ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାରଠାରୁ ନିଜର ୩ ଦିନିଆ ଆମେରିକା ଗସ୍ତ ଆରମ୍ଭ କରିଛନ୍ତି। ସେ ଭାରତୀୟ ସମୟ ଅନୁସାରେ ମଙ୍ଗଳବାର ରାତି ସାଢ଼େ ୧୦ଟା ବେଳେ ନ୍ୟୁୟର୍କରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ବୁଧବାର ଦିନ ଜାତିସଂଘ ମୁଖ୍ୟାଳୟରେ ହେବାକୁ ଥିବା ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମର ନେତୃତ୍ଵ ନେବେ। ଏହାପରେ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ହ୍ଵାଇଟ୍ ହାଉସରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ଵିପାକ୍ଷିକ ବୈଠକ କରିବେ।

ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କରେ ପହଞ୍ଚିବାପରେ ସେଠାରେ ଥିବା ଭାରତୀୟ ସମ୍ପ୍ରଦାୟର ଲୋକମାନେ ତାଙ୍କୁ ସ୍ଵାଗତ କରିଥିଲେ। ପ୍ରଥମ ଦିନରେ ସେ ଆମେରିକାର ଅନେକ ବିଶିଷ୍ଟ ବ୍ୟକ୍ତି ଓ ଉଦ୍ୟୋଗୀମାନଙ୍କ ସହ ସାକ୍ଷାତ କରିଛନ୍ତି। ମଙ୍ଗଳବାର ରାତିରେ ପ୍ରାଧନମନ୍ତ୍ରୀ ଟେସଲା କମ୍ପାନି ସିଇଓ ଏଲନ ମସ୍କଙ୍କ ସହ ବୈଠକ କରିଥିଲେ। ଏଠାରେ ଟେସଲା କମ୍ପାନି ଭାରତରେ କରିବାକୁ ଥିବା ନିବେଶ ସମ୍ପର୍କରେ ଅଲୋଚନା ହୋଇଥିଲା।

ବୁଧବାର ଦିନ ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଜାତିସଂଘ ମୁଖ୍ୟାଳୟରେ ହେବାକୁ ଥିବା କାର୍ଯ୍ୟକ୍ରମର ନେତୃତ୍ୱ ନେବେ।  ଏଠାରେ ୧୮୦ରୁ ଅଧିକ ଦେଶର ପ୍ରତିନିଧି ଏକାଠି ହୋଇ ଯୋଗ କରିବାର କାର୍ଯ୍ୟକ୍ରମ ରହିଛି। ଯୋଗ ଦିବସ କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ୱାଶିଂଟନ ଡିସି ଯିବେ।

ଏହାପରେ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ୱାଶିଂଟନ ଡିସି ସ୍ଥିତ ଅମେରିକୀୟ ସଂସଦର ଯୁଗ୍ମ ଅଧିବେଶନକୁ ସମ୍ବୋଧନ କରିବେ। ଏହି ସମୟରେ ସେ କିଛି ଅମେରିକୀୟ ରାଜନେତାଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ଗୁରୁବାର ହ୍ଵାଇଟ୍ ହାଉସରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ଵିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ। ଏଠାରେ ଆମେରିକା ସହ ଭାରତର ଦ୍ଵିପାକ୍ଷିକ ଓ ବାଣିଜ୍ୟ ସମ୍ପର୍କ ବିଷୟରେ ଅଲୋଚନା ହେବ। ଏହାଛଡ଼ା ଭାରତ ଆମେରିକା ସହ ଅନେକ ପ୍ରତିରକ୍ଷା ଚୁକ୍ତି ସ୍ଵାକ୍ଷର କରିବାର କାର୍ଯ୍ୟକ୍ରମ ରହିଛି।

ଶେଷରେ ଜୁନ ୨୩ ତାରିଖରେ ନିଜ ଯାତ୍ରାର ଶେଷ ଦିନରେ ପ୍ରଧାନମନ୍ତ୍ରୀ ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସ ଓ ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ସହ ସାକ୍ଷାତ କରିବେ। ଏହାଛଡ଼ା କିଛି ଆମେରିକୀୟ କମ୍ପାନିର ସିଇଓମାନଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

ଆମେରିକା ଯାତ୍ରା ସାରି ଶୁକ୍ରବାର ପ୍ରଧାନମନ୍ତ୍ରୀ ଇଜିପ୍ଟ ଅଭିମୁଖେ ବାହାରିବେ। ଏଠାରେ ସେ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତେହ ଅଲସିସିଙ୍କ ସହ ବୈଠକ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ନିଜର ୪ ଦିନିଆ ବିଦେଶ ଯାତ୍ରା ସାରି ଶନିବାର ଭାରତରେ ପହଞ୍ଚିବେ।

Tags: #PrimeMinisterNarendraModi #USAVisit #BilateralMeeting #India-USRelations

 

Comment