ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଜୁନ୍‌ ୨୦ରେ ବାହାରିନ୍‌ରୁ ଭୁବନେଶ୍ୱରକୁ ସିଧାସଳଖ ବିମାନ
  • ଟିକେଟ ମୂଲ୍ୟ ଦୁଇଗୁଣା ବୃଦ୍ଧି, ଜଣକ ପିଛା ୨୯ ହଜାର ୮୦୦ ଟଙ୍କା
  • ଟିକେଟ ଦର ପୁନଃବିଚାର କରିବାକୁ ବାହାରିନ୍‌ ଓଡ଼ିଆ ସମାଜ ପକ୍ଷରୁ ଅନୁରୋଧ
  • କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି

ଜୁନ୍‌ ୨୦ରେ ବାହାରିନ୍‌ରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ଭୁବନେଶ୍ୱର ଆସିବ। ଏଥିପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଛି। ବାହାରିନରୁ ଭୁବନେଶ୍ୱର ଆସିବା ପାଇଁ ଜଣକ ପିଛା ଟିକେଟ ମୂଲ୍ୟ ୨୯ ହଜାର ୮୦୦ ଟଙ୍କା ରହିଛି। ଏହି ଟିକେଟ ମୂଲ୍ୟ ଓଡ଼ିଆ ଶ୍ରମଜୀବୀଙ୍କ ପାଇଁ ସବୁଠୁ ଅଧିକ ବୋଲି ବାହାରିନ୍‌ ଓଡ଼ିଆ ସମାଜ ପକ୍ଷରୁ କୁହାଯାଇଛି। ଟିକେଟ ମୂଲ୍ୟ ହ୍ରାସ କରିବାକୁ ବାହାରିନ୍‌ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ଡକ୍ଟର ଅରୁଣ କୁମାର ପ୍ରହରାଜ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

ଏହାସହ ଏଥିରେ ହସ୍ତକ୍ଷେପ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବାହାରିନ୍‌ ଓଡ଼ିଆ ସମାଜ ପକ୍ଷରୁ ଅନୁରୋଧ କରାଯାଇଛି।

‘‘ବାହାରିନ୍‌ରୁ ଯେଉଁ ଓଡ଼ିଆମାନେ ଭୁବନେଶ୍ୱର ଆସିବେ ସେମାନେ ଗରିବ ଶ୍ରେଣୀର। କରୋନା ଲକ୍‌ଡାଉନ୍‌ ଯୋଗୁଁ ସେମାନେ ସେମାନଙ୍କ ଜୀବିକା ହରାଇଛନ୍ତି। ଗତ ୩ ମାସ ହେଲା ସେମାନେ ବହୁତ ଅସୁବିଧାରେ ଚଳୁଥିଲେ। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ବାହାରିନ୍‌ ଓଡ଼ିଆ ସମାଜ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଥିଲା। ଯେଉଁ ଓଡ଼ିଆମାନେ ବହାରିନ୍‌ରୁ ନିଜ ଗାଁକୁ ଫେରିଯିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ମାଗଣାରେ ବିମାନ ଯାତ୍ରାର ବ୍ୟବସ୍ଥା କରିବାକୁ ବାହାରିନ୍‌ ଓଡ଼ିଆ ସମାଜ ପକ୍ଷରୁ ଭାରତ ସରକାରଙ୍କୁ ଅନୁରୋଧ କରାଯାଇଥିଲା। ହେଲେ ଏବେ ଯେଉଁ ଟିକେଟ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି ତାହା ବାହାରିନ୍‌ର ପ୍ରବାସୀ ଓଡ଼ିଆଙ୍କ ପାଇଁ ବୋଝ ସଦୃଶ। ଏହାର ପୁନଃବିଚାର କରାଯାଉ’’, କହିଛନ୍ତି ଡକ୍ଟର ଅରୁଣ କୁମାର ପ୍ରହରାଜ।

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ପରାମର୍ଶକ୍ରମେ ଏୟାର ଇଣ୍ଡିଆ ପକ୍ଷରୁ ଟିକେଟ ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ।

ନିକଟରେ ଦୁବାଇରୁ ଭୁବନେଶ୍ୱରକୁ ଏକ ବିମାନ ଆସିଥିଲା। ଏଥିରେ ବହୁ ଓଡ଼ିଆ ଆସିଥିଲେ। ସେମାନଙ୍କୁ ପାଖାପାଖି ୧୭ ହଜାର ଟଙ୍କା ଦେବାକୁ ପଡ଼ିଥିଲା। ଏହାସହ ଦିଲ୍ଲୀ, ଚେନ୍ନାଇ, କୋଚି, ତ୍ରିବେନ୍ଦ୍ରମ ଆଦି ଅଞ୍ଚଳକୁ ଯେଉଁ ବିମାନ ଭାରତ ବାହାରୁ ଆସିଥିଲା ସେଥିରେ ଆସିଥିବା ଲୋକଙ୍କୁ ମଧ୍ୟ ୧୭ରୁ ୧୮ ହଜାର ଟଙ୍କା ଦେବାକୁ ପଡ଼ିଥିଲା। ଏହି ତୁଳନାରେ ବାହାରିନ୍‌ରୁ ଆସିବାକୁ ଥିବା ଓଡ଼ିଆଙ୍କ ପାଇଁ ଟିକେଟ ମୂଲ୍ୟ ଅଧିକ ରହିଥିବା ବାହାରିନ୍‌ ଓଡ଼ିଆ ସମାଜ ପକ୍ଷରୁ କୁହାଯାଇଛି।

ଜୁନ୍‌ ୨୦ରେ ବାହାରିନ ଅନ୍ତର୍ଜତୀୟ ବିମାନ ବନ୍ଦରରୁ ସ୍ଥାନୀୟ ସମୟ ଅପରାହ୍‌ଣ ୧ଟା୫ରେ ଏହି ବିମାନ ଛାଡ଼ିବ। ରାତି ୧୦ଟା୨୦ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବ। ଏୟାର ଇଣ୍ଡିଆର ବିମାନ ନମ୍ବର ଏଆଇ ୦୯୪୦ ଭାୟା ଦିଲ୍ଲୀ ହୋଇ ଭୁବନେଶ୍ୱର ଆସିବ। ବାହାରିନର ୧୭୫ ଓଡ଼ିଆ ଓଡ଼ିଶା ଫେରିବା ପାଇଁ ‘ବନ୍ଦେ ଭାରତ ମିଶନ’ ଯୋଜନାରେ ପଞ୍ଜୀକରଣ କରିଥିଲେ।

ବାହାରିନରୁ ଯେଉଁ ଓଡ଼ିଆମାନେ ନିଜ ଭିଟାମାଟିକୁ ଫେରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା କରିବାକୁ ଓଡ଼ିଆ ସମାଜ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ବାହାରିନରେ ଥିବା ଭାରତୀୟ ଦୂତାବାସ ସହ ଆଲୋଚନା କରିଥିଲା ବାହାରିନ ଓଡ଼ିଆ ସମାଜ। ‘ବନ୍ଦେ ଭାରତ ମିଶନ’ ଅଧୀନରେ ପଞ୍ଜୀକରଣ କରିଥିବା ଲୋକଙ୍କ ଭିତରେ ଅଧିକାଂଶ ବୃଦ୍ଧ, ଛୋଟ ପିଲା ଏବଂ ଗର୍ଭବତୀ ମହିଳା ଥିବାରୁ ସେମାନଙ୍କ ପାଇଁ ବାହାରିନରୁ ଭୁବନେଶ୍ୱରକୁ ସିଧାସଳଖ ବିମାନ ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଥିଲା।

ଏନେଇ ବାହାରିନ୍‌ ଓଡ଼ିଆ ସମାଜ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବାହାରିନ୍‌ରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା କରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓଡ଼ିଶା ଦାୟିତ୍ୱରେ ଥିବା କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟର ନୋଡାଲ ଅଫିସର ରାହୁଲ ଶ୍ରୀବାସ୍ତବଙ୍କୁ ଚିଠି ଲେଖିଥିଲେ। ଶେଷରେ ଜୁନ୍‌ ୮ ତାରିଖରେ ବାହାରିନରୁ ଏୟାର ଇଣ୍ଡିଆର ଏକ ବିମାନ ଭାୟା ଦିଲ୍ଲୀ ହୋଇ ଭୁବନେଶ୍ୱର ଆସିବ ବୋଲି ସ୍ପଷ୍ଟ ହୋଇଥିଲା।

ବାହାରିନରୁ ଭୁବନେଶ୍ୱର ଆସିବା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ଟିକେଟ ବିକ୍ରି ଆରମ୍ଭ ହୋଇଛି ହୋଇଛି। ସଙ୍ଗମିତ୍ରା ରାଉତ ପ୍ରଥମ ଟିକେଟ କିଣିଛନ୍ତି। ଲକ୍‌ଡାଉନ୍‌ ପାଇଁ ତାଙ୍କ ଅଫିସ ବନ୍ଦ ଥିବାରୁ ସେ ତାଙ୍କ ଦୁଇ ପିଲାଙ୍କୁ ନେଇ ଓଡ଼ିଶା ଫେରିବେ। ଏହାସହ ଅନେକ ଓଡ଼ିଆ ମଧ୍ୟ ଧାଡ଼ିରେ ଆସି ଟିକେଟ ସଂଗ୍ରହ କରୁଛନ୍ତି। ବାହାରିନ୍‌ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ଡକ୍ଟର ଅରୁଣ କୁମାର ପ୍ରହରାଜ, କାର୍ଯ୍ୟ ନିର୍ବାହୀ ସଦସ୍ୟ ସୁବାସ ସାହୁ, ହିମାଂଶୁ ତାଲ୍‌ଡି ବିମାନ ବନ୍ଦରରେ ଉପସ୍ଥିତ ରହି ସ୍ଥିତି ସମୀକ୍ଷା କରିବା ସହ ଲୋକମାନଙ୍କୁ ସହଯୋଗ କରୁଛନ୍ତି।

LEAVE A REPLY

Please enter your comment!
Please enter your name here