ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ଆଇପିଏଲ ଆରମ୍ଭ ହେବା ପରଠୁ ଖେଳାଳିଙ୍କୁ ଭାରତୀୟ କ୍ରିକେଟ ଦଳରେ ସାମିଲ ହେବାକୁ ଅନେକ ସୁଯୋଗ ମିଳୁଛି। ପ୍ରତିବର୍ଷ ଅନେକ ଖେଳାଳି ଦଳର ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ତେବେ କେହି କେହି ଆଇପିଏଲ ଜରିଆରେ ଦଳରେ ସାମିଲ ହୋଇ ନିଜ କ୍ୟାରିୟର ଆରମ୍ଭ କରିଥାନ୍ତି ତ ଆଉ କେହି ଭଲ ପ୍ରଦର୍ଶନ କରି ପାରିନଥିବାରୁ ଦଳରେ ସାମିଲ ହୋଇନଥାନ୍ତି। ତେବେ ଆସନ୍ତୁ ଜାଣିବା ସେମତି ଦୁଇଜଣ ଖେଳାଳିଙ୍କ ବିଷୟରେ ଯିଏ ବର୍ତ୍ତମାନ ଜାତୀୟ ଦଳରେ ସାମିଲ ହେବାକୁ କରୁଛନ୍ତି ସଂଘର୍ଷ।

ଉନ୍ମୁକ୍ତ ଚାନ୍ଦ

ଜଣେ ସଫଳ ଭାରତୀୟ ଯୁବ ଖେଳାଳି। ୧୯ ବର୍ଷରୁ କମ୍‌ ଭାରତୀୟ ଦଳରେ କ୍ୟାପଟେନ ଭାବେ ବେଶ ସଫଳତା ଲାଭ କରିଥିଲେ। ୧୯ ବର୍ଷରୁ କମ୍‌ ୨୦୧୨ ବିଶ୍ଵକପରେ ଅଷ୍ଟ୍ରେଲିଆକୁ ହରାଇ ଭାରତକୁ ବିଶ୍ଵ ବିଜୟୀ କରାଇଥିଲେ। ସେହି ମ୍ୟାଚରେ ସେ ଅପରାଜିତ ୧୧୧ ରନ କରିଥିଲେ। ଏଥିପାଇଁ ସେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ ନକରିବା ପୂର୍ବରୁ ବହୁ ଭାରତୀୟ ଖେଳାଳିଙ୍କ ଭଳି ପ୍ରସିଦ୍ଧ ହୋଇ ସାରିଥିଲେ। ବିରାଟଙ୍କ ସମକକ୍ଷ ହେବା ପାଇଁ ତାଙ୍କ ପାଖରେ ବେଶ ଦକ୍ଷତା ରହିଥିଲା। ହେଲେ ଆଇପିଏଲ ଓ ଘରୋଇ କ୍ରିକେଟରେ ବାଜି ପୁରା ଓଲଟି ଯାଇଥିଲା। ଆଇପିଏଲ ଓ ଘରୋଇ କ୍ରିକେଟରେ କିଛି ସମୟ ଖେଳି ନିଜ ଖରାପ ଫର୍ମ ଯୋଗୁଁ ତାଙ୍କୁ ଆଉ ସୁଯୋଗ ମିଳି ପାରିନଥିଲା। ବର୍ତ୍ତମାନ ସେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବାକୁ ସଂଘର୍ଷ କରଛନ୍ତି।

ସର୍ଫରାଜ ଖାନ

ମୁମ୍ଵାଇର ଏହି କ୍ରିକେଟର ଘରୋଇ କ୍ରିକେଟରେ ବେଶ ସଫଳତା ହାସଲ କରିଥିଲେ। ମାତ୍ର ୧୭ ବର୍ଷ ବୟସରେ ୧୯ବର୍ଷରୁ କମ ଭାରତୀୟ ଦଳରେ ସାମିଲ ହୋଇଥିଲେ। ପରେ ଆଇପିଏଲରେ ଆରସିବି ଦଳରେ ଖେଳିଥିଲେ। ଏହାସହ ଆଇପିଏଲରେ ସବୁଠାରୁ କମ୍‌ ବୟସ ଖେଳାଳି ଭାବେ ସେ ଯୋଗ ଦେଇଥିଲେ। ନିଜ ପଦାର୍ପଣ ଆଇପିଏଲରେ ବେଶ ଚମତ୍କାର ପ୍ରଦର୍ଶନ କରିଥିଲେ। ଏଥିପାଇଁ ତାଙ୍କୁ ବିରାଟ କୋହଲି, କ୍ରିସ ଗେଲ ଓ ଏବି ଡେଭିଲିୟର୍ସ ଭଳି ଖେଳାଳି ତାଙ୍କୁ ପ୍ରଶଂସା କରିଥିଲେ।

ପରେ ମୁମ୍ଵାଇ ରଣଜି ଦଳରେ ସୁଯୋଗ ନମିଳିବାରୁ ସେ ଉତ୍ତରପ୍ରଦେଶ ଚାଲିଯାଇଥିଲେ। ୨୦୧୮ ଆଇପିଏଲରେ ଆରସିବି ତାଙ୍କୁ ପୁଣି ସୁଯୋଗ ଦେଇଥିଲା ହେଲେ ଏଥିରେ ତାଙ୍କ ପ୍ରଦର୍ଶନ ଆଖିଦୃଶିଆ ହୋଇ ପାରିନଥିଲା। ପରେ ସେ ପୁଣି ମୁମ୍ଵାଇ ଫେରିଯାଇଥିଲେ ହେଲେ ଏଥର ତାଙ୍କୁ ଦଳକୁ ଫେରିବାକୁ ସଂଘର୍ଷ କରିବାକୁ ପଡୁଛି।

Comment