ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାକୁ ଫେରିବାକୁ ଚାହୁଁଥିବା ପ୍ରବାସୀମାନେ ଭାରତୀୟ ଦୂତାବାସ ସାହାଯ୍ୟରେ ରେଜିଷ୍ଟ୍ରେସନ କରିପାରିବେ।

ଜୁଲାଇ ୧୧ ତାରିଖରେ ବାହାରିନରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ଭୁବନେଶ୍ୱର ଆସିବ। ଯେଉଁ ପ୍ରବାସୀ ଓଡ଼ିଆମାନେ ବାହାରିନରେ ଫସି ରହିଛନ୍ତି ସେମାନେ ଏହି ବିମାନ ଜରିଆରେ ଓଡ଼ିଶା ଫେରିପାରିବେ। ‘ବନ୍ଦେ ଭାରତ ମିଶନ’ ଯୋଜନାରେ କେନ୍ଦ୍ର ସରକାର ପ୍ରବାସୀଙ୍କୁ ଫେରାଇ ଆଣିବା ପାଇଁ ଏହି ବିମାନ ଯାତ୍ରାକୁ ଅନୁମତି ପ୍ରଦାନ କରିଛନ୍ତି।

ଜୁଲାଇ ୧୧ ତାରିଖ ସ୍ଥାନୀୟ ସମୟ ଦିନ ୧ଟା ୫ ମିନିଟରେ ଏୟାର ଇଣ୍ଡିଆର ଏହି ବିମାନଟି ବାହାରିନ୍ ଛାଡ଼ିବ। ଏହାପରେ ଭାୟା ଦିଲ୍ଲୀ ଦେଇ ଏହି ବିମାନଟି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆସି ପହଞ୍ଚିବ। ଏହି ବିମାନରେ ୧୫୦ ଜଣ ପ୍ରବାସୀ ଓଡ଼ିଆ ନିଜ ଜନ୍ମମାଟିକୁ ଫେରିପାରିବେ ବୋଲି ସୂଚନା ମିଳିଛି।

ଏଥିପାଇଁ ସେଠାରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ପ୍ରଥମେ ଭାରତୀୟ ଦୂତାବାସ ସହଯୋଗରେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ଏଥିସହିତ ବିମାନ ଯାତ୍ରା ପାଇଁ ଟିକେଟ୍ ମଧ୍ୟ କରିବାକୁ ପଡ଼ିବ। ଏହି ଟିକେଟର ଦାମ ଭାରତୀୟ ମୁଦ୍ରାରେ ୨୬ ହଜାର ଟଙ୍କା ରଖାଯାଇଛି।

ଏହାପୂର୍ବରୁ ମଧ୍ୟ ଜୁନ୍ ୨୦ ତାରିଖରେ ବାହାରିନରେ ଥିବା ୧୪୨ ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ଫେରାଇ ଅଣାଯାଇଥିଲା। ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ସେହି ପ୍ରବାସୀ ଓଡ଼ିଆମାନେ ନିଜ ଜନ୍ମମାଟିକୁ ଫେରିପାରିଥିଲେ। ଏବେ ପୁଣିଥରେ ଆଉ ଏକ ବିମାନରେ ବାହାରିନରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଓଡ଼ିଶା ଫେରିପାରିବେ।

Comment