ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସରକାରଙ୍କର ଭିନ୍ନକ୍ଷମ ଓ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ କିନ୍ନର ମାନଙ୍କ ବିକାଶ ପାଇଁ “ସ୍ଵୀକୃତି” ନାମକ ଏକ ନୂଆ ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନାରେ କେନ୍ଦ୍ରାପଡ଼ାର ସବେରା କିନ୍ନରଙ୍କୁ ପ୍ରଥମ ଶିକ୍ଷା ବୃତ୍ତି ମିଳିଛି। କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ସବେରାଙ୍କୁ ୧୫ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି। ଏହାଛଡା କେନ୍ଦ୍ରାପଡା ଜିଲ୍ଲାରେ ଆଉ ଜଣେ କିନ୍ନରଙ୍କୁ ସ୍ଵେଚ୍ଛାସେବୀ ସହାୟକ ଭାବେ ନିଯୁକ୍ତି ଦେଇଛି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ।

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ବଡତଇଳା ଗାଁର ସବେରା ବେଗମ୍। ସବେରା ବେଗମ୍ ଏବେ ରାଜକନିକା ଏସଏନ୍ କଲେଜରେ +୩ ଶ୍ରେଣୀର ୨ୟ ବର୍ଷରେ ପଢୁଛନ୍ତି। କବାଡି ଖେଳରେ ତାଙ୍କର ଅଧିକ ଦଖଲ ରହିଥିବାରୁ ସେ ଉତ୍କଳ ବିଶ୍ଵ ବିଦ୍ୟାଳୟର ମହିଳା କବାଡି ଟିମ୍ର କ୍ୟାପ୍ଟେନ ଭାବେ ସାରା ଓଡିଶାରେ ନା କମାଇଛନ୍ତି। ବିଭିନ୍ନ ସ୍ଥାନରେ ତାଙ୍କୁ ଏହି ଖେଳରେ ପୁରସ୍କାର ବି ମିଳିଛି।

ଜୀବନରେ ଆଗକୁ ବଢିବାକୁ ତାଙ୍କର ଅନେକ ସ୍ଵପ୍ନ ରହିଛି ।ପୋଲିସ କିମ୍ବା ଫୌଜିରେ ନିଜର ଜୀବିକା ଗଢିବାକୁ ତାଙ୍କର ଅନେକ ଆଗ୍ରହ ରହିଛି। ପୋଲିସ ବିଭାଗରେ ଚାକିରୀ କରିବାକୁ ପ୍ରତିଯୋଗିତାରେ ସେ କୃତକାର୍ଯ୍ୟ ହୋଇଛନ୍ତି। ହେଲେ ଡାକ୍ତରୀ ପରୀକ୍ଷା ବେଳେ ତାଙ୍କୁ ଅକୃତକାର୍ଯ୍ୟ ହେବାକୁ ପଡିଛି ବୋଲି ପ୍ରକାଶ କରିଛନ୍ତି ସବେରା ବେଗମ୍।

ଜିଲ୍ଲାରେ ଏପର୍ଯ୍ୟନ୍ତ ୭ ଜଣ କିନ୍ନରଙ୍କୁ ଠାବ କରିଛି କେନ୍ଦ୍ରାପଡା ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ। ଏହି ଯୋଜନାରେ ୫ମ ଶ୍ରେଣୀରୁ ତଦୃଦ୍ଧ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବାକୁ ଶିକ୍ଷା ବୃତ୍ତି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଏହି ବର୍ଗର ପିଲାମାନଙ୍କୁ ୧୮ ବର୍ଷ ପର୍ଯ୍ୟନ୍ତ ଲାଳନ ପାଳନ ପାଇଁ ମାସିକ ୧ ହଜାର ଟଙ୍କା ସେମାନଙ୍କ ପରିବାରକୁ ଦିଆଯିବାର ବ୍ୟବସ୍ଥା ଏହି ଯୋଜନାରେ ରହିଛି ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଅଧିକାରୀ ପ୍ରଭାସ ରଞ୍ଜନ ଦାସ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here