ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଷୀମାନଙ୍କ ଆନ୍ଦୋଳନ ଜାରି ରହିଛି। ଏହାରି ଭିତରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ସମେତ ୬ଟି ରାଜ୍ୟର ଚାଷୀଙ୍କୁ ସମ୍ବୋଧିତ କରିଛନ୍ତି। ନୂଆ କୃଷି ଆଇନ ବିଷୟରେ ମୋଦୀ ଏହି ଚାଷୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଏଥିସହ ପିଏମ୍ କିଷାନ ନିଧି ଯୋଜନାରେ ୯ କୋଟି ଚାଷୀଙ୍କୁ ୧୮ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି।

ପିଏମ୍ କିଷାନ ନିଧି ଯୋଜନାରେ ଚାଷୀଙ୍କୁ ବର୍ଷକୁ ତିନୋଟି କିସ୍ତିରେ ମୋଟ ୬,୦୦୦ ଟଙ୍କା ମିଳୁଛି। କିନ୍ତୁ ପଶ୍ଚିମବଙ୍ଗ ସରକାର ଏହି ଯୋଜନାକୁ ନିଜ ରାଜ୍ୟରେ ଲାଗୁ କରିବାକୁ ଅଗ୍ରାହ୍ୟ କରିଦେଇଥିବାରୁ ୭୦ ଲକ୍ଷ ଚାଷୀ ଏଥିରୁ ବାଦ୍ ପଡ଼ିଛନ୍ତି। ଏହା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ମୋଦୀ କହିଛନ୍ତି।

ଚାଷୀମାନଙ୍କୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ, ସରକାର ସବୁବେଳେ ଚାଷୀମାନଙ୍କ ସହିତ ଅଛନ୍ତି। ଚାଷୀମାନେ ନିଜ ଉତ୍ପାଦିତ ସାମଗ୍ରୀକୁ ନିଜ ଇଚ୍ଛା ଅନୁସାରେ ବିକ୍ରି କରିପାରିବେ। ସରକାର ଚାଷୀମାନଙ୍କ ହିତ ପାଇଁ ଏହି ଆଇନ ଆଣିଛନ୍ତି। କିନ୍ତୁ ନୂଆ କୃଷି ଆଇନକୁ ନେଇ ଚାଷୀମାନଙ୍କୁ ବିଭ୍ରାନ୍ତ କରାଯାଉଛି। ଚାଷୀମାନଙ୍କ ଏମ୍ଏସପି ଶେଷ ହୋଇଯିବ ଏବଂ ମଣ୍ଡି ବ୍ୟବସ୍ଥା ବନ୍ଦ ହୋଇଯିବ ବୋଲି କିଛି ଲୋକ କୃଷକମାନଙ୍କୁ ଭ୍ରମିତ କରୁଛନ୍ତି। କିନ୍ତୁ ନୂଆ କୃଷି ଆଇନ ଲାଗୁ ହେବା ପରେ ସେଭଳି କିଛି ହୋଇନାହିଁ କିମ୍ବା ଆଗକୁ ମଧ୍ୟ ହେବନାହିଁ।

କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ। ତେଣୁ କାହାରି କଥାରେ ପ୍ରଭାବିତ ନ ହେବାକୁ ମୋଦୀ ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ମୋଦୀ ବିରୋଧୀ ଦଳକୁ ଟାର୍ଗେଟ୍ କରିଛନ୍ତି। ରାଜନୈତିକ କାରଣରୁ ଚାଷୀମାନଙ୍କ ସହ ଆଲୋଚନା ହୋଇପାରୁନାହିଁ। କାରଣ କିଛି ଲୋକ ଏଥିରେ ବାଧା ସୃଷ୍ଟି କରୁଛନ୍ତି। ରାଜନୈତିକ ଦଳଗୁଡ଼ିକ କେବଳ ଚର୍ଚ୍ଚାକୁ ଆସିବା ଲାଗି ଏପରି କରୁଥିବା ମୋଦୀ କହିଛନ୍ତି।

Comment