ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): କରୋନା ସଂକ୍ରମଣ ରୋକିବାକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ବଡ ପଦକ୍ଷେପ। ଖୋର୍ଦ୍ଧା ସବଡିଭିଜନ ଦିନ ୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ସଟଡାଉନ ରହିବ। ଏହି ନିୟମ ଜୁନ୍‌ ୩୦ ଯାଏଁ ବଳବତ୍ତର ହେବ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।

ତେବେ ସକାଳ ୬ଟାରୁ ଦିନ ୨ଟା ଯାଏଁ ଖୋର୍ଦ୍ଧାରେ ସମସ୍ତ ଦୋକାନ ବଜାର ଖୋଲା ରହିବ। ପରେ ଦିନ ୨ଟାରୁ ସକାଳ ୬ ଯାଏଁ କଟକଣା ଲାଗୁ ହେବ। କେବଳ ଔଷଧ ଦୋକାନ, ପେଟ୍ରୋଲ ପମ୍ପକୁ ଛାଡି ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସିତାଂଶୁ କୁମାର ରାଉତ।

ତେବେ ଏହି ନିୟମ ବିଏମ୍‌ସି ଅଞ୍ଚଳ ପାଇଁ ଲାଗୁ ହେବ ନାହିଁ। ଖୋର୍ଦ୍ଧାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ସଂକ୍ରମଣକୁ ଦୃଷ୍ଟି ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ୧୦୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଏଯାଏଁ ଭୁବନେଶ୍ଵର ଓ ଖୋର୍ଦ୍ଧାକୁ ମିଶାଇ ୩୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comment