ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଓ ଚୀନ ମଧ୍ୟରେ ଯେଉଁ ୩ ହଜାର ୪୮୮ କିଲୋମିଟର ଲମ୍ବା ସୀମା ରହିଛି ତାହା କେବେ ବି ନିର୍ଦ୍ଧାରିତ ହୋଇନାହିଁ। ବାସ୍ତବ କ୍ଷେତ୍ରରେ, ସୀମା ନିର୍ଦ୍ଧାରଣ ନେଇ ଚୀନ କେବେ ବି ଗମ୍ଭୀରତା ପ୍ରଦର୍ଶନ କରିନାହିଁ। ବରଂ ଜବରଦଖଲ କରି ଭାରତର ଗୁଡ଼ାଏ ଜାଗା ମାଡି ବସିଛି। ପୂର୍ବ ଲଦାଖରେ ନିକଟରେ ଯେଉଁଭଳି ଆକ୍ରମଣ କରି ଚୀନ ଭାରତକୁ ଦବାଇବା ପାଇଁ ଚେଷ୍ଟା କଲା ସେଥିରେ ଚୀନର କୂଟନୀତି ପୂରା ଫେଲ ମାରିଛି। ଏବେ ପୂରା ଦୁନିଆ ଚୀନକୁ ଧିକ୍କାର କରୁଛନ୍ତି।

ଅପର ପକ୍ଷରେ, ଚୀନ ଭାରତ ବିବାଦରେ ଭାରତ ଏକ ପରିପକ୍ୱ ଦେଶ ଭାବରେ ସାମ୍ନାକୁ ଆସିଛି। ଭାରତକୁ ବଡ଼ ବଡ଼ ଶକ୍ତି ସମର୍ଥନ ଦେବା ଫଳରେ ଚୀନ ଏକଘରିକିଆ ହୋଇ ପଡ଼ିଛି। ଶୁକ୍ରବାର ଦିନ ଜାପାନ ସଫା ସଫା ଭାରତର ପକ୍ଷ ନେଇଥିଲା। ତା’ପୂର୍ବରୁ ଆମେରିକା, ଅଷ୍ଟ୍ରେଲିଆ, ଫ୍ରାନ୍ସ, ବ୍ରିଟେନ, ଭଳି ଦେଶ ଭାରତ ପଛରେ ଠିଆ ହୋଇଥିଲେ।

ବଡ଼ ବଡ଼ ଦେଶ ବ୍ୟତୀତ ଏସିଆନ ଦେଶମାନେ ମଧ୍ୟ ଭାରତ-ଚୀନ ସୀମା ବିବାଦ ଉପରେ ସିଧା ସଳଖ କିଛି କହି ନଥିଲେ ହେଁ ଗୋଟିଏ ବିବୃତିରୁ ଏହି ଦେଶମାନଙ୍କ ମନୋଭାବ ଜାଣିହେବ। ଦକ୍ଷିଣ ଚୀନ ସାଗରରେ ଚୀନ ତାର ସାମରିକ ଶକ୍ତି ଠୁଳ କରୁଥିବା ବେଳେ ଏସିଆନ ଦେଶମାନେ କହିଛନ୍ତି ଯେ, ଚୀନର ଦାଦାଗିରି ଚଳିବ ନାହିଁ। ସେମାନେ କହିଛନ୍ତି ଯେ, ଚୀନ ଜାତିସଂଘର ନିୟମ ସବୁ ମାନିବାକୁ ବାଧ୍ୟ।

Comment