ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ବିଦେଶ ଗସ୍ତରେ ଯାଇ ଗୁରୁବାର ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ପହଞ୍ଚିଛନ୍ତି। ପ୍ୟାରିସ ବିମାନବନ୍ଦରରେ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ଣ୍ଣ ତାଙ୍କୁ ସ୍ଵାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ବହୁ ବୁଝାମଣା ସ୍ଵାକ୍ଷରିତ ହେବ।

ଶୁକ୍ରବାର ଫ୍ରାନ୍ସର ଜାତୀୟ ଦିବସ ‘ବାଷ୍ଟିଲ୍ ଡେ ପ୍ୟାରେଡ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ଏଥିପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋ ପ୍ରଧାନମନ୍ତ୍ରୀଙ୍କୁ ପୂର୍ବରୁ ନିମନ୍ତ୍ରଣ କରିଥିଲେ।

ଏହି ପ୍ୟାରେଡରେ ଭାରତୀୟ ସ୍ଥଳ ସେନା ଓ ବାୟୁ ସେନାର ଯବାନମାନେ ସାମିଲ ହେବେ। ଏହାସହ ଭାରତୀୟ ବାୟୁ ସେନାର ୪ଟି ରାଫେଲ ଯୁଦ୍ଧ ବିମାନ ପ୍ୟାରେଡର ଫ୍ଲାଏ ପାଷ୍ଟରେ ଭାଗ ନେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଯାତ୍ରା ବେଳେ ଭାରତ ଓ ଫ୍ରାନ୍ସ ମଧ୍ୟରେ ବହୁ ବୁଝାମଣା ସ୍ଵାକ୍ଷରିତ ହେବ। ଏଥିରେ ଭାରତୀୟ ନୌସେନା ପାଇଁ ୨୬ଟି ରାଫେଲ-ଏମ ଯୁଦ୍ଧ ବିମାନ ଓ ୩ଟି ସ୍କର୍ପିୟନ କ୍ଲାସ ସବମରିନ (ବୁଡ଼ାଜାହାଜ) କିଣିବା ପାଇଁ ଚୁକ୍ତି କରିବ ଭାରତ।

ଚଳିତବର୍ଷ ଭାରତ-ଫ୍ରାନ୍ସ ରଣନୀତିକ ଭାଗୀଦାରୀକୁ (ଷ୍ଟ୍ରାଟେଜିକ ପାର୍ଟନରସିପ) ୨୫ ବର୍ଷ ପୂର୍ତ୍ତି ଅବସରରେ ନରେନ୍ଦ୍ର ମୋଦୀ ଓ ଇମାନୁଏଲ ମାକ୍ରୋଙ୍କ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା ହେବ। ଏହି ଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ଅନେକ ଫରାସୀ କମ୍ପାନୀର ସିଇଓଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ଜୁଲାଇ ୧୪ ତାରିଖ ଯାଏଁ ଫ୍ରାନ୍ସରେ ରହିବେ।

ଶୁକ୍ରବାର ରାତିରେ ପ୍ରଧାନମନ୍ତ୍ରୀ ନିଜର ଫ୍ରାନ୍ସ ଯାତ୍ରା ଶେଷ କରି ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ଅଭିମୁଖେ ଯାତ୍ରା କରିବେ। ଶନିବାର ଆବୁଧାବିରେ ପ୍ରଧାନମନ୍ତ୍ରୀ ମୋଦୀ ୟୁଏଇର ରାଜା ଶେଖ ମହମ୍ମଦ ବିନ ଜାୟେଦଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଭାରତ ଓ ୟୁଏଇ ମଧ୍ୟରେ ଅନେକ ବୁଝାମଣା ସ୍ଵାକ୍ଷର ହେବ।

Tags: #PrimeministerNarendraModi #FranceVisit #BastilleDayParade #India-FranceRelations

 

Comment