ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲାରେ ଲୋକେ ମାନୁ ନାହାନ୍ତି କୋଭିଡ କଟକଣା। ଆଜି କେନ୍ଦ୍ରାପଡା ସହର ଉପକଣ୍ଠରେ ବସୁଥିବା ଗୋପଛକ ହାଟରେ ଦେଖିବାକୁ ମିଳିଥିଲା ପ୍ରବଳ ଗହଳି। ବିନା ସାମାଜିକ ଦୂରତା ଓ ବିନା ମାକ୍ସରେ ସଂଖ୍ୟାଧିକ ପରିବା ବ୍ୟବସାୟୀ ଓ ଗରାଖମାନଙ୍କୁ ଦେଖିବାକୁ ମିଳିଥିଲା। ସଙ୍ଗରୋଧ ଶେଷ କରିଥିବା ଅନେକ ପ୍ରବାସୀମାନଙ୍କୁ ମଧ୍ୟ ଏହି ହାଟରେ ଦେଖିବାକୁ ମିଳିଥିଲା।

ଜିଲ୍ଲାର ଏହି ଅଧିକ ଜନଗହଳି ହାଟକୁ ପୂର୍ବରୁ ଜିଲ୍ଲା ପ୍ରଶାସନ ବନ୍ଦ କରିଦେଇଥିଲେ। ହାଟକୁ କେନ୍ଦ୍ରାପଡା ସହରର ବଳଦେବଜୀୟୁଙ୍କ ରଥଦାଣ୍ଡରେ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା। ପୁଣି କିପରି ଏହି ହାଟ ଏଠାରେ ଖୋଲିଲା ତାହା କାହାରି ପାଖରେ ଖବର ନାହିଁ। ଜିଲ୍ଲା ପ୍ରଶାସନ ଯଦି ଗୋପଛକ ହାଟ ଉପରେ କଟକଣା ନକରନ୍ତି, ତେବେ ଏଠାରେ କରୋନା ସଂକ୍ରମଣ ଆଶଙ୍କା ରହିଛି ବୋଲି କୁହାଯାଉଛି।

ଏହି ଗୋପଛକ ହାଟ ଜିଲ୍ଲାର ସବୁଠାରୁ ବଡ ହାଟ ବୋଲି କୁହାଯାଏ। ଏହି ହାଟକୁ ଜିଲ୍ଲା ବାହାରର ବ୍ୟବସାୟୀମାନେ କିଣା ବିକା କରିବାକୁ ଆସିଥାନ୍ତି। ଏହାଛଡା ଏହି ହାଟର ଆଖପାଖ ଅଞ୍ଚଳରେ ବହୁ କୃଷକମାନେ ନିଜ ଜମିବାଡିରେ ଉତ୍ପାଦନ କରୁଥିବା ପନିପରିବା ବହୁଳ ପରିମାଣରେ ବିକ୍ରିବଟା କରିଥାନ୍ତି।

















