ଓଡ଼ିଶାଲାଇଭ୍ ବ୍ୟୁରୋ

କେରଳରେ କରୋନାର ସ୍ଥିତି ସାଙ୍ଘାତିକ ହୋଇପଡ଼ିଛି। ସରକାରୀ ତଥ୍ୟ ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ୩୦ ହଜାରରୁ ଅଧିକ  ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ବର୍ତ୍ତମାନ କେରଳରେ ପଜିଟିଭ୍ ରେଟ୍ ୧୯ ପ୍ରତିଶତ ରହିଛି। ଗୋଟିଏ ପଟେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଅନ୍ୟପଟେ ମୃତ୍ୟୁ ହାର ମଧ୍ୟ ବଢ଼ିବାରେ ଲାଗିଛି। କେରଳରେ ଏଭଳି କରୋନା ପରିସ୍ଥିତିକୁ ଦେଖି ତୃତୀୟ ଲହରର ଆଶଙ୍କା କରାଯାଉଛି।

ଆଜିର ପଜିଟିଭଙ୍କୁ ମିଶାଇ କେରଳରେ ସମୁଦାୟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା  ୪୦ଲକ୍ଷରେ ପହଞ୍ଚିଛି। ସୂଚନା ଅନୁସାରେ, ମେ’ ୨୦ତାରିଖ ପରଠାରୁ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଥିଲା। କିନ୍ତୁ କେରଳର ଲୋକପ୍ରିୟ ପର୍ବ ଓନାମ ପରେ ଏହି ସଂଖ୍ୟା ହୁ ହୁ ବୃଦ୍ଧି ପାଉଛି ବୋଲି ଆକଳନ କରାଯାଇଛି। କେରଳରେ ସବୁଠୁ ଅଧିକ ପଜିଟିଭ୍ ଚିହ୍ନଟ ହେବା ଘଟଣାରେ କେନ୍ଦ୍ର ସରକାର ଉଦବେଗ ପ୍ରକାଶ କରିଛନ୍ତି। ଏଥିସହ କେରଳରୁ ତୃତୀୟ ଲହର ଆରମ୍ଭ ହୋଇଛି ବୋଲି ଆକଳନ ବି କରାଯାଉଛି।କୋଭିଡର ପ୍ରଥମ ଏବଂ ଦ୍ୱିତୀୟ ଲହରକୁ ନିୟନ୍ତ୍ରଣ କରିବାରେ କେରଳ ସରକାରଙ୍କ ମଡେଲକୁ ଅନେକ ପ୍ରଶଂସା ମିଳିଥିଲା। ଏବେ କିନ୍ତୁ  ତୃତୀୟ ଲହରବେଳକୁ କେରଳରେ ଅସହାୟ ଅବସ୍ଥା ସୃଷ୍ଟି ହୋଇଛି। ବିଗତ ଦୁଇ ଦିନରେ କେରଳରୁ ପାଖାପାଖି ୮୦ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେଣୁ ତୃତୀୟ ଲହର କେରଳରୁ ଆରମ୍ଭ ହୋଇଯାଇଛି ବୋଲି ଆଶଙ୍କା କରାଯାଉଛି।

ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ କେବଳ କେରଳରୁ ୫୮ପ୍ରତିଶତରୁ ଅଧିକ ରହିଛନ୍ତି। ରିପୋର୍ଟ ଅନୁସାରେ ଅନ୍ୟ ରାଜ୍ୟରେ କରୋନା ସଂକ୍ରମଣ ଲଗାତାର ହ୍ରାସ ପାଉଛି। କରୋନାକୁ ମାତ୍ ଦେବା ପାଇଁ ମାସ୍କ ଏବଂ ସାମାଜିକ ଦୂରତା ପ୍ରାଥମିକ ପଦକ୍ଷେପ ବୋଲି ସରକାର ବରାବର କହି ଆସିଛନ୍ତି। କେରଳରେ ଏହି ସବୁ ନିୟମକୁ ଲୋକମାନେ ମାନୁନଥିବା ଏବଂ ବିଜୟନ ସରକାର ଠିକ୍ ଭାବରେ କୋଭିଡ  ପରିଚାଳନା କରୁନାହାନ୍ତି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି।

Comment