ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: ଭାରତକୁ ସ୍ୱାଧୀନତା ଦେବା ପାଇଁ ଯେଉଁମାନେ ବ୍ରିଟିଶ ଶାସନ ବିରୋଧରେ ସଂଗ୍ରାମ କରି ଲହୁଲୁହାଣ ହୋଇଥିଲେ ସେମାନଙ୍କ ଭିତରେ କେନ୍ଦ୍ରାପଡ଼ା ଜିଲ୍ଲାର ନକୁଳ ଦାସ ଥିଲେ ଅନ୍ୟତମ। ପାଠଶାଳାରୁ ବ୍ରିଟିଶ ଶାସନ ବିରୋଧରେ ନିଜ ମନରେ ବିପ୍ଳବର ବହ୍ନି ଜଳାଇ ଆସିଥିବା ଏହି ଲଢୁଆ ସୈନିକ ଆଜି ୯୫ ବର୍ଷ ବୟସରେ ଚିରନିଦ୍ରା ଯାଇଛନ୍ତି। ଗାନ୍ଧୀବାଦର ଏହି ପରମ ପୂଜାରୀଙ୍କ ଶେଷ ଦର୍ଶନ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲାର ଶତାଧିକ ଜନତା।

୧୯୨୬ରୁ ୨୦୨୦ ଏକ ଲମ୍ବା ପଥର ପଥିକ ଥିଲେ ସଂଗ୍ରାମୀ ନକୁଳ ଦାସ। ତାଙ୍କ ଜନ୍ମ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଜରିପଡା ଗାଁରେ ହୋଇଥିଲା। ବିଦ୍ୟାଳୟରେ ପାଠପଢା ସମୟରୁ ଦେଶଭକ୍ତିର ମନ୍ତ୍ର ତାଙ୍କୁ ବେଶିଦିନ ବିଦ୍ୟାଳୟର ଚାରିକାନ୍ଥ ମଧ୍ୟରେ ଅଟକାଇ ପାରିନଥିଲା। ଅଷ୍ଟମ ଶ୍ରେଣୀରୁ ପାଠ ଛାଡି ଦେଶ ପାଇଁ ଜୀବନକୁ ଉତ୍ସର୍ଗ କରିବାକୁ ମନ ବଳାଇଥିଲେ ନକୁଳ। ଅଳ୍ପ ପାଠ ପଢିଥିଲେ ମଧ୍ୟ ନିଜ ଘରପାଖରେ ଥିବା ଗାନ୍ଧୀବାଦୀ ଶିକ୍ଷାନୁଷ୍ଠାନ ମଧୂସାଗରରେ ଶିକ୍ଷାଦାନ କରିବାର ସୌଭାଗ୍ୟ ପାଇଥିଲେ ସେ। ବ୍ରିଟିଶ ଶାସନ ବିରୋଧରେ ତାଙ୍କ ସଂଗ୍ରାମର ଶାଣିତ ସ୍ୱର ସ୍ଥାନୀୟ ଲୋକମାନଙ୍କୁ ପ୍ରଭାବିତ କରିଥିଲା। ବ୍ରିଟିଶ ପୋଲିସର ନାଲି ଆଖି ତାଙ୍କ ଚପଳତାକୁ ଡରାଇ ପାରି ନଥିଲା। ବ୍ରିଟିଶର ଶୃଙ୍ଖଳ ତାଙ୍କୁ କେଉଁଠି କାବୁ କରିପରିନଥିଲା। ଅନେକ ସମୟରେ ନିଜକୁ ଆତ୍ମ ଗୋପନ କରି ବ୍ରିଟିଶ ନଜରକୁ ଏଡାଇ ପାରିଥିଲେ ସେ।

ନିଜ ଗାଁ ନିକଟରେ ଥିବା ଅଙ୍ଗୁଳାଇ ଡାକଘର ପୋଡି ଘଟଣାରେ ବ୍ରିଟିଶ ପୋଲିସ ଦ୍ୱାରା ଗିରଫ ହୋଇ କାରାବରଣ କରିଥିଲେ। ହେଲେ ସେ ଜଣେ ଅଣବନ୍ଦି ସ୍ୱାଧୀନତା ସଂଗ୍ରାମୀ ଭାବରେ ରାଜ୍ୟ ସରକାରଙ୍କଠାରୁ ସଂଗ୍ରାମୀ ପେନସନ ପାଇ ଆସୁଥିଲେ।

ଆଚାର୍ଯ୍ୟ ହରିହର, ରମା ଦେବୀ, ଗୋପବନ୍ଧୁ ଚୌଧୁରୀ, ମାଳତୀ ଚୌଧୁରୀଙ୍କ ପ୍ରେରଣାରେ ଗାଁ ଛାଡି ଭୂଦାନ ଜଜ୍ଞରେ ସାମିଲ ହୋଇ ଜୀବନର ବଳିଷ୍ଠ ସମୟ କୋରାପୁଟ ଓ ରାୟଗଡାରେ କଟାଇଥିଲେ। ଜଙ୍ଗଲରେ ରହୁଥିବା ଆଦିମ ଅଧିବାସୀମାନଙ୍କ ମନରୁ ଅନ୍ଧ ବିଶ୍ୱାସ ଦୂର କରିବା ତାଙ୍କର ଆଉ ଏକ ରାଷ୍ଟ୍ର ଗଠନର ଦିଗକୁ ସୂଚନା ଦିଏ। ପତ୍ନୀ କୌଶଲ୍ୟା ଦାସ ମଧ୍ୟ ନକୁଳଙ୍କ ପରି ଗାନ୍ଧୀବାଦୀ ମହିଳା ଥିଲେ। ସେତେବେଳେ ଗାଁରେ କସ୍ତୁରବା ମହିଳା ସମିତି ଗଠନ କରି ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରାଇବାରେ ବ୍ରତିଥିଲେ ସେ। ୧୯୭୦ ମସିହାରେ କୌଶଲ୍ୟାଙ୍କ ପରଲୋକ ପ୍ରାପ୍ତି ହୋଇଥିବା ବେଳେ ୩୦ ବର୍ଷ ପରେ ନକୁଳ ଆଜି ଚାଲିଗଲେ।

ଦୀର୍ଘ ୬ ମାସଧରି ସେ ଶ୍ୱାସକ୍ରିୟା ଜନିତ ରୋଗରେ ପୀଡ଼ିତ ଥିଲେ। ପରେ ତାଙ୍କର ଯକୃତ ଜନିତ ରୋଗ ଜଣାପଡିଥିଲା। ଆଜି ସକାଳ ୮ଟା ୩୦ ମିନିଟ ସମୟରେ କେନ୍ଦ୍ରାପଡା ସହର ନିକଟ ଗୁଲନଗର ଗାଁରେ ଥିବା ତାଙ୍କର ନିଜ ଗୃହରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି ସଂଗ୍ରାମୀଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି ସ୍ଥାନୀୟ ଲୋକେ। କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ନକୁଳଙ୍କ ଶେଷ ଦର୍ଶନ କରିବା ସହିତ ତାଙ୍କ ଶବାଧାରରେ ପୁଷ୍ପ ପ୍ରଦାନ କରିଛନ୍ତି। କରୋନା କଟକଣା ପାଇଁ ତାଙ୍କ ନିକଟରେ ପହଞ୍ଚି ପାରିନଥିଲେ ଜିଲ୍ଲାର ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀମାନେ। ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଅନ୍ତିମ ସଂସ୍କାର କରିଛନ୍ତି ତାଙ୍କର ୩ ପୁଅ ଓ ଆତ୍ମୀୟ ସ୍ୱଜନମାନେ।

Comment