ଓଡ଼ିଶାଲାଇଭ୍ ବ୍ୟୁରୋ

WORLD CUP-4

ଆଜିକୁ ଠିକ୍ ୩୭ ବର୍ଷ ପୂର୍ବେ ଭାରତୀୟ କ୍ରିକେଟ ଟିମ୍ ଇତିହାସ ରଚିଥିଲା। ନିଜର ପ୍ରଥମ ବିଶ୍ୱ କପ୍ ହାସିଲ କରି ଭାରତୀୟ କ୍ରିକେଟକୁ ଦେଇଥିଲା ନୂଆ ମୋଡ଼। ଫାଇନାଲରେ ଓ୍ୱେଷ୍ଟଣ୍ଡିଜକୁ ହରାଇ ଭାରତ ହୋଇଥିଲା ବିଶ୍ୱ ବିଜେତା।

୧୯୮୩ ମସିହା ବିଶ୍ୱ କପ୍ ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ୧୮୩ ରନ୍ କରିପାରିଥିଲା ଭାରତୀୟ କ୍ରିକେଟ୍ ଟିମ୍। ସାମନାରେ ଥିଲା ଦୁଇ ଦୁଇ ଥର ବିଶ୍ୱ କପ ଜିତିସାରିଥିବା ଓ୍ୱେଷ୍ଟଣ୍ଡିଜ୍ ଟିମ୍। ଓ୍ୱେଷ୍ଟଣ୍ଡିଜ୍ ଟିମକୁ ହରାଇବା ସହଜ ନଥିଲେ ମଧ୍ୟ କ୍ୟାପଟେନ୍ କପିଲ୍ ଦେବଙ୍କ ପ୍ରେରଣା ଏବଂ ଉତ୍ସାହ ଟିମକୁ ଦୁର୍ବଳ ହେବାକୁ ଦେଇନଥିଲା। ଶେଷରେ ଓ୍ୱେଷ୍ଟଣ୍ଡିଜ୍ ଟିମକୁ ୧୪୦ ରନରେ ଅଲଆଉଟ୍ କରି ବିଶ୍ୱକପକୁ ନିଜ ନାଁରେ କରିଥିଲା ଟିମ୍ ଇଣ୍ଡିଆ।

world cup-1

ଏହି ବିଜୟ ଥିଲା ଭାରତୀୟ କ୍ରିକେଟର ଟର୍ଣ୍ଣିଂ ପଏଣ୍ଟ। ଏହି ବିଶ୍ୱ ବିଜୟକୁ ମନେ ପକାଇ ପୂର୍ବତନ କ୍ରିକେଟର ଶ୍ରୀକାନ୍ତ ସେୟାର କରିଛନ୍ତି ସେହି ସମୟର କିଠି ଅଭୁଲା ସ୍ମୃତି। ସେ ଥିଲେ ବିଶ୍ୱକପ ଫାଇନାଲରେ ଟିମ୍ ଇଣ୍ଡିଆର ସବୁଠାରୁ ଅଧିକ ସ୍କୋର କରିଥିବା ଖେଳାଳୀ। ସେ ୩୮ ରନ କରିଥିଲେ। ତାଙ୍କ କହିବା ଅନୂଯାୟୀ ଟିମ୍ ଇଣ୍ଡିଆର ସ୍କୋର ଏବଂ ଓ୍ୱେଷ୍ଟଣ୍ଡିଜର ସୁନ୍ଦର ବ୍ୟାଟିଂକୁ ଦେଖି ଜିତିବାର ଆଶା ନଥିଲା। କିନ୍ତୁ କପିଲ ଦେବ କହିଥିଲେ, “ଆମେ ୧୮୩ ରନରେ ଆଉଟ୍ ହୋଇଯାଇଛନ୍ତି କିନ୍ତୁ ଆମକୁ ଅପର ପକ୍ଷକୁ କଡ଼ା ଟକ୍କର ଦେବାକୁ ହେବ। ଏତେ ସହଜରେ ହାର ମାନିପାରିବା ନାହିଁ”

ଶ୍ରୀକାନ୍ତ କହିଛନ୍ତି ଯେ ସେହି ସମୟରେ କ୍ରିକେଟର ଆଗଧାଡ଼ିର ଟିମ୍ ଭାବେ ଓ୍ୱେଷ୍ଟଣ୍ଡିଜ୍, ଅଷ୍ଟ୍ରେଲିଆ, ନ୍ୟୁଜଲ୍ୟାଣ୍ଡ ଆଦିର ରାଜ୍ ଚାଲିଥିଲା। କିନ୍ତୁ ଭାରତୀୟ ଟିମ୍ ବିଶ୍ୱକପ ଜିତି ସମସ୍ତଙ୍କୁ ଚକିତ କରିଦେଇଥିଲା। ସେ କହିଥିଲେ ଯେ ଫାଇନାଲ ମ୍ୟାଚର ପୂର୍ବଦିନ ରାତିରେ ଏକ ଛୋଟ ବୈଠକ ହୋଇଥିଲା। ଏଥିରେ ଯୋଗ ଦେଇଥିଲେ ବୋର୍ଡର ଶୀର୍ଷ ଅଧିକାରୀ, ସଂଯୁକ୍ତ ସଚିବ ଏବଂ ଅନ୍ୟମାନେ। ସେମାନେ ଭାରତୀୟ କ୍ରିକେଟ୍ ଟିମକୁ କହିଥିଲେ ଯେ,”କାଲିର ଫାଇନାଲ ପାଇଁ ତୁମେମାନେ ଚିନ୍ତା କରନାହିଁ, ଏତେ ଆଗକୁ ଆସିପାରିଛ ତାହାହିଁ ବହୁତ ପ୍ରଶଂସନୀୟ। କାଲିର ଖେଳ ଜିତ କି ନଜିତ ସମସ୍ତ ଖେଳାଳୀଙ୍କୁ ପଚିଶ ହଜାର ଲେଖାଏଁ ବୋନସ ଦିଆଯିବ।”

kapil dev

ଏହାପରେ ଶ୍ରୀକାନ୍ତଙ୍କ କହିବା ଅନୂୟାୟୀ ଭାରତୀୟ ଟିମ କୌଣସି ପ୍ରକାରର ଚାପରେ ନଥିଲେ କାରଣ ଓ୍ୱେଷ୍ଟଣ୍ଡିଜ୍ ବହୁତ ଶକ୍ତିଶାଳୀ ଟିମ ଥିଲା ଯିଏକି ଦୁଇ ଥର ବିଶ୍ୱ କପ ଜିତି ସାରିଥିଲା। ତେଣୁ ସମସ୍ତେ ଭାବିଥିଲେ ଫାଇନାଲ ଯାଏଁ ଆସିବା ହିଁ ବହୁତ ବଡ଼ ସଫଳତା। କିନ୍ତୁ କିଏ ଜାଣିଥିଲା ପରବର୍ତ୍ତୀ ସମୟ ଭାରତ ଇତିହାସରେ ସ୍ୱର୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିବାକୁ ଯାଉଛି।

Comment