ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ୬ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କୋଭିଡ ସ୍ଥିତି ନେଇ ଭିଡିଓ କନଫରେନ୍ସିଂ ଜରିଆରେ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ। ଓଡ଼ିଶା ସମେତ ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳ ଓ ଆନ୍ଧ୍ର ପ୍ରଦେଶରେ କରୋନା ସ୍ଥିତି, ଅନ୍ୟ ରାଜ୍ୟ ତୁଳାନାରେ ଅଧିକ ରହିଥିବାରୁ ଏହିସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ମୋଦୀ।

ରାଜ୍ୟରେ କ’ଣ ରହିଛି କୋଭିଡ୍ ସ୍ଥିତି ଏବଂ କିପରି ଏହାର ମୁକାବିଲା କରାଯିବ, ସେନେଇ ହେବ ଆଲୋଚନା। ଏଥିସହ ସମ୍ଭାବ୍ୟ ତୃତୀୟ ଲହରକୁ ଆଖି ଆଗରେ ରଖି କିଭଳି ମହାମାରୀର ମୁକାବିଲା କରାଯିବ, ସେ ନେଇ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇପାରନ୍ତି ମୋଦୀ।କିଛି ଦିନ ତଳେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଥିଲେ, ଦେଶର ପାଞ୍ଚଟି ସର୍ବାଧିକ ସଂକ୍ରମିତ ରାଜ୍ୟ ଭିତରେ ଓଡ଼ିଶା ରହିଛି। ଜୁନ୍ ଏବଂ ଜୁଲାଇ ମାସରେ ଚିହ୍ନଟ ହୋଇଥିବା ମୋଟ ସଂକ୍ରମଣରେ ଓଡ଼ିଶାର ସ୍ଥାନ ପଞ୍ଚମରେ ରହିଛି। ଜୁଲାଇରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ କେରଳରେ ସର୍ବାଧିକ ୩୦.୩ ପ୍ରତିଶତ, ମହାରାଷ୍ଟ୍ରରେ ୨୦.୮ ପ୍ରତିଶତ, ତାମିଲନାଡ଼ୁରେ ୮.୫ ପ୍ରତିଶତ, ଆନ୍ଧ୍ରପ୍ରଦେଶରେ ୭.୩ ପ୍ରତିଶତ ଥିବାବେଳେ ଓଡ଼ିଶାରେ ୬.୫ ପ୍ରତିଶତ ରହିଛନ୍ତି ବୋଲି ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

Comment