ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀର ତୃତୀୟ ଲହରକୁ ନେଇ ସମଗ୍ର ବିଶ୍ୱରେ ଏବେ ଆତଙ୍କ ସୃଷ୍ଟି ହୋଇଛି। କରୋନାର ତୃତୀୟ ଲହର ଆରମ୍ଭ ହୋଇଯାଇଥିବା କଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ‘ହୁ’ ର ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍ ସୂଚନା ଦେଇସାରିଛନ୍ତି। ତୃତୀୟ ଲହରବେଳେ ଡେଲଟା ଭାରିଆଣ୍ଟ ଅଧିକ ବିପଦ ଆଣୁଥିବାରୁ ସେ ବିଶ୍ୱବାସୀଙ୍କୁ ଚେତାବନୀ ଦେଇଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବା ଅନୁଯାୟୀ ୧୧୧ ଦେଶରେ ଏବେ କରୋନାର ଡେଲଟା ଭାରିଆଣ୍ଟ ସଂକ୍ରମିତ କରିସାରିଲାଣି। ଯଦି ଏବେଠୁ ସତର୍କ ନହେବା ତେବେ ଏହା ପୂର୍ବ ଭାରିଆଣ୍ଟ ଭଳି ସାରା ବିଶ୍ୱରେ ତାଣ୍ଡବ ରଚିବ। ବର୍ତ୍ତମାନ କିଛି ଦେଶରେ ସଂକ୍ରମଣ କମ ରହିଥିବାବେଳେ ଲୋକେ କରୋନା କଟକଣା ମାନୁନାହାଁନ୍ତି। ଏହା ଡେଲଟା ଭାରିଆଣ୍ଟର ସଂକ୍ରମଣ ବୃଦ୍ଧି ପଛରେ ମୁଖ୍ୟ କାରଣ ହୋଇଛି ବୋଲି କହିଛନ୍ତି ‘ହୁ’ର ମୁଖ୍ୟ। ଏହା ଫଳରେ ଅଧିକରୁ ଅଧିକ ଲୋକ ସଂକ୍ରମିତ ହେବେ ଏବଂ ମୃତ୍ୟୁମୁଖରେ ପଡିବେ।ଭାରତରେ ମଧ୍ୟ କରୋନାର ତୃତୀୟ ଲହର ଆରମ୍ଭ ହୋଇଯାଇଥିବା କଥା ଆଶଙ୍କା କରାଯାଉଛି। ଗତ କିଛି ଦିନ ହେଲା ଦେଶରେ ସଂକ୍ରମଣ ୪୦ହଜାର ତଳକୁ ରହୁଥିବାବେଳେ ଏବେ ଏହା ୪୦ହଜାର ଟପିଛି। ସେହିପରି ୨୪ଘଣ୍ଟା ମଧ୍ୟରେ ୫୮୧ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏଥିରୁ ସ୍ପଷ୍ଟ ଯେ, ଲକଡାଉନ୍ ଖୋଲିବାପରେ ଭୂତାଣୁ ପୁଣି ତା’ର  କାୟା ବିସ୍ତାର କରିବା ଆରମ୍ଭ କରିଛି। ଅଗଷ୍ଟ ଶେଷ ସୁଦ୍ଧା ଦେଶରେ କରୋନାର ତୃତୀୟ ଲହର ଆସିପାରେ। ତେବେ ଦ୍ଵିତୀୟ ଲହର ପରି ଏହା ଘାତକ ହେବନାହିଁ ଏବଂ ଏହାର ପ୍ରଭାବ ଯଥେଷ୍ଟ କମ୍‌ ରହିବ ବୋଲି କହିଛନ୍ତି ଆଇସିଏମ୍‌ଆରର ବିଶେଷଜ୍ଞ ଡାକ୍ତର ସମୀରଣ ପଣ୍ଡା।

ସେ ଆଉ ମଧ୍ୟ କହିଛନ୍ତି, “ତୃତୀୟ ଲହର ଆସିବାର କିଛି ପ୍ରମୁଖ କାରଣ ରହିଛି। ପ୍ରଥମ ଏବଂ ଦ୍ଵିତୀୟ ଲହର ସମୟରେ ଶରୀରରେ ଯେଉଁ ରୋଗ ପ୍ରତିରୋଧକ ଶକ୍ତି ଅଛି ଯଦି ତାହା କମିଯା‌ଏ ତେବେ ଏହା ତୃତୀୟ ଲହରର କାରଣ ହେବ।”ମହାମାରୀ କରୋନାର ସମ୍ଭାବ୍ୟ ତୃତୀୟ ୱେଭ ଦେଶରେ ବ୍ୟାପିବା ପୂର୍ବରୁ ଏହାକୁ ରୋକିବାକୁ ପଡ଼ିବ ଏବଂ ଏଥିପାଇଁ ୪-ଟି ଉପରେ କାମ କରିବା ଦରକାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇତିମଧ୍ୟରେ ଓଡ଼ିଶା ସମେତ ୬ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଓଡ଼ିଶା, ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଓ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀମାନଙ୍କ ସହ କରୋନା ସ୍ଥିତି ନେଇ ଶୁକ୍ରବାର ଦିନ ସମୀକ୍ଷା କରିଥିଲେ।

“କରୋନା ମୁକାବିଲା ପାଇଁ ୪ଟି ମନ୍ତ୍ର ଟେଷ୍ଟ, ଟ୍ରାକ, ଟ୍ରିଟ ଓ ଟିକା ଉପରେ ସମସ୍ତଙ୍କୁ ଫୋକସ କରିବାକୁ ପଡ଼ିବ ଓ ଏହାକୁ କଡ଼ାକଡ଼ିଭାବେ ପାଳନ କରିବାକୁ ହେବ। ୟୁରୋପ ଓ ଏସିଆର କିଛି ଦେଶରେ ସଂକ୍ରମଣ ପୁଣି ବଢ଼ୁଛି ଯାହାକି ଆମ ପାଇଁ ସତର୍କ ଘଣ୍ଟି। ଏହାକୁ ଆମେ ହାଲୁକା ଭାବେ ଆଦୌ ନେଇପାରିବା ନାହିଁ”, କହିଛନ୍ତି ପ୍ରଧାନମନ୍ତ୍ରୀ।ଟେଷ୍ଟିଂ ବୃଦ୍ଧି କରିବାକୁ ମୋଦି ପରାମର୍ଶ ଦେଇ କହିଛନ୍ତି, ସ୍ଥିତି ଯଦି ନିୟନ୍ତ୍ରଣ ବାହାରକୁ ଚାଲିଯିବ, ତା’ହେଲେ ସମସ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ। ଆରଟି-ପିସିଆର ଟେଷ୍ଟକୁ ବୃଦ୍ଧି କରିବା ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ହିଁ ଆମେ ସଂକ୍ରମଣକୁ ରୋକିପାରିବା। ଗ୍ରାମାଞ୍ଚଳ ପ୍ରତି ଅଧିକ ଧ୍ୟାନ ଦେବାକୁ ମଧ୍ୟ କହିଛନ୍ତି ମୋଦୀ। ଏଥିସହ ସାର୍ବଜନୀନ ସ୍ଥାନରେ ଯେମିତି ଭିଡ଼ ନହେବ, ସେଥିପାଇଁ ମଧ୍ୟ ପଦକ୍ଷେପ ନେବାକୁ ସେ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଦ୍ୱିତୀୟ ୱେଭବେଳେ ଅମ୍ଳଜାନର ଅଭାବ ଦେଖା ଯାଇଥିଲା। ଏଭଳି ସ୍ଥିତି ପୁଣି ଯେମିତି ନ ଉପୁଜିବ ତା’ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି ମୋଦୀ। ଏଥିସହ ୧୫ରୁ ୨୦ଦିନ ଭିତରେ ସବୁ ରାଜ୍ୟରେ ଅକ୍ସିଜେନ ପ୍ଲାଣ୍ଟ କରିବାକୁ ରାଜ୍ୟର ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଉ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

Comment