ଓଡ଼ିଶାଲାଇଭ୍ ବ୍ୟୁରୋ

ସାଉଦି ଆରବର ତାଇବକୁ କାମ କରିବାକୁ ଯାଇ ନିର୍ଯାତନାର ଶିକାର ହୋଇଥିବା ପାଞ୍ଚଜଣ ଓଡ଼ିଆ ଯୁବକଙ୍କ ମଧ୍ୟରୁ ତିନିଜଣ ଘରକୁ ଫେରିବେ। ଆଉ ଦୁଇଜଣଙ୍କ ନାଁରେ ପୋଲିସ୍ ମାମଲା ରହିଥିବାରୁ ସେମାନଙ୍କୁ ରାଜ୍ୟକୁ ଫେରାଇ ଆଣିବା ସମ୍ଭବପର ହୋଇପାରି ନାହିଁ। ବହାରିନ ଓଡ଼ିଆ ସମାଜ ପ୍ରତିଷ୍ଠାତା ଚେୟାରମ୍ୟାନ୍ ତଥା ଗ୍ଲୋବାଲ୍ ଓଡ଼ିଆ ଡାଏସ୍ପୋରାର ପ୍ରତିଷ୍ଠାତା ନିର୍ଦ୍ଦେଶକ ଡକ୍ଟର ଅରୁଣ କୁମାର ପ୍ରହାରାଜଙ୍କ ପ୍ରଚେଷ୍ଟାରେ ଏହି ଯୁବକମାନେ ସାଉଦିରୁ ମୁକୁଳି ପାରିଛନ୍ତି।

ଭାରତ ଏବଂ ସାଉଦି ଆରବର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ସହଯୋଗରେ ଶୁକ୍ରବାର ତିନିଜଣ ଘରକୁ ଫେରିବେ। ସାଉଦି ଆରବର ଜେଡ୍ଡାଠାରେ ଥିବାର ଭାରତୀୟ ଦୂତାବାସ ପକ୍ଷରୁ ତିନି ଓଡ଼ିଆ ଶ୍ରମିକଙ୍କୁ ରାଜ୍ୟକୁ ଫେରିବା ପାଇଁ ଅନୁମତି ମିଳିଛି। ସେମାନେ ୩୧ ତାରିଖରେ ବିମାନ ଯୋଗେ ଦୁବାଇଠାରୁ ଆସି ଆସନ୍ତା ଫେବ୍ରୁଆରି ୧ ତାରିଖରେ କୋଲକାତାରେ ପହଞ୍ଚିବେ। ସେଠାରୁ ଓଡ଼ିଶା ଆସିବେ। ତିନି ଯୁବକ ହେଲେ ଯାଜପୁର ଜିଲ୍ଲାର ଶେଖ ସଲମାନ, ଶେଖ ନାସାଦ ଆଲାମ ଏବଂ ଶେଖ ଅବଦୁଲ ଖାଲିଦ।

ଯାଜପୁର ଜିଲ୍ଲାର ପାଞ୍ଚଜଣ ଯୁବକ ସାଉଦି ଆରବର ତାଏବଠାରେ ଥିବା ସର୍ପତ ଆଲହିନ୍ଦ ଇଣ୍ଡିଆନ ରେଷ୍ଟୁରାଣ୍ଟରେ କାମ କରୁଥିଲେ। ଚୁକ୍ତି ଅନୁସାରେ ଓଡ଼ିଆ ଯୁବକଙ୍କୁ ଦରମା ନଦେଇ ପେମେଣ୍ଟ ଭାଉଚରରେ ଦସ୍ତଖତ ନେଉଥିଲେ ରେଷ୍ଟୁରାଣ୍ଟ ମାଲିକ। ପ୍ରତିବାଦ କରିବାକୁ ନିର୍ଯାତନା ଦେବା ସହ ସେମାନଙ୍କ ବିରୋଧରେ ମିଥ୍ୟା ପୋଲିସ୍ ମାମଲା ରୁଜୁ କରାଯାଇଥିଲା। ଫଳରେ ସେମାନେ ସାଉଦିରୁ ଆଉ ଘରକୁ ଫେରି ପାରୁନଥିଲେ। ନିର୍ଯାତନାର ଶିକାର ହୋଇଥିବା ପାଞ୍ଚଜଣ ଓଡ଼ିଆ ଯୁବକ ଘଟଣା ସମ୍ପର୍କରେ ଡକ୍ଟର ଅରୁଣ ପ୍ରହାରାଜଙ୍କୁ ଜଣାଇଥିଲେ। ପରେ ସେ ଗତ ନଭେମ୍ବର ୨୦୨୧ ମସିହାରେ ଭାରତ ଏବଂ ସାଉଦି ଆରବର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ସହଯୋଗ କରିଥିଲେ। ନିରପେକ୍ଷ ତଦନ୍ତ ପରେ ତିନି ଯୁବକଙ୍କୁ ରାଜ୍ୟକୁ ଫେରିବା ପାଇଁ ଅନୁମତି ମିଳିଛି।

“ପାଞ୍ଚ ଜଣଙ୍କ ମଧ୍ୟରୁ ଅନ୍ୟ ଦୁଇଜଣ ମହମ୍ମଦ ଜଲାଲ ଉଦ୍ଦିନ ଏବଂ ଶେଖ ଇମ୍ରାନଙ୍କ ବିରୋଧରେ ପୁଲିସ ମାମଲା ହଟି ନଥିବାରୁ ସେମାନେ ଫେରି ପାରିନାହାନ୍ତି। ତୁରନ୍ତ ସେମାନଙ୍କୁ ଓଡ଼ିଶା ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି”, କହିଛନ୍ତି ଡକ୍ଟର ଅରୁଣ ପ୍ରହରାଜ।

Comment