ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯୋଗ କରିବା ଦ୍ୱାରା ଶରୀର ଓ ମନର ସର୍ବୋତ୍ତମ ସ୍ୱାସ୍ଥ୍ୟରକ୍ଷା ଯେ ସମ୍ଭବ। ସେଥିଲାଗି ବିଶ୍ୱବ୍ୟାପି ଲୋକ ଏବେ  ସୁସ୍ଥ ରହିବା ପାଇଁ ଯୋଗକୁ ଆପଣେଇ ନେଇଛନ୍ତି। ଏହା ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର। ଏହା ମନ ଏବଂ ଶରୀରକୁ ସଂଯୋଗ କରିଥାଏ। ଯୋଗ କରିବା ଦ୍ୱାରା ଚିନ୍ତା, କ୍ରିୟା, ସଂଯମ ଏବଂ ପୂର୍ଣ୍ଣତା ଆଣିବା ଲାଗି ଏକ ସିଦ୍ଧ ଉପଚାର। ତେଣୁ ପ୍ରତିବର୍ଷ ଜୁନ ୨୧କୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରାଯାଏ ।

ଯୋଗ ଶବ୍ଦର ଅର୍ଥ

ସଂସ୍କୃତ ଧାତୁ “ଯୁଜ୍” ରୁ ଯୋଗ ଶବ୍ଦ ଆସିଛି। ଯାହାର ଅର୍ଥ ହେଉଛି ଯୋଡିବା। କହିବାକୁ ଗଲେ ଯୋଗ ହେଉଛି ଶରୀର, ମନ ଓ ଆତ୍ମାକୁ ଗୋଟିଏ ସୂତ୍ରରେ ବାନ୍ଧିବା। ଅନ୍ୟ ଭାଷାରେ , ଏହା ଏକ ଶାରୀରିକ ପ୍ରକ୍ରିୟା ଯେଉଁଥିରେ ଜଣେ ବ୍ୟକ୍ତି ଶରୀର ସୁସ୍ଥ ରଖିବା ପାଇଁ ବିଭିନ୍ନ ଉପାୟ ଆପଣେଇ ଥାଆନ୍ତି।

ଐତିହାସିକମାନଙ୍କ ଅନୁସାରେ, ପ୍ରାୟ ୬୦୦୦ ବର୍ଷ ଆଗରୁ ଯୋଗ ଆରମ୍ଭ ହେଲାଣି। ପୂର୍ବରୁ ମୁନିଋଷିମାନଙ୍କ ପାଇଁ ସାଧନାର ମାର୍ଗ ଥିଲା। ବର୍ତ୍ତମାନ ଘରେ ଘରେ ଏହା ପରିଚିତ ହୋଇଗଲାଣି। ବିଭିନ୍ନ ଧର୍ମରେ ଯୋଗ ଅଲଗା ଅଲଗା ରହିଛି। ଯୋଗର ଅନେକ ଶାଖା ରହିଛି। ଯୋଗର ପ୍ରଥମ ଗୁରୁ ଭାବେ ଶିବଙ୍କୁ ମନାଯାଏ। ଆରଣ୍ୟକ ଗ୍ରନ୍ଥ ଏବଂ ଉପନିଷଦରେ ମଧ୍ୟ ଯୋଗ ବାବଦରେ ଉଲ୍ଲେଖ ରହିଛି। ମହାଭାରତ ଓ ଗୀତାରେ ଯୋଗ ସର୍ବଶ୍ରେଷ୍ଠ ମାର୍ଗ ବୋଲି କୁହାଯାଇଛି। ସିନ୍ଧୁ ସଭ୍ୟତାରେ ସମୟର ମିଳିଥିବା ମୁଦ୍ରାରେ ଯୋଗର ବିଭିନ୍ନ ଶୈଳୀ ଚିତ୍ରିତ ହୋଇଛି। ପ୍ରଥମେ ଭଗବାନ ଶିବ ଏବଂ ପରେ ମୁନିଋଷିଙ୍କ  ପର୍ଯ୍ୟନ୍ତ ଯୋଗର ସୀମା ଲମ୍ବିଥିବାର ଶୁଣାଯାଏ। ଗୌତମ ବୁଦ୍ଧ ଏବଂ ଜୈନ ଯୋଗର ବିଭିନ୍ନ କଳା ଦର୍ଶାଇଯାଇଛନ୍ତି। ଋକବେଦରେ ଯୋଗର ବର୍ଣ୍ଣନା କରାଯାଇଛି। ବୌଦ୍ଧଧର୍ମୀମାନେ ଯୋଗର ବିଭିନ୍ନ ଉପାୟ ଦେଖାଇଥିଲେ। ପରେ ଋଷି ପତଞ୍ଜଳୀ ଏହାକୁ ପ୍ରସିଦ୍ଧ କରାଇଥିଲେ। ତାଙ୍କ ନାମାନୁସାରେ ପତଞ୍ଜଳୀ ଯୋଗସୂତ୍ର ପ୍ରକାଶ କରାଯାଇଛି । ଏହାକୁ ଯୋଗ ସମ୍ବନ୍ଧୀୟ ପ୍ରଥମ ଗ୍ରନ୍ଥ ଭାବେ ବିବେଚନା କରାଯାଏ। ହିନ୍ଦୁଶାସ୍ତ୍ରରେ ପତଞ୍ଜଳୀଙ୍କୁ ଯୋଗଗୁରୁ ବୋଲି ମନାଯାଏ।

ଯୋଗ କରିବା ଦ୍ଵାରା ମାନସିକ ସ୍ଥିରତା ଏବଂ ଏକାଗ୍ରତାର ବୃଦ୍ଧି ହୁଏ। ଏହା ଆତ୍ମସଂଯମ କରିବାର ଏକ ଆଧ୍ୟାତ୍ମିକ ପ୍ରଣାଳୀ। ଅନ୍ୟମାନଙ୍କ ସହ ଏକ ଭାବପୂର୍ଣ୍ଣ ସମ୍ପର୍କ ସ୍ଥାପନା କରିବାରେ ଯୋଗ ସାହାଯ୍ୟ କରିଥାଏ। ବ୍ୟକ୍ତିର ବୌଦ୍ଧିକ ପରିପକ୍ଵତା ଦିଗରେ ଯୋଗ ସହାୟ ହୁଏ।

 ଭାରତରେ ଯୋଗ ଦିବସ

ଯୋଗକୁ ବିଶ୍ଵବ୍ୟାପୀ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ୨୦୧୪ ସେପ୍ଟେମ୍ବର ୨୭ରେ ପ୍ରସ୍ତାବ ଦେଇଥିଲେ। ଆମେରିକା ଜାତିସଂଘର ସାଧାରଣ ବୈଠକରେ ମୋଦୀ ଜଳବାୟୁ ଓ ଯୋଗ ବିଷୟ ଉପରେ ଆଲୋଚନା କରିଥିଲେ। ପରେ ୨୦୧୪ ଡିସେମ୍ବର ୧୧ରେ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ଜୁନ ୨୧ ସ୍ଥିର କରାଯାଇଥିଲା। ସେବେଠାରୁ ଭାରତରେ ଯୋଗ ଦିବସ ପାଳନ ହୋଇଆସୁଛି।

ଜୁନ ୨୧ରେ ପାଳନ କାହିଁକି?

ଜୁନ ୨୧ରେ ପାଳନ କରିବା ଦିଗରେ ଉଭୟ ବୈଜ୍ଞାନିକ ଏବଂ ପୌରାଣିକ କାରଣ ରହିଛି।  ପୌରାଣିକମାନଙ୍କ ଅନୁସାରେ, ସୂର୍ଯ୍ୟ ଉତ୍ତରାୟନ ଏବଂ ଦକ୍ଷିଣାୟନ ଦେଇ ଦିଗ  ଗତି କରେ। ମାତ୍ର ଏହି ଦିନ ସୂର୍ଯ୍ୟ ନିଜର ଗତିପଥ ପରିବର୍ତ୍ତନ କରିଥାଏ। ଫଳରେ ତେଜ କମ ହୋଇଯାଏ। ପୃଥିବୀର ଗୋଟିଏ ଅଶଂରେ କେତେକ ଜୀବାଣୁ ସକ୍ରିୟ ହୋଇଉଠନ୍ତି। ଯାହା ଅନେକ ରୋଗର କାରଣ ପାଲଟେ। ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଯୋଗର ଆବଶ୍ୟକତା ରହିଛି। ତେଣୁ ଜୁନ ୨୧କୁ ଆନ୍ତରାଷ୍ଟ୍ରୀୟ ଯୋଗ ଦିବସ ରୂପେ ପାଳନ କରାଯାଏ।

LEAVE A REPLY

Please enter your comment!
Please enter your name here