ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ କିଛି ବର୍ଷ ହେବ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିଥିବା ଦେଖିବାକୁ ମିଳୁଛି। ବିଦେଶୀ ଆତଙ୍କବାଦୀଙ୍କୁ ବିଭିନ୍ନ ଗୁପ୍ତ ତଥ୍ୟ ଦେବା ତଥା ସେମାନଙ୍କ ସହାୟତା କରିବା ଭଳି କାର୍ଯ୍ୟରେ ବାଟବଣା ହେଉଛନ୍ତି ଓଡ଼ିଶାର ଯୁବକ। ଭାରତର ସୀମାନ୍ତରୁ ଓଡ଼ିଶା ବହୁ ଦୂରରେ ଥିଲେ ମଧ୍ୟ ରାଜ୍ୟ ଏବେ ଆତଙ୍କବାଦୀ ଗୋଷ୍ଠୀଙ୍କ ଆଡ୍ଡା ପାଲଟୁଥିବା ଅଭିଯୋଗ ହେଉଛି।   

କିଛି ଦିନ ତଳେ ଉତ୍ତରପ୍ରଦେଶର ପ୍ରୟାଗରାଜର ଏକ ମଦ୍ରାସାରେ ଜାଲ ନୋଟ ଛପାଯିବା ଘଟଣାରେ ଓଡ଼ିଶା ଲିଙ୍କ ଥିବା ସାମ୍ନାକୁ ଆସିଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଶୁକଦେଇପୁର ଗାଁର ଜାହିର ଖାନ ନାମକ ଜଣେ ଯୁବକ ସେଠାରେ ଜାଲନୋଟ ଛାପିବାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ତାଙ୍କ ସହ ଭଦ୍ରକର ତଫସିରୁଲ ଆରିଫିନ ନାମକ ଆଉ ଜଣେ ବ୍ୟକ୍ତି ମଧ୍ୟ ଗିରଫ ହୋଇଛନ୍ତି।

ଉତ୍ତରପ୍ରଦେଶ ପୋଲିସ ଏବେ ଏହି ମାମଲାରେ ଆତଙ୍କବାଦୀ ଗୋଷ୍ଠୀର ସମ୍ପୃକ୍ତି ନେଇ ତଦନ୍ତ କରୁଛି। ଆତଙ୍କବାଦୀ ଗୋଷ୍ଠୀଙ୍କ ପାଇଁ ପାଣ୍ଠି ଯୋଗାଡ଼ କରିବା ପାଇଁ ଏହି ଜାଲ ନୋଟ୍ ଛପା ଯାଉଥିବା ଅଭିଯୋଗ ହେଉଛି।   

ଗତ ମାସରେ ଭୁବନେଶ୍ଵର ଓ କଟକର ଏକ ଭଡ଼ା ଘରୁ ସିମ ବକ୍ସ ଜବତ ହେବା ଘଟଣା ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ହେଉଥିବା ସନ୍ଦେହକୁ ଆହୁରି ମଜବୁତ କରୁଛି। ଏହି ମାମଲାରେ କମିଶନରେଟ୍ ପୋଲିସ ଓଡ଼ିଶାରେ ରହୁଥିବା ପଶ୍ଚିମବଙ୍ଗର ରାଜୁ ମଣ୍ଡଳ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ଜଣେ ବାଂଲାଦେଶୀ ନାଗରିକ ଏହାର ମାଷ୍ଟରମାଇଣ୍ଡ ଥିବା କୁହଯାଉଛି। ସେମାନେ ସିମ ବକ୍ସ ଜରିଆରେ ବିଦେଶରୁ ଆସୁଥିବା କଲ୍ ଭାରତରେ ଡାଇଭର୍ଟ କରୁଥିବା ଅଭିଯୋଗ ହୋଇଛି।   

ତେବେ ଓଡ଼ିଶାରୁ ଆତଙ୍କବାଦୀ ଲିଙ୍କ ମାମଲା ଏବେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିନି। ଏହାପୂର୍ବରୁ ଅନେକ ବ୍ୟକ୍ତି ଆତଙ୍କବାଦୀଙ୍କ ସହଯୋଗ କରୁଥିବା ଅଭିଯୋଗରେ ପୋଲିସ ଦ୍ଵାରା ବନ୍ଧା ହୋଇଛନ୍ତି। ୨୦୧୫ ମସିହା ପରେ ଏହି ଭଳି ମାମଲାରେ ୧୫ରୁ ଅଧିକ ଅଭିଯୁକ୍ତ ଗିରଫ ହୋଇଛନ୍ତି।  

ଆଇଏସଆଇକୁ ଡିଆରଡିଓର ଗୁପ୍ତ ତଥ୍ୟ

୨୦୧୫ ମସିହାରେ ଏକ ଘଟଣା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଆଇଟିଆରର ଅସ୍ଥାୟୀ ଫଟୋଗ୍ରାଫର ଈଶ୍ୱର ବେହେରା କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ପାକିସ୍ତାନ ଆତଙ୍କୀ ସଂଗଠନ ଆଇଏସଆଇକୁ ଏହାର ଫଟୋ ପଠାଉଥିଲେ। ମାମଲାରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ସେ ଟଙ୍କା ପାଇଁ ଆଇଏସଆଇକୁ ତଥ୍ୟ ଦେଉଥିବା ସ୍ଵୀକାର କରିଥିଲେ।

୨୦୨୧ ଫେବ୍ରୁଆରିରେ ବାଲେଶ୍ୱର ଆଡିସନାଲ ସେସନ କୋର୍ଟ ଈଶ୍ୱର ବେହେରାଙ୍କୁ ଆଜୀବନ କାରା ଦଣ୍ଡାଦେଶ ଦେଇଛନ୍ତି। ଏହି ଘଟଣା ଓଡ଼ିଶାରେ ପାକିସ୍ତାନ ଆତଙ୍କୀ ଲିଙ୍କକୁ ନେଇ ସମସ୍ତଙ୍କ ମନରେ ଏକ ଭୟ ସୃଷ୍ଟି କରିଥିଲା।

ଅଲ-କାଏଦା ଲିଙ୍କ ଅଭିଯୋଗରେ ଜଗତପୁରରୁ ଜଣେ ଗିରଫ

ଏହାପରେ ୨୦୧୫ ଡିସେମ୍ବରରେ କଟକ ଜଗତପୁରସ୍ଥିତ ପଶ୍ଚିମକଚ୍ଛ ଗାଁରୁ ଅବଦୁଲ ରେହମାନଙ୍କୁ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଗିରଫ କରିଥିଲା। ରେହମାନଙ୍କ ଆତଙ୍କୀ ସଂଗଠନ ଅଲ-କାଏଦା ସହ ସମ୍ପୃକ୍ତି ଥିବା ପୋଲିସ ନିଜ ଅଭିଯୋଗରେ ଦର୍ଶାଇଥିଲା।

ରେହମାନ ଟାଙ୍ଗୀ ଅଞ୍ଚଳରେ ଏକ ମଦ୍ରାସାରେ ଦୀର୍ଘ ବର୍ଷ ଧରି ମୌଲବୀ ଥିଲା। ଏଠାରେ ଝାଡଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗ ଅଞ୍ଚଳର ଛାତ୍ରଛାତ୍ରୀ ପଢୁଥିଲେ। ତେବେ ରେହମାନ ଏଠାରେ ପାଠ ପଢାଇବା ନାଁରେ ପିଲାଙ୍କୁ ଆତଙ୍କୀ ତାଲିମ ଦେଉଥିବା ଅଭିଯୋଗ ଆସିଥିଲା।

ରାଉରକେଲାରୁ ଗିରଫ ହୋଇଥିଲେ ୪ ଜଣ ସିମି ଛାତ୍ର

୨୦୧୬ ମସିହାରେ ରାଉରକେଲାର ନାଲା ରୋଡରୁ ଧରାପଡିଥିଲେ ୪ ଜଣ ସିମି (ଷ୍ଟୁଡେଣ୍ଟ ଇସଲାମିକ ମୁଭମେଣ୍ଟ ଅଫ ଇଣ୍ଡିଆ) ଛାତ୍ର। ଏମାନେ ୨୦୧୩ରେ ମଧ୍ୟପ୍ରଦେଶର ଖଣ୍ଡୁଆ ଜେଲରୁ ଖସି ପଳାଇ ଆସି ଏଠାରେ ଫୁଲ ବିକୁଥିଲେ। ହେଲେ ଭିତରେ ଦେଶ ବିରୋଧୀ କାମରେ ଲିପ୍ତ ଥିବା ଅଭିଯୋଗ ହୋଇଥିଲା।

ଇଣ୍ଟେଲିଜେନ୍ସ ବ୍ୟୁରୋ, ତେଲେଙ୍ଗାନା ପୋଲିସ ଓ ସ୍ଥାନୀୟ ପୋଲିସ ମିଶି ଏମାନଙ୍କ ଘର ଉପରେ ରାତି ଅଧଆ ଚଢ଼ଉ କରି ୪ ଜଣଙ୍କୁ ଗିରଫ କରିବା ସହ ୩ଟି ପିସ୍ତଲ, ୫ଟି ରିଭଲଭର, ୧୧ ରାଉଣ୍ଡ ଅଫୁଟା ଗୁଳି ଜବତ କରିଥିଲା।

ହନିଟ୍ରାପରେ ଫଶି ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଉଥିଲେ

ଏହାପରେ ୨୦୨୧ରେ ବାଲେଶ୍ୱର ଚାନ୍ଦିପୁର ଡିଆରଡିଓରେ ଗୁପ୍ତଚରଗିରି କରୁଥିବା ମାମଲାରେ ୫ ଅଭିଯୁକ୍ତ ଗିରଫ ହୋଇଥିଲେ। ହନିଟ୍ରାପର ଶିକାର ହୋଇ ଏମାନେ ଯୁବତୀଙ୍କ ପ୍ରେମ ଓ ଅର୍ଥ ଲୋଭରେ ପଡ଼ି ଡିଆଡିଓର ଗୁପ୍ତ ତଥ୍ୟ ପାକିସ୍ତାନକୁ ଦେଉଥିବା ଅଭିଯୋଗ ହୋଇଥିଲା।

ସେମାନେ ଥିଲେ ଚାନ୍ଦିପୁର ଥାନା ଅଞ୍ଚଳର ବସନ୍ତ ବେହେରା, ଆଇଟିଆରର ଠିକା କର୍ମଚାରୀ ଡିଜି ଅପରେଟର ହେମନ୍ତ ମିସ୍ତ୍ରୀ, ଠିକା କର୍ମଚାରୀ ତାପସରଞ୍ଜନ ନାୟକ, ଠିକା କର୍ମଚାରୀ ଏସି ଅପରେଟର ଏସକେ ମୁସାଫିର ଓ ଡିଆରଡିଓର ସ୍ଥାୟୀ ଡ୍ରାଇଭର ତଥା ଉତ୍ତରପ୍ରଦେଶର ସଚିନ ଛଥା।   

୨୦୨୩ ଫେବ୍ରୁଆରି ମାସରେ ମଧ୍ୟ ପାକିସ୍ତାନୀ ଯୁବତୀଙ୍କ ହନିଟ୍ରାପରେ ପଡ଼ି ଗୁପ୍ତତଥ୍ୟ ଦେଉଥିବା ଅଭିଯୋଗରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ବାବୁରାମ ଦେ ନାମକ ଜଣେ ବରିଷ୍ଠ ଟେକ୍ନିସିଆନଙ୍କୁ ଗିରଫ କରାଯାଇଥିଲା। ଦୀର୍ଘ ବର୍ଷ ଧରି ସେ ପାକ ଆଇଏସଆଇଙ୍କୁ କ୍ଷେପଣାସ୍ତ୍ର ସମ୍ପର୍କିତ ତଥ୍ୟ ଦେଉଥିବା ଅଭିଯୋଗ ହୋଇଥିଲା।

ଓଟିପି ସେୟାରିଂରେ ଓଡ଼ିଆ ଯୁବକଙ୍କ ହାତ

ଗତବର୍ଷ ଓଟିପି ସେୟାରିଂ ମାମଲାରେ ମଧ୍ୟ ଓଡ଼ିଶାର ଲିଙ୍କ ଥିବା ପଦାକୁ ଆସିଥିଲା। ନୟାଗଡ଼, ଯାଜପୁର, ପୁରୀରୁ କେତେଜଣ ଯୁବକ ଆଇଏସଆଇ ଏଜେଣ୍ଟଙ୍କୁ ଓଟିପି ସେୟାରିଂ କରିବା ଓ ସାଇବର ଅପରାଧୀଙ୍କୁ ପ୍ରିଆକ୍ଟିଭ ସିମ ବିକ୍ରି କରିବା ଘଟଣା ସାମ୍ନାକୁ ଆସିଥିଲା।

ଆଇଏସଆଇ ଏଜେଣ୍ଟଙ୍କୁ ଓଟିପି ସେୟାରିଂ ଅଭିଯୋଗରେ ୨୦୨୩ ମେ’ ମାସରେ ପୋଲିସ ଜଣେ ଆଇଟିଆଇ ଶିକ୍ଷକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲା। ଏହାର ମାସକ ପରେ ଅର୍ଥାତ ଜୁନ ୭ରେ ଜଣେ ଅଭିଯୁକ୍ତଙ୍କୁ ନୟାଗଡ଼ରୁ ଗିରଫ କରାଯାଇଥିଲା। ଏହାର କିଛି ଦିନ ପରେ ପଞ୍ଚମ ଅଭିଯୁକ୍ତ ଯାଜପୁର ଜିଲ୍ଲାରୁ ଗିରଫ ହୋଇଥିଲେ।  

Tags: #TerrorismLink #ISI #Terrorism #TerrorFunding #Odisha

LEAVE A REPLY

Please enter your comment!
Please enter your name here