ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବ ଲଦାଖର ଗଲୱାନ୍ ଘାଟିରେ ଘଟିଥିବା ହିଂସାତ୍ମକ କାଣ୍ଡ ଓ ନର ସଂହାରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏବେ ପୂରା ଆକ୍ସନ ମୁଡ୍‌ରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏଥିରେ ସବୁ ପ୍ରମୁଖ ଦଳର ସଭାପତି ସାମିଲ ହେବେ। ଇତି ମଧ୍ୟରେ ମୋଦୀ ସ୍ପଷ୍ଟ କରିଦେଇଛନ୍ତି ଯେ, ଭାରତ ପଡୋଶୀ ଦେଶମାନଙ୍କ ସହ ଉତ୍ତମ ସମ୍ପର୍କ ରଖିବା ପାଇଁ ଚାହେଁ। କିନ୍ତୁ ଯଦି କେହି ଉସୁକେଇବେ ଆମେ ତାର ଜବାବ ଦେବାକୁ ପ୍ରସ୍ତୁତ।

ଏଣେ ଖବର ଆସୁଛି ଯେ, ଭାରତୀୟ ସେନାର ସମସ୍ତ ସୈନିକମାନଙ୍କ ଛୁଟି ବାତିଲ କରିଦିଆଯାଇଛି। ଚୀନ ସହିତ ଉପୁଜିଥିବା ପରିସ୍ଥିତିର ମୁକାବିଲା ପାଇଁ ଜଳ, ସ୍ଥଳ ଓ ଆକାଶ ତିନୋଟିଯାକ ବିଭାଗର ସୈନ୍ୟମାନଙ୍କୁ ଆଲର୍ଟ କରାଯାଇଛି।

ବୁଧବାର ଦିନ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ତିନି ସେନା ପ୍ରମୁଖଙ୍କଙ୍କ ସହ ଜରୁରୀ ବୈଠକ କରିଥିଲେ। ତିନି ସେନାକୁ ସଜାଗ ରହିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ହୋଇଥିଲା। ପୂର୍ବରୁ ହିଁ ସ୍ଥଳସେନା ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା ଓ ଫ୍ରଣ୍ଟ ଲାଇନ ସ୍ଥାନ ନିକଟରେ ସୈନିକମାନଙ୍କୁ ଠୁଳ କରି ସାରିଛି। ଠିକ୍ ସେହିଭଳି ବାୟୁସେନା ମଧ୍ୟ ତାର ଫରୱାର୍ଡ ଲାଇନର ବେସ ଷ୍ଟେସନରେ ଆଲର୍ଟ ବଢ଼ାଇ ଦେଇଛି। ଚୀନକୁ ଚେତାବନୀ ଦେବା ପାଇଁ ହିନ୍ଦ ମହାସାଗରରେ ନୌସେନା ବି ତାର ଉପସ୍ଥିତିକୁ ଜୋରଦାର କରିଛି।

ଚୀନ ସହିତ ଉପୁଜିଥିବା ବିବାଦର ସମାଧାନ ପାଇଁ ବାଟ ଫିଟିବ କି ନା ତାହା ଜଣାପଡିନାହିଁ। ତେବେ ସ୍ଥଳସେନା ପକ୍ଷରୁ ଜୋରଦାର ପ୍ରସ୍ତୁତ ଚାଲିଥିବା ବେଳେ ସମ୍ଭାବ୍ୟ ମୁକାବିଲା ପାଇଁ ମାଲାକ୍କା ଷ୍ଟ୍ରେଟ୍ ନିକଟରେ ଯୁଦ୍ଧ ଜାହାଜ ସ୍ଥାନିତ କରିବାକୁ କୁହାଯାଇଛି। ଯଦି ଆବଶ୍ୟକ ହୁଏ ଭାରତ- ପ୍ରଶାନ୍ତ ମହାସାଗର କ୍ଷେତ୍ରକୁ ମଧ୍ୟ ବ୍ୟବହାର କରାଯାଇପାରେ।

ଗତ କିଛି ଦିନ ଧରି ଲଦାଖରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାର ସମାଧାନ କଥାବାର୍ତ୍ତା ଜରିଆରେ କରିବା ପାଇଁ ଭାରତ ଚାହୁଁଥିଲା। କିନ୍ତୁ ସୋମବାର ରାତିରେ ୨୦ ଅଫିସର ଓ ସୈନିକଙ୍କ ବଳିଦାନ ପରେ ଭାରତ ଏଥିରେ ଆଉ ଢିଲା ଦେବାକୁ ଚାହୁଁ ନାହିଁ। ଚୀନ ପାଇଁ ଭାରତ ଏବେ ଏକ ନୂଆ ରଣନୀତି ପ୍ରସ୍ତୁତ କରୁଛି।

Comment