ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍କୃଷ୍ଟ କଳାର ରାଜ୍ୟ ଓଡ଼ିଶା। ଆମ ରାଜ୍ୟର ଲୋକକଳା ବିବିଧ ଏବଂ ଆକର୍ଷଣୀୟ। ଓଡ଼ିଶାରେ ବିଭିନ୍ନ ପ୍ରକାରର ଲୋକକଳା ରହିଛି। ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାର ‘ଭାରତ ଲୀଳା’ ଅନ୍ୟତମ। ଭାରତ ଲୀଳା ମୁଖ୍ୟତଃ ମହାଭାରତ ଉପରେ ପର୍ଯ୍ୟବେସିତ। ବିଶେଷକରି ଏହି ଲୋକକଳାରେ ପ୍ରହରୀ ଭୂମିକାରେ ଅଭିନୟ କରୁଥିବା ବ୍ୟକ୍ତି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି। ‘ଭାରତ ଲୀଳା’ରେ ହାସ୍ୟରସ, ମନୋରଞ୍ଜନ ଏବଂ ପୌରାଣିକ ତଥ୍ୟ ଭରପୂର ମାତ୍ରାରେ ରହିଛି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତିବର୍ଷ ଜୁନ୍‌ ୧୪କୁ ଲୋକକଳା ଦିବସ ଭାବେ ପାଳନ କରାଯାଉଛି। ୨୦୧୯ ଲୋକକଳା ଦିବସରେ ଏହି ‘ଭାରତ ଲୀଳା’ ଉପସ୍ଥାପନ କରାଯାଇଥିଲା। ଅଗ୍ରଣୀ ନ୍ୟୁଜ୍‌ ପୋଟାଲ ଓଡ଼ିଶାଲାଇଭ୍‌ ଏହି କାର୍ଯ୍ୟକ୍ରମକୁ ରେକର୍ଡ କରି ପ୍ରଚାର ପ୍ରସାର କରୁଛି।

‘ଭାରତ ଲୀଳା’ ଲୋକକଳା ଅର୍ଜୁନ, ଶ୍ରୀକୃଷ୍ଣଙ୍କ ପତ୍ନୀ ସତ୍ୟଭାମା, ଭଉଣୀ ସୁଭଦ୍ରା ଏବଂ ପ୍ରହରୀଙ୍କୁ ନେଇ ଗତିଶୀଳ ହୋଇଛି। ଅଧ ରାତିରେ ଅର୍ଜୁନଙ୍କ ପାଖକୁ ସତ୍ୟଭାମା ଏବଂ ସୁଭଦ୍ରା ଆସିଛନ୍ତି। ଦ୍ୱାର ନିକଟରେ ରହି ସେମାନେ ଅର୍ଜୁନଙ୍କୁ ଡାକିଛନ୍ତି। ରାତିରେ ନାରୀଙ୍କ କଣ୍ଠ ସ୍ଵର ଶୁଣି ଅର୍ଜୁନ ତାଙ୍କ ପ୍ରହରୀଙ୍କୁ ପଠାଉଛନ୍ତି। ପ୍ରହରୀ ଦ୍ୱାର ପାଖକୁ ଯାଇ କିଏ କେଉଁ ଉଦ୍ଦେଶ୍ୟ ନେଇ ଅର୍ଜୁନଙ୍କୁ ଡାକୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଏହାର ଉତ୍ତର ସତ୍ୟଭାମା ଦେଇଛନ୍ତି। ଶ୍ରୀକୃଷ୍ଣଙ୍କ ଭଉଣୀ ସୁଭଦ୍ରାଙ୍କୁ ନେଇ ସତ୍ୟଭାମା ଆସିଥିବା ପ୍ରହରୀଙ୍କୁ କହିଛନ୍ତି। ପ୍ରହରୀ ଏହି ଖବର ଅର୍ଜୁନଙ୍କୁ ଦେଇଛନ୍ତି। ପ୍ରହରୀ ଅର୍ଜୁନଙ୍କ ପାଖରେ ସୁଭଦ୍ରାଙ୍କ ଗୁଣ ଗରିମା ବର୍ଣ୍ଣନା କରିଛନ୍ତି। ଶେଷରେ ଅର୍ଜୁନ ସୁଭଦ୍ରାଙ୍କୁ ଗ୍ରହଣ କରିଛନ୍ତି।

‘ଲୋକକଳା’ ଆମ ସଂସ୍କୃତିର ଏକ ପ୍ରାଚୀନ ତଥା ଅନନ୍ୟ ଦିଗ। ଓଡ଼ିଶାର ଲୋକକଳା ବିବିଧ ଏବଂ ଆକର୍ଷଣୀୟ। ଏହାର ପୁନରୁଦ୍ଧାର ଓ ପ୍ରଚାର ପ୍ରସାର ସହ ଲୋକକଳାକାରମାନଙ୍କର ଜୀବିକାରେ ଉନ୍ନତି ଆଣିବା ପାଇଁ ଓଡ଼ିଶା ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି।

ଏଥିପାଇଁ ୨୦୧୧ ମସିହାରେ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅଧୀନରେ ବ୍ଲକ, ଜିଲ୍ଲା, ନଗର ଏବଂ ରାଜ୍ୟସ୍ତରୀୟ ଲୋକକଳା ସଂଘ ପ୍ରତିଷ୍ଠା କରାଯାଇଛି। ରାଜ୍ୟରେ ୪୭୧ ପ୍ରକାରର ଲୋକକଳା ସହିତ ୯ ହଜାରରୁ ଅଧିକ ଲୋକକଳା ଦଳ ରହିଛି। ୧ ଲକ୍ଷ ୫୦ ହଜାରରୁ ଅଧିକ କଳାକାର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଜୀକୃତ ହୋଇଛନ୍ତି। ଲୋକକଳାକୁ ଅଧିକ ରୁଦ୍ଧିମନ୍ତ କରିବା ପାଇଁ ୧୫ଟି ନଗରକଳା ସଂଘ ମଧ୍ୟ ଗଠନ କରାଯାଇଛି।

ଗତ ଜୁନ୍‌ ୧୪ ତାରିଖରେ ଦ୍ୱିତୀୟ ଲୋକକଳା ଦିବସ ପାଳନ କରାଯାଇଥିଲା। ଚଳିତବର୍ଷ କରୋନା ମାହାମରୀ ଯୋଗୁଁ ମଞ୍ଚ କାର୍ଯ୍ୟକ୍ରମ ହୋଇ ନଥିଲା। ଡିଜିଟାଲ ମିଡିଆ ପ୍ଲାଟଫର୍ମରେ ଏହାର ପ୍ରଚାର ପ୍ରସାର କରାଯାଇଥିଲା।

Comment