ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍କୃଷ୍ଟ କଳାର ରାଜ୍ୟ ଓଡ଼ିଶା। ଆମ ରାଜ୍ୟର ଲୋକକଳା ବିବିଧ ଏବଂ ଆକର୍ଷଣୀୟ। ଓଡ଼ିଶାରେ ବିଭିନ୍ନ ପ୍ରକାରର ଲୋକକଳା ରହିଛି। ସେଥିମଧ୍ୟରୁ ‘ଚଇତାଳି ଘୋଡ଼ାନାଚ’ ଅନ୍ୟତମ। ଏହାକୁ ସାଧାରଣତଃ କେଉଟମାନଙ୍କ ଦ୍ଵାରା ପରିବେଷଣ କରାଯାଇଥାଏ। ଚଇତାଳି ଘୋଡ଼ାନାଚ ପାଇଁ କୌଣସି ନିର୍ଦ୍ଧିଷ୍ଟ ବହି ନାହିଁ। ଏହା ମୁଖ୍ୟତଃ କୈବର୍ତ୍ତ ଗୀତା, କୈବର୍ତ୍ତ ସଂହିତା ଏବଂ କୈବର୍ତ୍ତ ପୁରାଣ ଉପରେ ପର୍ଯ୍ୟବେସିତ।

ବିଶେଷକରି ଏହି ଲୋକକଳାରେ ବାଉଁଶ ପାତିଆ ଓ ସୁସଜ୍ଜିତ କପଡ଼ାରେ ସଜ୍ଜିତ ଘୋଡ଼ା ଏବଂ ରାଉତ ରାଉତାଣିଙ୍କ ଢଗଢ଼ମାଳି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ଏଥିପାଇଁ କୌଣସି ନିର୍ଦ୍ଧିଷ୍ଟ ବହି ନ ଥିବାରୁ ରାଉତ ଗାଁ ଗହଳିରେ ପ୍ରଚଳିତ ଶବ୍ଦଗୁଡ଼ିକୁ ପାରମ୍ପରିକ ସ୍ଵରରେ ସଂଯୋଜନା କରି ଗୀତ ବୋଲିଥା’ନ୍ତି। ଏହି ଗୀତ ତାଳେ ତାଳେ ଘୋଡ଼ାକୁ ନଚା ଯାଇଥାଏ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତିବର୍ଷ ଜୁନ୍‌ ୧୪କୁ ଲୋକକଳା ଦିବସ ଭାବେ ପାଳନ କରାଯାଉଛି। ୨୦୧୯ ଲୋକକଳା ମହୋତ୍ସବର ଶେଷ ଦିବସରେ ଏହି ‘ଚଇତାଳି ଘୋଡ଼ାନାଚ’ ଉପସ୍ଥାପନ କରାଯାଇଥିଲା। ଘୋଡ଼ାନାଚ଼କୁ ଅଧିକ ଲୋକପ୍ରିୟ କରାଇଥିବା ପଦ୍ମଶ୍ରୀ ଉଚ୍ଛବ ଚରଣ ଦାସ ଏହାକୁ ପରିବେଷଣ କରିଥିଲେ। ଅଗ୍ରଣୀ ନ୍ୟୁଜ୍‌ ପୋଟାଲ ଓଡ଼ିଶାଲାଇଭ୍‌ ଏହି କାର୍ଯ୍ୟକ୍ରମକୁ ରେକର୍ଡ କରି ପ୍ରଚାର ପ୍ରସାର କରୁଛି।

‘ଚଇତାଳି ଘୋଡ଼ାନାଚ’ ଲୋକକଳା ରାଉତ ରାଉତାଣିଙ୍କ ମଧ୍ୟରେ ହାସ୍ୟରସାତ୍ମକ ଝଗଡ଼ାକୁ ନେଇ ଗତିଶୀଳ ହୋଇଛି। ରାଉତାଣି ସୁନ୍ଦର କି ନୁହେଁ ପ୍ରଶ୍ନର ଉତ୍ତରରେ ରାଉତ ଥଟ୍ଟାମଜା କରିଛନ୍ତି। ରାଉତାଣିଙ୍କଠାରୁ ଅଧିକ ସୁନ୍ଦରୀ ମହିଳାଙ୍କୁ ବିବାହ କରିବେ ବୋଲି କହିଛନ୍ତି ରାଉତ। ସେହି ସୁନ୍ଦରୀଜଣକ ରାଉତାଣୀଙ୍କ ପଞ୍ଚାୟତ, ଗାଁ କିମ୍ବା ଖଞ୍ଜାର ହୋଇପାରନ୍ତି ବୋଲି କହିବାରୁ ଅଭିମାନ କରିଛନ୍ତି ରାଉତାଣି। ପରେ ରାଉତ ମନମତାଣିଆ କଥା କହି ରାଉତାଣିଙ୍କୁ ମନେଇଛନ୍ତି। ଶେଷରେ ଉଭୟ ଉଭୟଙ୍କ ପ୍ରତି ଥିବା ଭଲପାଇବାକୁ ପ୍ରକାଶ କରିଛନ୍ତି।

‘ଲୋକକଳା’ ଆମ ସଂସ୍କୃତିର ଏକ ପ୍ରାଚୀନ ତଥା ଅନନ୍ୟ ଦିଗ। ଓଡ଼ିଶାର ଲୋକକଳା ବିବିଧ ଏବଂ ଆକର୍ଷଣୀୟ। ଏହାର ପୁନରୁଦ୍ଧାର ଓ ପ୍ରଚାର ପ୍ରସାର ସହ ଲୋକକଳାକାରମାନଙ୍କର ଜୀବିକାରେ ଉନ୍ନତି ଆଣିବା ପାଇଁ ଓଡ଼ିଶା ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି।

ଏଥିପାଇଁ ୨୦୧୧ ମସିହାରେ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅଧୀନରେ ବ୍ଲକ, ଜିଲ୍ଲା, ନଗର ଏବଂ ରାଜ୍ୟସ୍ତରୀୟ ଲୋକକଳା ସଂଘ ପ୍ରତିଷ୍ଠା କରାଯାଇଛି। ରାଜ୍ୟରେ ୪୭୧ ପ୍ରକାରର ଲୋକକଳା ସହିତ ୯ ହଜାରରୁ ଅଧିକ ଲୋକକଳା ଦଳ ରହିଛି। ୧ ଲକ୍ଷ ୫୦ ହଜାରରୁ ଅଧିକ କଳାକାର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଜୀକୃତ ହୋଇଛନ୍ତି। ଲୋକକଳାକୁ ଅଧିକ ରୁଦ୍ଧିମନ୍ତ କରିବା ପାଇଁ ୧୫ଟି ନଗରକଳା ସଂଘ ମଧ୍ୟ ଗଠନ କରାଯାଇଛି।

ଗତ ଜୁନ୍‌ ୧୪ ତାରିଖରେ ଦ୍ୱିତୀୟ ଲୋକକଳା ଦିବସ ପାଳନ କରାଯାଇଥିଲା। ଚଳିତବର୍ଷ କରୋନା ମାହାମରୀ ଯୋଗୁଁ ମଞ୍ଚ କାର୍ଯ୍ୟକ୍ରମ ହୋଇ ନଥିଲା। ଡିଜିଟାଲ ମିଡିଆ ପ୍ଲାଟଫର୍ମରେ ଏହାର ପ୍ରଚାର ପ୍ରସାର କରାଯାଇଥିଲା।

Comment