ଓଡ଼ିଶାଲାଇଭ୍‌ ବ୍ୟୁରୋ

 ରାଉରକେଲା ସହରର ଏକମାତ୍ର କିନ୍ନର ଭାବେ କରୋନା ଲଢେଇରେ ସାମିଲ ହୋଇଛନ୍ତି ପ୍ରିନସେସ୍‌।

କରୋନା ମହାମାରୀ ପାଇଁ ସବୁଠି ହା ହା କାର ପରିସ୍ଥିତି। ଏହି ଅଦୃଶ୍ୟ ଭୂତାଣୁ ଡରରେ ପାଖ ମାଡ଼ୁ ନାହାଁନ୍ତ ସାହି ପଡ଼ିଶା, ବନ୍ଧୁ ବାନ୍ଧବ। ସଂକ୍ରମଣ ଡର ଆଗରେ ସମ୍ପର୍କ ତୁଚ୍ଛ ମନେ ହୁଏ। ଏଭଳି କଠିନ ସମୟରେ ନିଜ ଲୋକ ପର କରି ଦେଉଥିବାବେଳେ, ରୋଗୀଙ୍କୁ ନିଜର ଭାବି ସେବା ଯୋଗାଉଛନ୍ତି ଜଣେ କିନ୍ନର। ଖାଲି ସେବା ନୁହେଁ, ଟିକାକରଣ କେନ୍ଦ୍ରରେ ଡାଟାଏଣ୍ଟ୍ରି ଅପରେଟର ଭାବେ କାମ ମଧ୍ୟ କରୁଛନ୍ତି।କିନ୍ନର ଜଣଙ୍କ ହେଉଛନ୍ତି ପ୍ରିନସେସ୍‌। ପ୍ରଥମ ଲହର ସଂକ୍ରମଣ ସମୟରେ ରାଉରକେଲାର ଏକମାତ୍ର କିନ୍ନର ଭାବେ ସେ କୋଭିଡ କେୟାର ସେଣ୍ଟରରେ କାମ କରୁଥିଲେ। ଆଉ ଏବେ ଜିଲ୍ଲା ପ୍ରଶାସନ ସହ ମିଶି ଟିକାକରଣ କେନ୍ଦ୍ରରେ କାମ କରୁଛନ୍ତି। ସହରର ପାନପୋଷ ୟୁସିଏଚ୍‌ସିରେ ଥିବା ଟିକାକରଣ କେନ୍ଦ୍ରରେ ଡାଟା ଏଣ୍ଟ୍ରି ଅପରେଟର ଭାବେ ସେ କାମ କରନ୍ତି। ପ୍ରିନସେସ୍‌ଙ୍କ ଏଭଳି କାମ ପାଇଁ ତାଙ୍କ ପରିବାରଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ, ସମ୍ପର୍କୀୟ, ସାଙ୍ଗସାଥୀ ଏବଂ ଅଞ୍ଚଳବାସୀ ବେଶ୍‌ ଖୁସି ଅଛନ୍ତି।କୋଭିଡ ସମୟରେ ସଚେତନତା ବାଣ୍ଟିବା ପାଇଁ ‘ଓଡ଼ିଶାଲାଇଭ୍’ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଉଦ୍ୟମରେ ‘କେତେ ନୂଆ ବାଟ ସିଜିନ ୨’ ଆରମ୍ଭ ହୋଇଛି। ଏହି ଅଭିଯାନରେ ୟୁନିସେଫ୍ ସହାୟତା ଦେଇଥିଲା ବେଳେ ‘ମୋ କଲେଜ’ ଏହାର ନଲେଜ୍ ପାର୍ଟନର ରହିଛି। ଏହି ଅଭିଯାନରେ ସାମିଲ ହୋଇ କୋଭିଡ ଯୋଦ୍ଧା କିନ୍ନର ପ୍ରିନସେସ୍‌ ନିଜର ଅନୁଭୂତି ସମ୍ପର୍କରେ କହିଛନ୍ତି।“ଭାରତୀୟ ହିସାବରେ ଲୋକଙ୍କୁ ସେବା ଯୋଗାଇ ଦେବା ହେଉଛି ମୋର କର୍ତ୍ତବ୍ୟ। ଆଉ ଏଭଳି କାମ କରିବା ପଛରେ ମୋ ପରିବାରର ବଡ଼ ଭୂମିକା ରହିଛି। କିନ୍ନର ବୋଲି ସେମାନେ ମତେ କେବେ ଅବହେଳା କରିନାହାଁନ୍ତି। ଅନ୍ୟ ପିଲାମାନଙ୍କ ଭଳି ମୁଁ ମଧ୍ୟ ମୋ ବାପା ମା’ ଓ ପରିବାରଠାରୁ ଯଥେଷ୍ଟ ସ୍ନେହ, ଆଦର, ଭଲପାଇବା ପାଇଛି। ଏଥିସହ ପିଲାବେଳୁ ମୋତେ ପାଠ ପଢ଼ାରେ ମନ ଦେବାକୁ ପ୍ରେରଣା ଦେଇଆସିଛନ୍ତି ମୋ ପରିବାର ଲୋକ”, କହିଛନ୍ତି ପ୍ରିନସେସ୍‌।

ରାଉରକେଲା ସହରର ଆନନ୍ଦଭବନ ଲେନ୍‌ ଉମର କଲୋନୀରେ ପ୍ରିନସେସ୍‌ଙ୍କ ଘର। ସେଠାରେ ସେ ତାଙ୍କ ପରିବାର ସହ ରହନ୍ତି। ସେ ବାଣିଜ୍ୟରେ ସ୍ନାତକ କରିବା ସହ କମ୍ପୁଟର ଶିକ୍ଷାର ତାଲିମ ମଧ୍ୟ ନେଇଛନ୍ତି। ଏବେ ସେହି ଶିକ୍ଷା ତାଙ୍କୁ ରୋଜଗାର ଦେବାସହ ଆତ୍ମତୃପ୍ତି ଦେଉଥିବା କହିଛନ୍ତି କିନ୍ନର ପ୍ରିନସେସ୍‌।ଅନ୍ୟପକ୍ଷରେ ପ୍ରିନସେସ୍‌ଙ୍କର ଏହି କାର୍ଯ୍ୟକୁ ରାଉରକେଲା ଏଡିଏମ ଆବୋଲି ସୁନିଲ ନରୱାଣେ ବେଶ୍‌ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି, “କରୋନାର ପ୍ରଥମ ଲହର ସମୟରେ କୋଭିଡ୍‌ କେୟାର ସେଣ୍ଟରରେ କାମ କରିବାକୁ କେହି ରାଜି ହୋଇନଥିଲେ। ସେହି ସମୟରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ପ୍ରିନସେସ୍‌। ସେବେଠାରୁ ଆଜି ପର୍ଯ୍ୟନ୍ତ ସେ କରୋନା ଯୁଦ୍ଧରେ ଯୋଦ୍ଧା ଭାବେ କାମ କରିଚାଲିଛନ୍ତି। ଖାଲି ଡାଟା ଏଣ୍ଟ୍ରି ଅପରେଟର ନୁହେଁ ସରକାରଙ୍କ କୋଭିଡ୍‌ ସମ୍ବନ୍ଧୀୟ ଅନେକ କାର୍ଯ୍ୟକୁ ସେ ଏକୁଟିଆ ତୁଲାଉଛନ୍ତି।”ରାଜ୍ୟ ଏବେ କୋଭିଡ୍‌ ସଙ୍କଟ ଦେଇ ଗତି କରୁଛି। ସମସ୍ତେ ଏକମନରେ ଏ ମହାମାରୀ ସହ ଲଢ଼ିଲେ ହିଁ କରୋନା ରୂପି ଅଦୃଶ୍ୟ ଭୂତାଣୁକୁ ହରାଇପାରିବା। ଏହି ଯୁଦ୍ଧରେ ସାମିଲ ହେବାକୁ ଅନ୍ୟ କିନ୍ନରମାନଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରିନସେସ୍‌।

Comment