୍ଭେରେ ସାମିଲ କରାଯାଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି।

ମୋଦୀଙ୍କୁ ଓଡ଼ିଶାରୁ ବେଶୀ ସମର୍ଥନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳି ସରକାରକୁ ନିକଟରେ ବର୍ଷେ ପୂରିଛି। ବର୍ଷକର ଯୋଜନାକୁ ନେଇ ମୋଦୀ ସରକାର ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ କରୁଥିବା ବେଳେ ସି ଭୋଟର ସର୍ଭେର ଫଳାଫଳ ଆସିଛି। ମୋଦୀଙ୍କ କାମରେ ୬୫.୬୯ ପ୍ରତିଶତ ଲୋକ ସନ୍ତୁଷ୍ଟ ଥିବା ଜଣାପଡ଼ିଛି। ତେବେ ଓଡ଼ିଶାବାସୀ ମୋଦୀଙ୍କୁ ଅଧିକ ସମର୍ଥନ କରିଥିବା ଏହି ଫଳାଫଳରୁ ଜଣାପଡ଼ିଛି।

ଓଡ଼ିଶାର ୯୫.୬ ପ୍ରତିଶତ ଲୋକ ମୋଦୀଙ୍କ କାମକୁ ସମର୍ଥନ ଦେଇଥିବା ଏହି ସର୍ଭେରୁ ଜଣାପଡ଼ିଛି।

ଓଡ଼ିଶା ପରେ ହିମାଚଳପ୍ରଦେଶ ରହିଛି। ଏହି ରାଜ୍ୟର ୯୩.୯୫ ପ୍ରତିଶତ ଲୋକଙ୍କ ମୋଦୀଙ୍କ କାମକୁ ପ୍ରଶଂସା କରିଛନ୍ତି। ଛତିଶଗଡ଼ରୁ ମୋଦୀଙ୍କ ପାଇଁ ୯୨.୭୩ ପ୍ରତିଶତ ସମର୍ଥନ ଆସିଛି।

ଆନ୍ଧ୍ରରୁ ୮୩.୬, ଝାଡ଼ଖଣ୍ଡରୁ ୮୨.୯୭, କର୍ଣ୍ଣାଟକରୁ ୮୨.୫୬ ପ୍ରତିଶତ ଲୋକ ମୋଦୀଙ୍କୁ ସମର୍ଥନ ଦେଇଛନ୍ତି। ହେଲେ ମୋଦୀଙ୍କ ଗଡ଼ ଗୁଜରାଟରେ କିନ୍ତୁ ସମର୍ଥନ ହ୍ରାସ ପାଇଛି। ଗୁଜରାଟର ୭୨.୬୨ ପ୍ରତିଶତ ଲୋକଙ୍କ ମୋଦୀଙ୍କ କାମରେ ସନ୍ତୁଷ୍ଟ ଥିବା ସି ଭୋଟର ଫଳାଫଳରୁ ଜଣାପଡ଼ିଛି।

ସବୁଠୁ କମ୍‌ ସମର୍ଥନ ତାମିଲନାଡୁରୁ ଆସିଛି। ମାତ୍ର ୩୨.୧୫ ପ୍ରତିଶତ ଲୋକ ମୋଦୀଙ୍କ କାମରେ ସନ୍ତୁଷ୍ଟ ଥିବା ଭୋଟ ମାଧ୍ୟମରେ ଜଣାଇଛନ୍ତି।

ନବୀନ ଆଗରେ

ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ପଟ୍ଟନାୟକ ଆଗରେ ରହିଛନ୍ତି। ୮୨.୯୬ ପ୍ରତିଶତ ଲୋକ ଲୋକ ନବୀନଙ୍କ କାମରେ ସନ୍ତୁଷ୍ଟ ଥିବା ସି ଭୋଟର ସର୍ଭେରୁ ଜଣାପଡ଼ିଛି। ନବୀନଙ୍କ ପଛକୁ ଅଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ତୃତୀୟ ସ୍ଥାନରେ ଅଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଚତୁର୍ଥ ସ୍ଥାନରେ ରହିଛନ୍ତି।

କମ୍‌ ଲୋକପ୍ରିୟତା ହାସଲ କରିଥିବା ମୁଖ୍ୟମନ୍ତ୍ରୀ ତାଲିକାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅଛନ୍ତି।

ରାହୁଲ ଗାନ୍ଧୀଙ୍କୁ ତାମିଲନାଡୁରେ ସମର୍ଥନ

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନେଇ ସି ଭୋଟର ସର୍ଭେ କରିଥିଲା। ହେଲେ ମୋଦୀଙ୍କ ସମର୍ଥନ ଆଗରେ ରାହୁଲ ଫିକା ପଡ଼ି ଯାଇଥିଲେ। କେବଳ ରାହୁଲଙ୍କୁ ତାମିଲନାଡୁରୁ ଅଧିକ ସମର୍ଥନ ଆସିଛି। ମୋଦୀ ଏଠାରେ ୩୨.୧୫ ପ୍ରତିଶତ ସମର୍ଥନ ପାଇଥିବା ବେଳେ ରାହୁଲ ୩୬.୧୨ ପ୍ରତିଶତ ସମର୍ଥନ ପାଇଛନ୍ତି।

Comment