ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଜୁଲାଇ ୧୧ରେ ବାହାରିନ୍‌ ଓଡ଼ିଶା ଆସିବ ଆଉ ଏକ ବିମାନ
  • ଏୟାର ଇଣ୍ଡିଆ ଅଫିସରୁ ପ୍ରବାସୀ ଓଡ଼ିଆ କିଣିଲେ ଟିକେଟ
  • କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲା ବାହାରିନ ଓଡ଼ିଆ ସମାଜ
  • ସ୍ଥାନୀୟ ସମୟ ଦିନ ୧ଟା୫ରେ ଛାଡ଼ିବ ବିମାନ
  • ରାତି ୧୦ଟା୨୦ରେ ଭୁବନେଶ୍ୱରରେ ପହଞ୍ଚିବ ବିମାନ

ଜୁଲାଇ ୧୧ ତାରିଖରେ ବାହାରିନରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏୟାର ଇଣ୍ଡିଆର ଆଉ ଏକ ସ୍ୱତନ୍ତ୍ର ବିମାନ ଭୁବନେଶ୍ୱର ଆସିବ। ଏଥିପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଛି। ନିଜ ଭିଟାମାଟିକୁ ଫେରିବାକୁ ଚାହୁଁଥିବା ପ୍ରବାସୀ ଓଡ଼ିଆମାନେ ଟିକେଟ କିଣିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ଯାତ୍ରୀମାନେ ବାହାରିନରୁ ଓଡ଼ିଶା ଆସିବେ ସେମାନଙ୍କ ପାଇଁ ବିମାନ ଭଡ଼ା ହ୍ରାସ କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ଟିକେଟ ମୂଲ୍ୟ ୩୦ ହଜାର ଟଙ୍କା ଥିବା ବେଳେ ଏଥର ୨୬ ହଜାର ଟଙ୍କାକୁ ହ୍ରାସ ପାଇଛି। ଏଥିପାଇଁ ପ୍ରବାସୀ ଓଡ଼ିଆମାନେ ଖୁସି ପ୍ରକାଶ କରିଛନ୍ତି। ବାହାରିନ୍‌ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କୁ ଧନ୍ୟବାଦ ଦେଇଛନ୍ତି।

ଯେଉଁ ପ୍ରବାସୀ ଓଡ଼ିଆମାନେ ବାହାରିନରେ ଫସି ରହିଛନ୍ତି ସେମାନେ ଏହି ବିମାନ ଜରିଆରେ ଓଡ଼ିଶା ଫେରିପାରିବେ। ‘ବନ୍ଦେ ଭାରତ ମିଶନ’ ଯୋଜନାରେ କେନ୍ଦ୍ର ସରକାର ପ୍ରବାସୀଙ୍କୁ ଫେରାଇ ଆଣିବା ପାଇଁ ଏହି ବିମାନ ଯାତ୍ରାକୁ ଅନୁମତି ପ୍ରଦାନ କରିଛନ୍ତି।

ଏୟାର ଇଣ୍ଡିଆ ଅଫିସ୍‌ ନିକଟରେ ଆଜି ଡକ୍ଟର ଅରୁଣ କୁମାର ପ୍ରହରାଜ ଏବଂ ବାହାରିନ୍‌ ଓଡ଼ିଆ ସମାଜର କାର୍ଯ୍ୟକାରୀ କମିଟିର ସଦସ୍ୟ ସୁବାସ ସାହୁ, ହିମାଂଶୁ ତାଲଦି, ଅରୁଣିତା ପ୍ରହରାଜ ଏବଂ ସୁନିତା ପ୍ରହରାଜ ଉପସ୍ଥିତ ଥିଲେ। ଟିକେଟ କିଣୁଥିବା ଓଡ଼ିଆଙ୍କୁ ସହଯୋଗ କରିଥିଲେ।

CGU new‘‘କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ବାହାରିନ୍‌ରେ ଥିବା ଭାରତୀୟ ଦୂତାବାସର ସହଯୋଗରେ ଏୟାର ଇଣ୍ଡିଆର ଆଉ ଏକ ବିମାନ ଭୁବନେଶ୍ୱର ଯାତ୍ରା କରିବ। ଗତଥର ଅପେକ୍ଷା ଏଥର ଏୟାର ଇଣ୍ଡିଆ ଟିକେଟ ମୂଲ୍ୟ ହ୍ରାସ ପାଇଛି। ଏହା ଆମମାନଙ୍କ ପାଇଁ ଖୁସିର କଥା। ବାହାରିନରେ ଥିବା ଓଡ଼ିଆମାନେ ଭଲରେ ତାଙ୍କ ଘରେ ପହଞ୍ଚନ୍ତୁ ଏହା ହିଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା’’, କହିଛନ୍ତି ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହରାଜ।

ବାହାରିନରୁ ଓଡ଼ିଶାକୁ ଦ୍ୱିତୀୟ ବିମାନର ବ୍ୟବସ୍ଥା କରାଯାଇଥିବାରୁ ଡକ୍ଟର ପ୍ରହରାଜଙ୍କ ସମେତ ତାଙ୍କ ଟିମ୍‌ର ସମସ୍ତ ସଦସ୍ୟ ଏବଂ ପ୍ରବାସୀ ଓଡ଼ିଆମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରର ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଯୁଗ୍ମ ସଚିବ ରାହୁଲ ଶ୍ରୀବାସ୍ତବଙ୍କୁ ଧନ୍ୟବାଦ ଦେଇଛନ୍ତି।

ଜୁଲାଇ ୧୧ ତାରିଖରେ ସ୍ଥାନୀୟ ସମୟ ଦିନ ୧ଟା ୫ ମିନିଟରେ ଏୟାର ଇଣ୍ଡିଆର ଏହି ବିମାନଟି ବାହାରିନ୍ ଛାଡ଼ିବ। ବିମାନଟି ଭାୟା ଦିଲ୍ଲୀ ଦେଇ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ରାତି ୧୦ଟା୨୦ରେ ପହଞ୍ଚିବ।

ଗତ ଜୁନ୍ ୨୦ ତାରିଖରେ ବାହାରିନରେ ଥିବା ୧୪୨ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏୟାର ଏକ ସ୍ୱତନ୍ତ୍ର ବିମାନ ଭୁବନେଶ୍ୱର ଆସିଥିଲା। ପ୍ରବାସୀ ଓଡ଼ିଆମାନେ ନିଜ ଜନ୍ମମାଟିକୁ ଫେରିପାରିଥିଲେ।

Comment