ଓଡ଼ିଶାଲାଇଭ୍ ବ୍ୟୁରୋ
ଖାଇବା ପୂର୍ବରୁ ଏବଂ ଶୌଚ ହେବା ପରେ ସାବୁନରେ ଭଲ ଭାବରେ ହାତ ଧୋଇବା ଦରକାର। ୟୁନିସେଫ୍ ‘ମୀନା’ ଅଡିଓ ସିରିଜର ‘ମୀନା ଗାଁରେ ଭୋଜି’ ଅଧ୍ୟାୟରେ ହାତ ଧୋଇବା ଉପରେ ଗୁରୁତ୍ୱ ଦିଆଯାଇଛି।
ରୋଗର ଏକ ବଡ଼ ମାଧ୍ୟମ ହେଉଛି ଆମ ହାତ। ନିତିଦିନିଆ ଜୀବନରେ ଆମେ ବିଭିନ୍ନ ବସ୍ତୁ ତଥା ପୃଷ୍ଠକୁ ଛୁଇଁଥାଉ। ଆମ ପରିବେଶରେ ଥିବା ଅନେକ ରୋଗ ଜୀବାଣୁ ହାତରେ ଲାଗିଥାଏ। ଏହା ଖାଲି ଆଖିକୁ ଦେଖାଯାଇନଥାଏ। ହାତ ସଫା ଦେଖାଯାଉଥିଲେ ମଧ୍ୟ ଅନେକ ଜୀବାଣୁ ହାତରେ ଥାଏ, ଯାହା ଶରୀରକୁ ଗଲେ ରୋଗ ସୃଷ୍ଟି କରିଥାଏ।
ତେଣୁ ଖାଇବା ପୂର୍ବରୁ ଏବଂ ଶୌଚ ହେବା ପରେ ଆମେ ହାତକୁ ଭଲ ଭାବରେ ସାବୁନରେ ଧୋଇବା ଦରକାର। ଏହା ଦ୍ୱାରା ରୋଗ ସୃଷ୍ଟିକାରୀ ଜୀବାଣୁମାନେ ମରିଯାଆନ୍ତି ଏବଂ ଆମେ ବିଭିନ୍ନ ବେମାରିରୁ ରକ୍ଷା ପାଇଥାଉ। ୟୁନିସେଫ୍ ‘ମୀନା’ ଅଡିଓ ସିରିଜର ‘ମୀନା ଗାଁରେ ଭୋଜି’ ଅଧ୍ୟାୟରେ ଏହି ହାତ ଧୋଇବାର ଉପକାରିତା ବିଷୟରେ ବାର୍ତ୍ତା ଦିଆଯାଇଛି।
ମୀନା – କେମିତି ଓ କାହିଁକି ଆରମ୍ଭ ହୋଇଥିଲା?
ୟୁନିସେଫ ଦ୍ୱାରା ପ୍ରଯୋଜିତ “ମୀନା’ ଏକ ଲୋକପ୍ରିୟ ଆନିମେସନ ସିରିଜ ଯାହା ନବେ ଦଶକରେ ପ୍ରସାରିତ ହୋଇଥିଲା। ଶିଶୁକନ୍ୟାକୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ କରିବା ଲାଗି ସଚେତନତା ସୃଷ୍ଟି କରିବା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି ଆନିମେସନ ସିରିଜର ନାୟିକା ମୀନା, ତା’ର ଭାଇ ରାଜୁ ଓ ଶୁଆ ମିଠୁ ସହିତ ନିଜର ସାହସିକ କାର୍ଯ୍ୟକଳାପ ଜରିଆରେ ସେମାନଙ୍କ ଗାଁ ଓ ବାହାରେ ଥିବା ପିଲାମାନଙ୍କ ଜୀବନ ବିଷୟରେ ଆଲୋଚନା କରିଥାଏ।
ବାସ୍ତବରେ, ମୀନା ଜଣେ ୯ ବର୍ଷୀୟା ସାହସୀ ବାଳିକା ଯିଏକି ଦକ୍ଷିଣ ଏସିଆର ଶିଶୁମାନଙ୍କର ଜୀବନକୁ ପ୍ରତିଫଳିତ କରିଥାଏ। ଶିଶୁମାନଙ୍କ ଜୀବନକୁ ପ୍ରଭାବିତ କରୁଥିବା ପ୍ରମୁଖ ପ୍ରସଙ୍ଗର ଖୁବ ଚତୁର ଭାବେ ମୁକାବିଲା କରିବା ସହିତ ଶିଶୁକନ୍ୟାମାନଙ୍କର ସୁରକ୍ଷା ଏବଂ ଅଧିକାରକୁ ନେଇ ସେ ଲୋକଙ୍କୁ ସଚେତନ କରିଥାଏ। ଏହି ସିରିଜରେ ସ୍ୱଚ୍ଛତା ଓ ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଶିଶୁ ଅଧିକାର ଭଳି ଗୁରୁତ୍ୱପୂର୍ଣ୍ଣ ସାମାଜିକ ପ୍ରସଙ୍ଗ ଉପସ୍ଥାପନ କରାଯିବା ସହିତ ସମାଜର ପ୍ରମୁଖ ଅଂଶୀଦାରମାନଙ୍କ ଧ୍ୟାନ ଆକର୍ଷଣ କରିଯାଇଛି।
୧୯୯୦-୨୦୦୦ ସମୟକୁ ଶିଶୁକନ୍ୟାଙ୍କ ଦଶନ୍ଧି ଭାବେ ପାଳନ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ ଏସିଆରେ ଶିଶୁକନ୍ୟା, ସେମାନଙ୍କ ପରିବାର ଓ ଜନସମୁଦାୟକୁ ସଚେତନ କରିବା ଉଦ୍ଦେଶ୍ୟରେ ୟୁନିସେଫ ପକ୍ଷରୁ ଭିଡିଓ ଏବଂ ଅଡିଓ ସିରିଜ ପ୍ରସାରଣ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ମୀନା କାର୍ଟୁନ ସିରିଜ ଜରିଆରେ ୟୁନିସେଫ ବେଶ ପ୍ରଭାବୀ ଢଙ୍ଗରେ ଏହି ବିଚାରକୁ ଉପସ୍ଥାପନ କରିଥିଲା।
ଗାଁ ଗହଳୀରେ ଯୋଗାଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ରେଡିଓ। ତେଣୁ ୟୁନିସେଫ ଦ୍ୱାରା ବିଭିନ୍ନ ଭାଷାରେ ପ୍ରସାରିତ ହୋଇଥିବା ମୀନା ଏକ ସଫଳ କାର୍ଯ୍ୟକ୍ରମ ଭାବେ ପ୍ରମାଣିତ ହୋଇଥିଲା। ଟିଭିରେ ଭିଡିଓ କାର୍ଯ୍ୟକ୍ରମ ସହିତ ରେଡିଓରେ ଅଡିଓ ସିରିଜ ଜରିଆରେ ଭାରତ, ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ନେପାଳ ଓ ଭୂଟାନ ଆଦି ଦକ୍ଷିଣ ଏସିଆର ବିଭିନ୍ନ ଦେଶରେ ଏହା ପ୍ରସାରିତ ହୋଇଥିଲା।
ବାସ୍ତବରେ, ମୀନା ଏକ ଏପରି କାର୍ଯ୍ୟକ୍ରମ ଯାହା ଦର୍ଶକଙ୍କ ନିକଟରେ ଗଣମାଧ୍ୟମର ମୌଳିକ ଉପାଦାନ ଯଥା ସୂଚନା, ଶିକ୍ଷା ଓ ମନୋରଞ୍ଜନ ଆଦିକୁ ଚମତ୍କାର ଭାବେ ପହଞ୍ଚାଇପାରିଛି।


















