ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାହାରିନରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଭୁବନେଶ୍ୱର ଆସିଲା ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ। ବନ୍ଦେ ଭାରତ ମିଶନ ଅଧୀନରେ ଏହି ବିମାନ ଭାୟା ଦିଲ୍ଲୀ ଦେଇ ଭୁବନଶ୍ୱର ଆସିଛି। ଏଆଇ ୦୯୪୦ ବିମାନ ଆଜି ଅପରାହ୍‌ଣ ୧ଟା୫ରେ ବାହାରିନ ଅନ୍ତର୍ଜାତୀୟ ବିମାନ ବନ୍ଦର ଛାଡ଼ିଥିଲା। ରାତି ୧୦ଟା ୨୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ। ଏଥିରେ ୧୪୨ ଜଣ ଶ୍ରମଜୀବୀ ଏବଂ ତାଙ୍କ ପରିବାର ଆସିଥିବା ଜଣାପଡ଼ିଛି।

କରୋନା ଲକ୍‌ଡାଉନ୍‌ ବେଳେ ବାହାରିନରେ ରହୁଥିବା ବହୁ ଓଡ଼ିଆ ଶ୍ରମଜୀବୀ ସେମାନଙ୍କ ଜୀବୀକା ହରାଇଥିଲେ। ଅଢ଼େଇ ମାସ ହେଲା ସେମାନେ ଅତି କଷ୍ଟରେ ଜୀବନ ଅତିବାହିତ କରୁଥିଲେ। ସେମାନେ ନିଜ ଗାଁକୁ ଫେରିଯିବା ପାଇଁ ଚାହୁଁଥିଲେ। ଏହି ସମୟରେ ବାହାରିନ୍‌ ଓଡ଼ିଆ ସମାଜ ସେମାନଙ୍କୁ ସହାୟତାର ହାତ ବଢ଼ାଇଥିଲା।

ବାହାରିନରୁ ଯେଉଁ ଓଡ଼ିଆମାନେ ନିଜ ଭିଟାମାଟିକୁ ଫେରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା କରିବାକୁ ଓଡ଼ିଆ ସମାଜ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ବାହାରିନରେ ଥିବା ଭାରତୀୟ ଦୂତାବାସ ସହ ଆଲୋଚନା କରିଥିଲା ବାହାରିନ ଓଡ଼ିଆ ସମାଜ। ‘ବନ୍ଦେ ଭାରତ ମିଶନ’ ଅଧୀନରେ ପଞ୍ଜୀକରଣ କରିଥିବା ଲୋକଙ୍କ ଭିତରେ ଅଧିକାଂଶ ବୃଦ୍ଧ, ଛୋଟ ପିଲା ଏବଂ ଗର୍ଭବତୀ ମହିଳା ଥିବାରୁ ସେମାନଙ୍କ ପାଇଁ ବାହାରିନରୁ ଭୁବନେଶ୍ୱରକୁ ସିଧାସଳଖ ବିମାନ ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଥିଲା।

‘‘ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଯୋଗୁଁ ବନ୍ଦେ ଭାରତ ମିଶନ ଅଧୀନରେ ଆମର ବନ୍ଦେ ଉତ୍କଳ ମିଶନ ସଫଳ ହୋଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବୈଦେଶିକ ମନ୍ତ୍ରାଳୟର ଯୁଗ୍ମ ସଚିବ ରାହୁଲ ଶ୍ରୀବାସ୍ତବ ଏବଂ ଭାରତୀୟ ଦୂତାବାସ ଏଥିରେ ସହଯୋଗ କରିଥିବାରୁ ସେମାନଙ୍କୁ ଧନ୍ୟବାଦ’’, କହିଛନ୍ତି ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ଡକ୍ଟର ଅରୁଣ କୁମାର ପ୍ରହରାଜ।

Comment