ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାହାରିନରୁ ଭୁବନେଶ୍ୱରକୁ ସିଧାସଳଖ ବିମାନ ବ୍ୟବସ୍ଥା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲା ବାହାରିନ ଓଡ଼ିଆ ସମାଜ।

ଜୁନ୍‌ ୨୦ ତାରିଖରେ ବାହାରିନରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ଭୁବନେଶ୍ୱର ଆସିବ। ବାହାରିନ ଅନ୍ତର୍ଜତୀୟ ବିମାନ ବନ୍ଦରରୁ ସ୍ଥାନୀୟ ସମୟ ଅପରାହ୍‌ଣ ୧ଟା୫ରେ ଏହି ବିମାନ ଛାଡ଼ିବ। ରାତି ୧୦ଟା୨୦ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବ। ଏୟାର ଇଣ୍ଡିଆର ବିମାନ ନମ୍ବର ଏଆଇ ୦୯୪୦ ଭାୟା ଦିଲ୍ଲୀ ହୋଇ ଭୁବନେଶ୍ୱର ଆସିବ। ବାହାରିନର ୧୭୫ ଓଡ଼ିଆ ଓଡ଼ିଶା ଫେରିବା ପାଇଁ ‘ବନ୍ଦେ ଭାରତ ମିଶନ’ ଯୋଜନାରେ ପଞ୍ଜୀକରଣ କରିଥିଲେ।

ଏଥିପାଇଁ ବାହାରିନ୍‌ ଓଡ଼ିଆ ସମାଜର ସଭାପତି ଡକ୍ଟର ଅରୁଣ କୁମାର ପ୍ରହରାଜ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟର ନୋଡାଲ ଅଫିସର ରାହୁଲ ଶ୍ରୀବାସ୍ତବଙ୍କୁ ଧନ୍ୟବାଦ ଦେଇଛନ୍ତି।

‘‘ବାହାରିନ୍‌ରୁ ଓଡ଼ିଆମାନଙ୍କୁ ନେଇ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ଭୁବନେଶ୍ୱର ଯିବ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ବାହାରିନର ପ୍ରବାସୀ ଓଡ଼ିଆଙ୍କୁ ନିଜ ଭିଟାମାଟିକୁ ଫେରାଇ ନେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି ବିଶେଷ ବ୍ୟବସ୍ଥା କରାଯାଇଥିବାରୁ ଆମେ ବହୁତ ଖୁସି’’, କହିଛନ୍ତି ବାହାରିନ ଓଡ଼ିଆ ସମାଜର ସଭାପତି ଡକ୍ଟର ଅରୁଣ କୁମାର ପ୍ରହରାଜ।

କରୋନା ଲକ୍‌ଡାଉନ୍‌ ବେଳେ ବାହାରିନରେ ରହୁଥିବା ବହୁ ଓଡ଼ିଆ ଶ୍ରମଜୀବୀ ସେମାନଙ୍କ ଜୀବୀକା ହରାଇଥିଲେ। ଅଢ଼େଇ ମାସ ହେଲା ସେମାନେ ଅତି କଷ୍ଟରେ ଜୀବନ ଅତିବାହିତ କରୁଥିଲେ। ସେମାନେ ନିଜ ଗାଁକୁ ଫେରିଯିବା ପାଇଁ ଚାହୁଁଥିଲେ। ଏହି ସମୟରେ ବାହାରିନ୍‌ ଓଡ଼ିଆ ସମାଜ ସେମାନଙ୍କୁ ସହାୟତାର ହାତ ବଢ଼ାଇଥିଲା।

ବାହାରିନରୁ ଯେଉଁ ଓଡ଼ିଆମାନେ ନିଜ ଭିଟାମାଟିକୁ ଫେରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା କରିବାକୁ ଓଡ଼ିଆ ସମାଜ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ବାହାରିନରେ ଥିବା ଭାରତୀୟ ଦୂତାବାସ ସହ ଆଲୋଚନା କରିଥିଲା ବାହାରିନ ଓଡ଼ିଆ ସମାଜ। ‘ବନ୍ଦେ ଭାରତ ମିଶନ’ ଅଧୀନରେ ପଞ୍ଜୀକରଣ କରିଥିବା ଲୋକଙ୍କ ଭିତରେ ଅଧିକାଂଶ ବୃଦ୍ଧ, ଛୋଟ ପିଲା ଏବଂ ଗର୍ଭବତୀ ମହିଳା ଥିବାରୁ ସେମାନଙ୍କ ପାଇଁ ବାହାରିନରୁ ଭୁବନେଶ୍ୱରକୁ ସିଧାସଳଖ ବିମାନ ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଥିଲା।

ଲକ୍‌ଡାଉନ୍‌ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୫ଟି ଦେଶରେ ଥିବା ଓଡ଼ିଆ ସମାଜର ମୁଖ୍ୟ ଓ ପ୍ରତିନିଧିମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ। ବାହାରିନରେ ଥିବା ଓଡ଼ିଆ ଶ୍ରମଜୀବୀମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଥିଲେ ସେ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ବାହାରିନ ଓଡ଼ିଆ ସମାଜ।

ଓଡ଼ିଶା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବାହାରିନ ଓଡ଼ିଆ ସମାଜ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ। ମେ’ ୩୦ ତାରିଖରେ କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ବିଦେଶରେ ଯେଉଁ ଓଡ଼ିଆମାନେ ଅଛନ୍ତି ସେମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ନିବେଦନ କରିଥିଲେ। ଏହି ଆଲୋଚନା ବେଳେ ବାହାରନରେ ଓଡ଼ିଆ ଶ୍ରମଜୀବୀମାନେ ଯେଉଁ ଅସୁବିଧା ଭୋଗୁଛନ୍ତି ସେ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏନେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପଦକ୍ଷେପ ନେଇଥିଲେ।

ମନ୍ତ୍ରୀ ଶ୍ରୀ ସ୍ୱାଇଁ ବାହାରିନରୁ ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରିବାକୁ କେନ୍ଦ୍ର ବୈଦେଶିକ ମନ୍ତ୍ରାଳାୟର ଓଡ଼ିଆ ଦାୟିତ୍ୱରେ ଥିବା ନୋଡାଲ ଅଫିସର ରାହୁଲ ଶ୍ରୀବାସ୍ତବଙ୍କୁ ଚିଠି ଲେଖିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମକ୍ରମେ ବାହାରନରୁ ଭୁବନେଶ୍ୱରକୁ ସିଧାସଳଖ ବିମାନ ବ୍ୟବସ୍ଥା କରାଯାଇଥିବା ବାହାରିନ ଓଡ଼ିଆ ସମାଜର ସଭାପତି ଡକ୍ଟର ଅରୁଣ କୁମାର ପ୍ରହରାଜ ସୂଚନା ଦେଇଛନ୍ତି।

ବାହାରିନରୁ ଭୁବନେଶ୍ୱରୁ ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା ହୋଇଥିବାରୁ ଡକ୍ଟର ଅରୁଣ ପ୍ରହରାଜଙ୍କ ସମେତ ପରିଚାଳନା କମିଟିର ସଦସ୍ୟ ସୁବାସ ସାହୁ, ଶ୍ରମିକ କ୍ୟାମ୍ପର ସଂଯୋଜକ ସଞ୍ଜୟ ପଣ୍ଡା ଖୁସି ବ୍ୟକ୍ତ କରିଛନ୍ତି।

Comment