ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲାରେ ଚତୁର୍ଥ ପ୍ରବାସୀଙ୍କର କରୋନାରେ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ବଡ଼ଆଙ୍କୋ ଗାଁର ନରେନ୍ଦ୍ର ସ୍ଵାଇଁ। ଗତ ୫ ତାରିଖରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ବଡଆଙ୍କୋ ଗାଁର ଗୋପିନାଥ ସ୍ଵାଇଁଙ୍କ ପୁଅ ନରେନ୍ଦ୍ର ହରିୟାଣାର ଗୁଡଗାଓଁଠାରେ ଥିବା ସନଭିନ୍ ନାମକ ଏକ କମ୍ପାନିରେ ଶ୍ରମିକ ଭାବେ କାମ କରୁଥିଲେ। ଗତ କିଛି ଦିନ ତଳେ ସେ ଥଣ୍ଡା ଓ ଜ୍ଵରରେ ଶିକାର ହୋଇଥିଲେ। ତାଙ୍କୁ ଗତ ମଙ୍ଗଳବାର ଦିନ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତାଙ୍କର ଅବସ୍ଥାରେ ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ନିଆଯାଇଥିଲା। ଗତ ବୁଧବାର ଦିନ ନରେନ୍ଦ୍ରଙ୍କର ସେହି ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। କୋଭିଡ ନିୟମ ଅନୁସାରେ ତାଙ୍କ ମରଶରୀରକୁ ତାଙ୍କ ଘରକୁ ଅଣା ନଯାଇ ସେହିଠାରେ ଅନ୍ତିମ ସଂସ୍କାର କରାଯାଇଛି। ଏହି ଦୁଃଖଦ ଖବର ସାରା ଜିଲ୍ଲାରେ ଶୋକର ଛାଇ ଖେଳାଇ ଦେଇଛି।

ନରେନ୍ଦ୍ର ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ଘରେ ତାଙ୍କର ବୁଢ଼ା ବାପା ମା’, ପତ୍ନୀ, ଗୋଟେ ପୁଅ ଓ ଗୋଟେ ଝିଅ ଅଛନ୍ତି। ଏହି ପରିବାରକୁ ସରକାରୀ ସହାୟତା ଦାବି କରିଛନ୍ତି ସ୍ଥାନୀୟ ଲୋକେ। କେନ୍ଦ୍ରାପଡା ଜିଲ୍ଲାପାଳ ତାଙ୍କ ପରିବାରକୁ ସମସ୍ତ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Comment