ଓଡ଼ିଶାଲାଇଭ୍ ବ୍ୟୁରୋ

Jharana dash
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କରୋନା ଆତଙ୍କ ଯୋଗୁଁ ବହୁ ପ୍ରବାସୀ ନିଜ ଜନ୍ମମାଟିକୁ ଫେରୁଛନ୍ତି। ରାଜ୍ୟ ବାହାରୁ ଆସିଥିବା ଏହି ପ୍ରବାସୀଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିବାକୁ ପଡ଼ୁଛି। ତେବେ ବାହାରୁ ଫେରାନ୍ତ ଏହି ପ୍ରବାସୀମାନଙ୍କୁ ନେଇ ଲୋକଙ୍କ ମନରେ ନାନା ପ୍ରକାର ଭୟ ଏବଂ ଭୁଲ୍ ଚିନ୍ତାଧାରା ମଧ୍ୟ ଦେଖିବାକୁ ମିଳିଛି। ହେଲେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ନିଜ ଘରଠାରୁ ଦୂରରେ ରହିଥିବା ଏହି ପ୍ରବାସୀମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଏକ ସୁନ୍ଦର ପ୍ରୟାସ କରିଛନ୍ତି କେନ୍ଦ୍ରାପଡ଼ା ଆଳି ବ୍ଲକ୍ ଅଧ୍ୟକ୍ଷା ଝରଣା ଦାଶ। ନିଜର ସତରତମ ବିବାହ ବାର୍ଷିକୀକୁ ନିଜ ପରିବାର ଏବଂ ଏହି ପ୍ରବାସୀମାନଙ୍କ ସହ କ୍ୱାରେଣ୍ଟାଇନ ସେଣ୍ଟରରେ ସମସ୍ତ ନିୟମ ମଧ୍ୟରେ ପାଳିଛନ୍ତି ଝରଣା।

jharana dash

କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ଅଧ୍ୟକ୍ଷା ଅଛନ୍ତି ଝରଣା ଦାଶ। ନୂଆଗାଁର ପ୍ରଦ୍ୟୁମ୍ନ ଦାଶଙ୍କ ସହ ତାଙ୍କର ବିବାହ ହୋଇଥିଲା। ପ୍ରଦ୍ୟୁମ୍ନ ଦାଶ ଜଣେ ରାଜନୈତିକ ବ୍ୟକ୍ତିତ୍ୱ। କରୋନା ଆସିବାପରେ ତାଙ୍କର ଚଳଣିରେ ଟିକେ ପରିବର୍ତ୍ତନ ହୋଇଛି। ତାଙ୍କ ବ୍ଲକରେ ଥିବା ସଙ୍ଗରୋଧ କେନ୍ଦ୍ର ମାନଙ୍କୁ ଆସିଲେଣି କେତେକେତେ ପ୍ରବାସୀ। ସେମାନଙ୍କ ସହିତ କେତେ ବନ୍ଧୁତ୍ବର ସମ୍ପର୍କ ଯୋଡି ହେଲାଣି। ପରିବାରକୁ ପଛରେ ଥୋଇ ଆଳି ବ୍ଲକର ଶତାଧିକ ସଙ୍ଗରୋଧ କେନ୍ଦ୍ରରେ ପହଞ୍ଚୁଥିବା ପ୍ରବାସୀ ମାନଙ୍କ ରହିବା ଖାଇବା ଓ ଭଲରେ ବିଦାୟନେବା ପର୍ଯ୍ୟନ୍ତ ସବୁକଥା ବୁଝି ଆସୁଛନ୍ତି ଝରଣା।

jharana dashହେଲେ ଆଜି ପାଇଁ ତାଙ୍କର ଦିନଟି ଥିଲା ସ୍ବତନ୍ତ୍ର। ବିବାହ ବାର୍ଷିକ ପାଳନକରିବାକୁ ଝରଣା ପ୍ରଦ୍ୟୁମ୍ନଙ୍କୁ ଏକ ନିଆରା ପ୍ରସ୍ତାବ ଦେଇଥିଲେ। ଦୁଇ ଝିଅ ବି ଏହି ପ୍ରସ୍ତାବକୁ ସହମତ ହୋଇଥିଲେ। ପ୍ରସ୍ତାବଟି ଥିଲା ତାଙ୍କ ପଞ୍ଚାୟତରେ ଥିବା ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀ ମାନଙ୍କ ସହ ମିଶି ବିବାହ ବାର୍ଷିକ ପାଳନ କରିବା। ଆଜି ସକାଳୁ ସକାଳୁ ଝରଣା ଓ ପ୍ରଦ୍ୟୁମ୍ନ ନିଜ ଝିଅ ଦୁଇଙ୍କୁ ନେଇ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରକୁ ଯାଇଥିଲେ। ବଡାମ୍ବିଳା, ଅଟାଳ ଓ ମାଣିକପାଟଣା ସ୍କୁଲରେ ରହୁଥିବା ପ୍ରବାସୀ ମାନଙ୍କ ସହିତ ସାମାଜିକ ଦୂରତା ରଖି ସେମାନଙ୍କ ଭଲମନ୍ଦ ବୁଝିଥିଲେ। ସେମାନଙ୍କୁ ଫୁଲତୋଡା ଅର୍ପଣ କରି ବିବାହ ବାର୍ଷିକର ଆନନ୍ଦ ନେଇଥିଲେ। ଏହାପରେ ସମସ୍ତ ପ୍ରବାସୀଙ୍କୁ ଫଳ ବାଣ୍ଟିଥିଲେ।
jharana dash
ଆଜି ସଙ୍ଗରୋଧ କେନ୍ଦ୍ରରୁ ଘରବାହୁଡା ପ୍ରବାସୀଙ୍କୁ ଫଳ ଗଛର ଚାରା ବାଣ୍ଟିଥିଲେ। ୧୪ ଦିନର ରହଣିରେ ପ୍ରବାସୀ ମାନଙ୍କୁ ଝରଣା ନିଜ ପରିବାରର ସଦସ୍ୟ ଭଳି ଦେଇଥିବା ଆତିଥେୟତାକୁ ଭୁଲିପାରୁନଥିଲେ ପ୍ରବାସୀମାନେ। ଘରବାହୁଡା ବେଳର ଦୃଶ୍ୟ ଥିଲା ଟିକେ ନିଆରା। ଲୁହ ଛଳଛଳ ଆଖି ଓ ଭାବ ବିହ୍ବଳ ହୃଦୟରେ ପରଷ୍ପରକୁ ବିଦାୟ ଦେଇଥିଲେ। ଝରଣାଙ୍କ ଏହି ସୁନ୍ଦର ପ୍ରୟାସ ପ୍ରବାସୀମାନଙ୍କ ମନକୁ ବେଶ୍ ଛୁଇଁ ପାରିଥିଲା।

Comment