ଓଡ଼ିଶାଲାଇଭ ବ୍ୟୁରୋ

ଚୀନ ଏଇକ୍ଷଣି ଭାରତ ପଛରେ ପୂରା ପଡ଼ିଛି। ଭାରତରେ ଶାନ୍ତିର ବାତାବରଣକୁ ନଷ୍ଟ କରିବା ପାଇଁ ଚୀନ ବିଭିନ୍ନ ପ୍ରକାର ଖେଳ ଖେଳିବା ଆରମ୍ଭ କରିଛି। ଏପରିକି ଆତଙ୍କବାଦୀ ସଂଗଠନଗୁଡ଼ିକର ସାହାଯ୍ୟ ନେବାକୁ ବି ପଛାଉନାହିଁ। ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ମିଆଁମାରର ଏକ ନିର୍ଦ୍ଦିଷ୍ଟ ଆତଙ୍କବାଦୀ ସଂଗଠନକୁ ଅର୍ଥ ଓ ଆଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇବା ଆରମ୍ଭ କରିଛି ଡ୍ରାଗନ। ଚୀନ ପକ୍ଷରୁ ‘ଅରକାନ ସେନା’କୁ ହାତ କରାଯାଇଛି।

ଦକ୍ଷିଣ ପୂର୍ବ ଏସିଆ ସମ୍ପର୍କରେ ଖବର ରଖୁଥିବା ଏକ ସାମରିକ ସୂତ୍ର ଅନୁଯାୟୀ ଚୀନ ଅରକାନ ସେନାର ପ୍ରାୟ ୯୫ ପ୍ରତିଶତ ଖର୍ଚ୍ଚ ବହନ କରୁଥିବା କୁହାଯାଉଛି। ଅରକାନ ସେନା ପାଖରେ ମ୍ୟାନ ପୋର୍ଟେବଲ ଏୟାର ଡିଫେନ୍ସ ସିଷ୍ଟମ ରହିଛି। ଅରକାନ ସେନା ପାଖରେ  ଆକାଶମାର୍ଗରେ ଉଡ଼ାଇଦେବା ଭଳି କ୍ଷେପଣାସ୍ତ୍ର ରହିଛି।

ଜନୈକ ଅଷ୍ଟ୍ରେଲିୟ ବିଦ୍ୱାନ କହିଛନ୍ତି ଯେ, ଦକ୍ଷିଣ ଏସିଆରେ ଚୀନ ଏବେ ବହୁମୁଖୀ ଖେଳ ଖେଳୁଛି। ଭାରତକୁ ଦୁର୍ବଳ କରିବା ପାଇଁ ଚୀନ ଚାହୁଁଛି। ଏମିତିରେ ତ ପାକିସ୍ତାନ ସହିତ ଭାରତର ଭଲ ସଂପର୍କ ନାହିଁ। ଏଥି ସହିତ ମିଆଁମାରକୁ ମଧ୍ୟ ଭାରତ ବିରୋଧରେ କାମରେ ଲଗାଇବା ପାଇଁ ଚୀନ ଯୋଜନା ପ୍ରସ୍ତୁତ କରିଛି। ଚୀନ ଚାହୁଁନି ମିଆଁମାରରେ ଭାରତର ପ୍ରଭାବ ବୃଦ୍ଧି ପାଉ। ମିଆଁମାରରେ ଚୀନ ନିଜର ଏକଛତ୍ରବାଦ ଚାହୁଁଥିବା ବେଳେ ଅରକାନ ସେନା ଏଥିରେ ଚୀନକୁ ସାହାଯ୍ୟ କରୁଛି। ୨୦୧୭ ମସିହାରେ ମିଆଁମାରରେ  ସଡ଼କ ନିର୍ମାଣ ପାଇଁ ଭାରତର ଏକ କମ୍ପାନିକୁ ଠିକା ମିଳିଥିଲା। କାମ ଚାଲିଥିବା ବେଳେ ଅରକାନ ସେନା ଭାରତର ନାଗରିକ, ଅଗ୍ନିଶମ ଚାଳକ ଓ ଅନ୍ୟମାନଙ୍କୁ ଅପହରଣ କରି ନେଇଥିଲା।

ସୁବିର ଭୌମିକ ତାଙ୍କର ଏକ ଲେଖାରେ ନିକଟରେ ଲେଖିଛନ୍ତି ଯେ, କିଛିଦିନ ତଳେ ଚୀନ ବଡ଼ ଧରଣର ଅସ୍ତ୍ର ଶସ୍ତ୍ର ଅରକାନ ସେନାକୁ ହସ୍ତାନ୍ତର କରିଛି। ଏଥିରେ ୫୦୦ ଏସଲଟ ରାଇଫଲ, ୩୦ଟି ୟୁନିଭର୍ସଲ ମେସିନଗନ ଓ ୭ ହଜାର ଗୋଳା ବାରୁଦ ଥିଲା। ସମୁଦ୍ର ପଥରେ ଏହିସବୁ ଅସ୍ତ୍ର ଆସି ମିଆଁମାର ଓ ବଙ୍ଗଳାଦେଶ ସୀମାନ୍ତରେ ପହଞ୍ଚିଥିଲା ଓ ଅରକାନ ସେନାକୁ ଦିଆଯାଇଥିଲା।

Comment