ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ବାହାରିନରେ ପାଳନ ହେବ ‘ଆଜାଦୀ କା ଅମୃତ’ ମହୋତ୍ସବ। ଏଥିପାଇଁ ଶୁକ୍ରବାର ବାହରିନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏକ ପ୍ରସ୍ତାବ ଆହ୍ଵାନ ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଛି। ବାହରିନରେ ଥିବା ଭାରତୀୟ ରାଷ୍ଟ୍ରଦୂତ ପୀୟୂଷ ଶ୍ରୀବାସ୍ତବଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭାରତୀୟ ଅନୁଷ୍ଠାନମାନଙ୍କ ପକ୍ଷରୁ ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ଡକ୍ଟର ଅରୁଣ କୁମାର ପ୍ରହରାଜ ସାମିଲ ହୋଇଥିଲେ।

“ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳନ ହେଉଥିବା ଏହି ଆଜାଦୀ କା ଅମୃତ ମହୋତ୍ସବରେ ଭାରତର ୭୫ଟି ଐତିହ୍ୟ ସମ୍ପନ୍ନ ଲୋକଶିଳ୍ପର ଉତ୍ପାଦ ବାହରିନ ସମେତ ବିଶ୍ୱର ଅନ୍ୟାନ୍ୟ ଦେଶମାନଙ୍କରେ ପ୍ରଦର୍ଶନ ହେଉ। ସେହିପରି ୭୫ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ସମ୍ବଳିତ ପ୍ରଦର୍ଶନ ହେଉ। ୭୫ ସଂଖ୍ୟା ଅଧାରରେ ଭାରତୀୟ ଫଳ ବୃକ୍ଷଗୁଡ଼ିକୁ ମଧ୍ୟ ବିଦେଶ ମାଟିରେ ରୋପଣ କରିବାର ଆୟୋଜନ ହେଉ। ଏହାଦ୍ୱାରା ଭାରତ ଓ ବାହରିନ ଉଭୟ ରାଷ୍ଟ୍ର ମଧ୍ୟରେ ପାରସ୍ପରିକ ସଦ୍ଭାବନା ବଜାୟ ରହି ପାରିବ”, କହିଥିଲେ ଡକ୍ଟର ଅରୁଣ କୁମାର ପ୍ରହରାଜ।ଏଥିସହିତ ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳାର ଏକ ଦୃଶ୍ୟକୁ ଏହି ଉତ୍ସବରେ ପ୍ରଦର୍ଶନ କରାଗଲେ ତାହା ଏହାକୁ ଆହୁରି ସ୍ଵତନ୍ତ୍ର କରିପାରିବ। ବାହରିନ ମଧ୍ୟ ଏ ବର୍ଷ ତାର ସ୍ଵାଧୀନତାର ୫୦ ବର୍ଷ ପୂର୍ତ୍ତି ପାଳନ କରୁଛି। ତେଣୁ ବାହାରିନରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଉଭୟ ରାଷ୍ଟ୍ରର କୂଟନୈତିକ ସଂହତି ଓ ସଦ୍ଭାବନାକୁ ଆହୁରି ଶକ୍ତ କରିବ।

ଡକ୍ଟର ପ୍ରହରାଜଙ୍କର ଏହି ପ୍ରସ୍ତାବଗୁଡ଼ିକୁ ରାଷ୍ଟ୍ରଦୂତ ପୀୟୂଷ ଶ୍ରୀବାସ୍ତବ ଗ୍ରହଣ କରିବା ସହ ପ୍ରଶଂସା କରିଥିଲେ।

Comment